କୋଲକାତାକୁ ଜିତାଇଲେ ରସେଲ

Advertisment
ଆଇପିଏଲ : ହାଇଦ୍ରାବାଦକୁ ୫୪ ରନ୍‌ରେ ପରାସ୍ତ କଲା କୋଲକାତା

https://www.cricbuzz.com/

ପୁଣେ: ମହତ୍ବପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ ହୋଇ କୋଲକାତା ନାଇଟ୍‌ ରାଇଡ଼ର୍ସ (କେକେଆର୍‌) ତାର ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି। ଶନିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାକୁ କୋଲକାତା ୫୪ ରନ୍‌ରେ ଜିତି ନେଇଥିଲା। ଫଳରେ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରି ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ବିପଦରୁ ବର୍ତ୍ତି ଯାଇଥିଲା। ଅନ୍ୟପକ୍ଷରେ ଦ୍ବାଦଶ ମ୍ୟାଚ୍‌ ଖେଳିଥିବା ହାଇଦ୍ରାବାଦ ଶନିବାର ପରାଜିତ ହୋଇଥିଲେ ମଧ୍ୟ ତା ହାତରେ ଆଉ ଦୁଇଟି ମ୍ୟାଚ୍‌ ଥିବାରୁ ପ୍ଲେ ଅଫ୍ ଦୌଡ଼ରେ ଏବେବି ସାମିଲ ରହିଛି।

କୋଲକାତା ଆଜି ହାଇଦ୍ରାବାଦ ସମ୍ମୁଖରେ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୩୦ ରନ୍‌ରେ ଅଧିନାୟକ କେନ୍ ୱିଲିୟମସନ୍‌ଙ୍କୁ ହରାଇଥିବା ଝଟ୍‌କାରୁ କିନ୍ତୁ ହାଇଦ୍ରାବାଦ କେବେବି ବାହାରି ପାରି ନଥିଲା। ବରଂ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୩ ରନ୍‌ରେ ଅଟକି ଯାଇଥିଲା। ଓପନର ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍ କରିଥିଲା ବେଳେ ଏଦେନ ମର୍କରାମ ୩୨ ରନ୍‌ର ଯୋଗଦାନ ଦେଇଥିଲେ। ସେପଟେ ଧୂଆଁଧାର ବ୍ୟାଟିଂ କରି କୋଲକାତା ସ୍କୋରକୁ ୧୭୭/୬ରେ ପହଞ୍ଚାଇଥିବା ଆନ୍ଦ୍ରେ ରସେଲ ଅଲରାଉଣ୍ଡ ପ୍ରଦର୍ଶନ କରି ତିନିଟି ୱିକେଟ୍ ମଧ୍ୟ କରାୟତ୍ତ କରିଥିଲେ। ଆଶାଜନକ ଭାବେ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କେକେଆର୍‌ ଟସ୍ ଜିତି ଧାରା ବିପରୀତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ହେଲେ ଦୁଇ ଥର ବିଜେତା କେକେଆର୍‌ ପାଇଁ ଏହି ନିଷ୍ପତ୍ତି ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦର ଯୁବ ତାରକା ତଥା ନିୟମିତ ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ବଲ୍ ପକାଇ ଚର୍ଚ୍ଚାରେ ରହିଥିବା ଜମ୍ମୁ କଶ୍ମୀର ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ତିନିଟି ୱିକେଟ୍ ନେଇ କେକେଆର୍‌ର ଅଣ୍ଟା ଭାଙ୍ଗି ଦେଇଥିଲେ। ମାର୍କୋ ଜାନସନ ଓ ଭୁବନେଶ୍ବର କୁମାର ମଧ୍ୟ ଚମତ୍କାର ବୋଲିଂ କରି କେକେଆର୍‌ର ଆଉ ଦୁଇଟି ୱିକେଟ୍ ଝାଡ଼ି ଦେଇଥିଲେ। ଫଳରେ କେକେଆର୍‌ ଦେଢ଼ ଶହ ରନ୍ ତଳେ ଅଟକି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଆନ୍ଦ୍ରେ ରସେଲ ନିଜ ତୋଫାନି ପାଳିରେ କୋଲକାତା ସ୍କୋରକୁ ୧୭୭/୬ରେ ପହଞ୍ଚାଇ ଦେଇଥିଲେ। ପ୍ରଥମ ୬ ରନ୍ କରିବାକୁ ୧୨ ବଲ୍ ନେଇଥିବା ରସେଲ ପରବର୍ତ୍ତୀ ସମୟରେ ଗିୟର ବଦଳାଇ ମାତ୍ର ୨୮ ବଲ୍‌ରୁ ୪୯* ରନ୍‌ର ପାଳି ଖେଳିଥିଲେ। ୱାସିଂଟନ୍ ସୁନ୍ଦରଙ୍କ ଶେଷ ଓଭରରୁ ତିନିଟି ବିଶାଳ ଛକା ସହ ୨୦ ରନ୍ ଅମଳ କରିଥିଲେ ସେ। ତାଙ୍କ ପାଇଁ କେକେଆର୍‌ ଶେଷ ୪ ଓଭରରୁ ୪୮ ରନ୍ ଯୋଡ଼ି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe