ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୬୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

Advertisment
ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୬୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

Sportstar - The Hindu

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୫୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୬୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୨ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୧ ରନ୍‌ କରି ପରାଜୟ ବରଣ କରିଛି । ପ୍ରଥମରୁ ରାଜସ୍ଥାନ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରାଜସ୍ଥାନ ପକ୍ଷରୁ ଜସ୍ ବଟଲର୍ ସର୍ବାଧିକ ୨୨ ବଲରେ ୩୫ ରନ୍‌ କରିଥିବା ବେଳେ ରାହୁଲ ତେୱତିଆ ୨୭ ବଲରେ ୩୧ ରନ୍‌ କରିଥିଲେ । ସେହିପରି ବେନ୍ ଷ୍ଟୋକସ୍‌ ୧୮ ରନ୍‌ ଓ ଶ୍ରେୟସ୍ ଗୋପାଲ୍ ୨୩ ରନ୍ କରିଥିଲେ‌ । ଫଳରେ ରାଜସ୍ଥାନ ଏହି ମ୍ୟାଚରେ ୬୦ ରନ୍‌ରେ ପରାଜୟ ବରଣ କରିଥିଲା ।

ଅନ୍ୟପଟେ କୋଲକାତା ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା ‌। ପ୍ୟାଟ୍ କମିନ୍ସ ୪ଟି ୱିକେଟ ହାସଲ କରିଥିବା ବେଳେ ଶିବମ୍ ମାଭି ଓ ବରୁଣ ଚକ୍ରବର୍ତ୍ତୀ ୨-୨ ୱିକେଟ ନେଇଥିଲେ। କମଲେଶ ନାଗରକୋଟି ଗୋଟିଏ ୱିକେଟ ହାସଲ କରିଥିଲେ । ଯାହା ଫଳରେ କୋଲକାତା ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଥିଲା । ଏହି ବିଜୟ ସହ କୋଲକାତା ଦଳ ତାଲିକାରେ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ ଅଫକୁ ଯିବା ପାଇଁ ନିଜର ଦାବି ଜାହିର କରିଛି ।

ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ଟିମ୍‌ ବ୍ୟାଟିଂ କରିଥିଲା। ଅଧିନାୟକ ଇଅନ୍‌ ମୋର୍ଗାନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ (୬୮ ରନ୍‌, ୩୫ ବଲ, ୫ ଚୌକା, ୬ ଛକା) ବଳରେ କୋଲକାତା ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୯୧ ରନ୍‌ କରିଥିଲା। କୋଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମାନ୍‌ ଗିଲ ଓ ନୀତିଶ ରାଣା। ଗିଲ୍‌ ୨୪ଟି ବଲରୁ ୬ଟି ଚୌକା ସହାୟତାରେ ୩୬ ରନ୍‌ କରିଥିଲେ। କିନ୍ତୁ ରାଣା କୌଣସି ରନ୍‌ ନ କରି ପାଭଲିଅନ୍‌କୁ ଫେରିଯାଇଥିଲେ। କୋଲକାତାର ମାତ୍ର ୧ ରନ୍‌ରେ ରାଣାଙ୍କୁ ହରାଇବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ରାହୁଲ ତ୍ରିପାଠୀ। ଏହାପରେ ଟିମ୍‌ ୨ୟ ଓ୍ଵିକେଟରେ ୭୨ ରନ୍‌ ଯୋଡ଼ିବା ପରେ ଏକ ପ୍ରକାର ମଜବୁତ ହୋଇଯାଇଥିଲା।

ରାହୁଲ ତ୍ରିପାଠୀ ୩୪ଟି ବଲ୍‌ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବେ ୩୯ ରନ୍‌ କରିଥିଲେ। ରାଣାଙ୍କ ଭଳି ସୁନୀଲ୍‌ ନରିନ୍‌ ଓ ଦିନେଶ କାର୍ତ୍ତିକ ମଧ୍ୟ ଖାତା ଖୋଲିପାରି ନ ଥିଲେ। କୋଲକାତାକୁ ଆନ୍ଦ୍ରେ ରସେଲଙ୍କ ବ୍ୟାଟ୍‌ରୁ ୨୫ ରନ୍‌ ଓ ପେଟ କମିନ୍‌ସଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ମିଳିଥିଲା। ରାଜସ୍ଥାନର ରାହୁଲ ତେଓ୍ଵତିଆଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିଲା। ସେହିପରି କାର୍ତ୍ତିକ ତ୍ୟାଗୀ ୨ଟି, ଜୋଫ୍ରା ଆର୍ଚର ଓ ଶ୍ରେୟସ ଗୋପାଳ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe