ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲିଙ୍କ ୧୪ ବର୍ଷ, ମାନସିକ ଅବସାଦର ଆଭାସ ଦେଲେ

Advertisment
ଇମ୍ପାକ୍ଟ ପ୍ଲେୟାର ନିୟମ ନେଇ ପ୍ରଶ୍ନ କଲେ କୋହଲି

ନୂଆଦିଲ୍ଲୀ: ୧୪ ବର୍ଷ ତଳେ ଆଜିର ଦିନରେ (୧୮ ଅଗଷ୍ଟ) ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି। ମାତ୍ର ୧୯ ବର୍ଷ ବୟସରେ ଆସିବା ସହ ୩ ବର୍ଷ ଭିତରେ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ବି ହୋଇପାରିଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ଏକାଧିକ କୀର୍ତ୍ତିମାନକୁ ନିଜ ନାମରେ କରି କିଙ୍ଗ୍ କୋହଲି ନାମରେ ପରିଚିତ ହୋଇଥିଲେ। ଗୁରୁବାର ଅନ୍ତର୍ଜାତୀୟ ପଦାର୍ପଣର ୧୪ତମ ପୂର୍ତ୍ତି ପାଳନ ଅବସରରେ କୋହଲି କିଛି ବିଶେଷ ମୁହୂର୍ତର ଫଟୋ ସବୁ ଟ୍ବିଟ୍ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିବା ଏକ ତିରଙ୍ଗା ସଂଯୁକ୍ତ ଭିଡିଓରେ କୋହଲି କହିଛନ୍ତି, ‘୧୪ ବର୍ଷ ତଳେ ସବୁକିଛି ଆରମ୍ଭ ‌ହୋଇଥିଲା, ଏହା ଏକ ସମ୍ମାନ’। ଶ୍ରୀଲଙ୍କା ବିପକ୍ଷ ନିଜ ପ୍ରଥମ ପାଳିରେ ପ୍ରାରମ୍ଭିକ ବ୍ୟାଟର୍ ଭାବେ ଖେଳିଥିବା କୋହଲି ୩୩ ମିନିଟ୍ ଓ ୨୨ ବଲ୍‌ ‌ଖେଳି ମାତ୍ର ୧୨ ରନ୍‌ କରିବା ପରେ ନୁୱାନ କୁଲସେକରାଙ୍କ ଶିକାର ହୋଇଥିଲେ। ଏହା ପରଠାରୁ ସେ ୧୦୨ ଟେଷ୍ଟରୁ ୨୭ ଶତକ ସହ ୮୦୨୭ ରନ୍‌ ଏବଂ ୨୬୨ ଦିନିକିଆରୁ ୪୩ ଶତକ ସହ ୧୨,୩୩୪ ରନ୍‌ ସଂଗ୍ରହ କରିଛନ୍ତି।

ମୋଟ ୭୦ ଅନ୍ତର୍ଜାତୀୟ ଶତକ ମଧ୍ୟ ସଚିନ ତେନ୍ଦୁଲକର (୧୦୦)ଙ୍କ ପରେ ଦ୍ବିତୀୟ ସର୍ବାଧିକ। ଏହା ଛଡ଼ା ୯୯ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୩୦ ଅର୍ଦ୍ଧଶତକ ସହାୟତାରେ ୩୩୦୮ ରନ୍ ସଂଗ୍ରହ କରିଛନ୍ତି। ସମ୍ପ୍ରତି ସଂଘର୍ଷ କରୁଥିବାରୁ ତାଙ୍କ ଟେଷ୍ଟ୍ ହାରାହାରି ୫୦ ତଳକୁ ଖସିଛି (୪୯.୫୩), କିନ୍ତୁ ଉଭୟ ସୀମିତ ଓଭର ଫର୍ମାଟରେ ଯଥାକ୍ରମେ ୫୭.୬୮ ଓ ୫୦.୧୨ ରହିଛି। କୋହଲିଙ୍କ ନାମରେ ଥିବା ୪ଟି କୀର୍ତ୍ତିମାନକୁ କାଟିବା ଲାଗି ଅନ୍ୟ ଭାରତୀୟଙ୍କ ଲାଗି କଷ୍ଟକର ହୋଇପାରେ। ସେଗୁଡିକ ହେଲା-ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଦ୍ବିଶତକ (୬), ଦ୍ରୁତତମ ଦିନିକିଆ ୧୨,୦୦୦ ରନ୍ (୨୬୨ ପାଳି), ଟେଷ୍ଟ୍‌ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ବିଜୟ (୪୦), ଅଧିନାୟକ ଭାବେ ସମସ୍ତ ଫର୍ମାଟରେ ସର୍ବାଧିକ ଶତକ (୪୧)।

ମାନସିକ ଅବସାଦର ଆଭାସ ଦେଲେ
ଭାରତୀୟ କ୍ରିକେଟ୍‌ ପାଇଁ ଅନେକ ମାଇଲଖୁଣ୍ଟ ଛୁଇଁଥିବା ୩୩ ବର୍ଷୀୟ ବିରାଟ କୋହଲି ପ୍ରାୟ ୩ ବର୍ଷ ହେବ ଖରାପ ଫର୍ମ ଦେଇ ଚାଲୁଛନ୍ତି। ରନ୍‌ର ପାହାଡ ସୃ୍ଷ୍ଟି କରୁଥିବା ଏହି ବ୍ୟାଟର୍ ଏବେ ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରୁଛନ୍ତି। ଏହି କାରଣରୁ ୨୦୨୧ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ମଧ୍ୟ ଅଧିନାୟକ ପଦ ଛାଡି ଦେଇଛନ୍ତି। ନିଜର ୧୪ତମ ଅନ୍ତର୍ଜାତୀୟ କ୍ରିକେଟ୍‌ ବାର୍ଷିକୀ ପୂର୍ବରୁ କୋହଲି ଏଭଳି ଏକ କଥା କହିଛନ୍ତି ଯଦ୍ବାରା ସେ ମାନସିକ ଅବସାଦ ଭିତରେ ଥିବା ଆଭାସ ଦେଇଛି। ‘ମୋତେ ସମର୍ଥନ ଏବଂ ଭଲ ପାଉଥିବା ଲୋକଙ୍କ ଭରା ଏକ ଘରେ ରହିଥିଲେ ବି ମୋତେ ନିରୋଳା ଅନୁଭବ ହେଉଛି’ ବୋଲି କୋହଲି ପ୍ରକାଶ କରିଛନ୍ତି। ଖେଳ ଜୀବନ ସାରା ମୁଁ ଚାପର ସମ୍ମୁଖୀନ ହୋଇଛି, ଏହା ମୋ ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ବହୁ ଲୋକଙ୍କ କ୍ଷେତ୍ରରେ ଏଭଳି ଘଟିଥିବ। ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ‌ଜଣେ ଖେଳାଳି ପାଇଁ ଚାପରୁ ମୁକ୍ତ ହୋଇ ନିଜ ଆଭ୍ୟନ୍ତରୀଣ ବ୍ୟକ୍ତି ସହ ଯୋଡି ହେବା ଜରୁରୀ। ସଂ‌େଯାଗ ହରାଇଲେ ତୁମେ ସବୁକିଛି ହରାଇପାର ବୋଲି କୋହଲି ଦାର୍ଶନିକ ଭାବେ ମନ୍ତବ୍ୟ ରଖିଛନ୍ତି। ଫେବ୍ରୁଆରିରେ କୋହଲି ମଧ୍ୟ କହିଥିଲେ ‘ରନ୍‌ କରିପାରୁନ ବୋଲି ଅନୁଭବ କରି ଯଦି ସକାଳୁ ଉଠୁଛ, ତେବେ ତୁମେ ବିଶ୍ବର ସବୁଠୁ ନିରୋଳା ମଣିଷ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe