ଆଇପିଏଲ୍‌ ମହାସଂଗ୍ରାମ: କୋଲକାତା ନାଇଟ୍ ରାଇଡର୍ସ-ମୁମ୍ବାଇ ଇଣ୍ଡିଆନ୍ସ ଭେଟ ଆଜି

Advertisment
ଆଇପିଏଲ୍‌ ମହାସଂଗ୍ରାମ: କୋଲକାତା ନାଇଟ୍ ରାଇଡର୍ସ-ମୁମ୍ବାଇ ଇଣ୍ଡିଆନ୍ସ ଭେଟ ଆଜି

ଚେନ୍ନାଇ : ଚଳିତ ଆଇପିଏଲ୍‌ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ସହିତ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ହେବ। ଉଭୟ ଦଳ ନିଜ ନିଜ ଦ୍ବିତୀୟ ମ୍ୟାଚ୍‌ ଖେଳିବେ। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିପରୀତ ଫଳାଫଳ ପାଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ରୋମାଞ୍ଚକ ଭାବେ ପରାସ୍ତ କରିଥିଲା। ରବିବାର କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ନିଜ ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦୁ ୧୮୮ ରନ୍‌ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇନଥିଲା। ତେଣୁ କେକେଆର୍‌ ନିଜ ବିଜୟଧାରା ଅବ୍ୟାହତ ରଖିବାକୁ ଆଶା ରଖିବ, ରୋହିତ ଶର୍ମାଙ୍କ ଦଳ ତୁରନ୍ତ ବିଜୟ ଲୟକୁ ଫେରିବାକୁ ଯୋଜନା କରିଥିବ।

ବିଗତ ଦୁଇ ବର୍ଷ ପ୍ଲେ ଅଫ୍‌ ଖେଳିପାରିନଥିବା କୋଲକାତା ନାଇଟ୍ ରାଇଡର୍ସ ଏଥର ସମ୍ପୂର୍ଣ୍ଣ ନୂଆ ଲାଗୁଛି। ଇଅନ ମୋର୍ଗାନଙ୍କ ନେତୃତ୍ବାଧିନ ଏହି ଦଳ ଭୟଶୂନ୍ୟ କ୍ରିକେଟ୍‌ ‌‌ଖେଳି ପ୍ରଥମ ମ୍ୟାଚ୍‌କୁ ଜିତିଛି। ପୂର୍ବ ଅଧିନାୟକ ଦୀନେଶ କାର୍ତିକ ପାଳିର ଶେଷ ଭାଗରେ ୯ ବଲରୁ ୨୨ ରନ୍‌ ସଂଗ୍ରହ କରିବା ଦୁଇ ଦଳ ମଧ୍ୟରେ ଫଳାଫଳରେ ଫରକ ଆଣିଥିଲା। ଟସ୍‌ ପଡିବା ବେଳଠୁ ମୋର୍ଗାନ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଦଳର ସବୁଠୁ ଅଭିଜ୍ଞ ସ୍ପିନର୍‌ ସୁନିଲ ନାରାୟଣଙ୍କୁ ଚୂଡାନ୍ତ ଏକାଦଶରେ ନେଇନଥିଲେ। ବାମ-ଡାହାଣ ପ୍ରାରମ୍ଭିକ ଯୋଡ଼ି ନୀତୀଶ ରାଣା ଓ ଶୁଭମନ ଗିଲ୍‌ ବଢ଼ିଆ ଆରମ୍ଭ କରିଥିଲେ। ରାହୁଲ ତ୍ରିପାଠୀ ବି ତାଙ୍କ ପୁରୁଣା ଫର୍ମକୁ ଜାରି ରଖିଥିଲେ। ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ଆନ୍ଦ୍ରେ ରସେଲ, ଇଅନ୍ ମୋର୍ଗାନ୍‌ ଓ ଦୀନେଶ କାର୍ତିକଙ୍କୁ ନେଇ ଦଳର ମଧ୍ୟକ୍ରମ ଦୃଢ଼ ରହିଛି। ବାଂଲାଦେଶ ସୁପର୍‌ଷ୍ଟାର୍‌ ସକିବ୍ ଅଲ୍ ହାସନଙ୍କ ସାମିଲ କରି କେକେଆର୍‌ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ବ୍ୟାଟିଂ ଦଳ ପରାସ୍ତ ହେବାର ଧାରାକୁ କେକେଆର୍‌ ପ୍ରଥମେ ଭାଙ୍ଗିଛି। ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨ ଥର ବିଜେତା‌ କେକେଆର୍‌ର ଅତୀତ ରେକର୍ଡ କିନ୍ତୁ ଭଲ ନାହିଁ। ମୁମ୍ବାଇ ୨୧-୬ରେ ଆଗୁଆ ରହିଛି। ବିଗତ ୧୨ ମୁକାବିଲାରେ ମାତ୍ର ଥରେ ଜିତିଛି।

ରୋହ‌ିତ ଶର୍ମାଙ୍କ ଦଳ କିନ୍ତୁ ଯଶପ୍ରୀତ୍ ବୁମରା ଓ ଟ୍ରେଣ୍ଟ୍ ବୋଲ୍ଟଙ୍କ ଶାଣିତ ବୋଲିଂ ପାଇଁ ସନ୍ତୁଳିତ ରହିଛି। ହର୍ଷଲ ପଟେଲ ଏବଂ ଏବି ଡି’ଭିଲିୟର୍ସଙ୍କ ବ୍ୟକ୍ତିଗତ ଉତ୍କର୍ଷ ପ୍ରଦର୍ଶନ ପାଇଁ ମୁମ୍ବାଇ ପ୍ରଥମ ମ୍ୟାଚ୍‌ ହାରିଯାଇଥିଲା। ଦଳ ପାଇଁ ସବୁଠାରୁ ଭଲ କଥା ହେଉଛି କ୍ରିସ୍ ଲିନ୍‌ ତାଙ୍କ ପଦାର୍ପଣରେ ଅର୍ଦ୍ଧଶତକ ପ୍ରାୟ ପାଳି ଖେଳିଥ‌ିଲେ। କ୍ବିଣ୍ଟନ୍ ଡି’କକ୍‌ଙ୍କ ସଂ‌ଙ୍ଗରୋଧ ଅବଧି ଶେଷ ହୋଇଥିବାରୁ ରୋହିତଙ୍କ ସହ ପାଳି ଆରମ୍ଭ କରିବେକି ଲିନ୍‌ଙ୍କୁ ଆଉ ସୁଯୋଗ ମିଳିବ ସ୍ପଷ୍ଟ ହୋଇନାହିଁ। ବାମ-ଡାହାଣ ପ୍ରାରମ୍ଭିକ ଯୋଡ଼ିଙ୍କୁ ଖେଳାଇବା ଯୋଜନାରେ ରୋହିତ-ଡି’କକ୍‌ ଓହ୍ଲାଇପାରନ୍ତି। ବ୍ୟାଟିଂରେ ମୁମ୍ବାଇ ନିଶ୍ଚିତ ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଓ ପାଣ୍ଡ୍ୟା ଭ୍ରାତା (ହାର୍ଦିକ-କ୍ରୁନାଲ)ଙ୍କୁ ନେଇ ଢ଼େର ଦୃଢ଼ତା ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କୃନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଦବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

‌କେକେଆର୍‌ର ଶତକୀୟ ବିଜୟ

ଚେନ୍ନାଇ : ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌କୁ ୧୦ ରନ୍‌ରେ ଜିତି ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (‌କେକେଆର୍‌) ରବିବାର ଆଇପିଏଲ୍‌ରେ ଶତକୀୟ ବିଜୟ ହାସଲ କରିଛି। ବଲିଉଡ୍ ସୁପରଷ୍ଟାର ତଥା ଦଳର ଅନ୍ୟତମ ମାଲିକ ଶାହରୁଖ ଖାନ୍ ଏଥିଲାଗି ଟ୍ବିଟ୍ କରି ଦଳୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଟ୍ବିଟ୍ କରିଥିଲେ ଯେ ଆମର ୧୦୦ତମ ଆଇପିଏଲ୍ ମ୍ୟାଚ୍ ବିଜୟ ନେଇ ମୁଁ ବହୁତ ଖୁସି ଅଛି। ଭାଇମାନେ ବହୁତ ଭଲ ଖେଳିଲ। ନିଜ ଶୁଭେଚ୍ଛାବାର୍ତ୍ତାକୁ ସେ ଏହି ମ୍ୟାଚ୍‌ର ନାୟକମା‌ନେ ଯଥା ପ୍ରସିଦ୍ଧକୃଷ୍ଣ, ଦୀ‌ନେଶ କାର୍ତ୍ତିକ, ନୀତୀଶ ରାଣା ଓ ରାହୁଲ ତ୍ରିପାଠୀଙ୍କୁ ବି ଟ୍ୟାଗ୍‌ କରିଥିଲେ । ସୂଚନାଯୋଗ୍ୟ ଯେ କେକେଆର୍‌ ଏପର୍ଯ୍ୟନ୍ତ ୧୯୭ ଆଇପିଏଲ୍ ମ୍ୟାଚ୍ ଖେଳି ୧୦୦ ମ୍ୟାଚ୍‌ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ୯୩ ମ୍ୟାଚ୍ ହାରିଥିଲା ବେଳେ ୪ ମ୍ୟାଚ୍‌ର ଫଳାଫଳ ମିଳିନି। ଏହି ଦଳ ୭ଥର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ୨ଥର ବିଜେତା ହୋଇଥିଲା ବେଳେ ୪ଥର ପ୍ଲେ ଅଫ୍ ଖେଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe