ଗୋଲ୍‌ଶୂନ୍ୟ ରହିଲେ କୋରିଆ-ଉରୁଗୁଏ‌

Advertisment
ଗୋଲ୍‌ଶୂନ୍ୟ ରହିଲେ କୋରିଆ-ଉରୁଗୁଏ‌

ଅଲ୍ ରାୟାନ୍‌ (କାତାର): ଚଳିତ ଫିଫା ବିଶ୍ବକପ୍‌ର ଗ୍ରୁପ୍‌ ‘ଏଚ୍‌’ ପ୍ରଥମ ମ୍ୟାଚ୍‌ ଦକ୍ଷିଣ କୋରିଆ ଓ ଉରୁଗୁଏ ମଧ୍ୟରେ ଗୋଲ୍‌ଶୂ୍ନ୍ୟ ଭାବେ ଶେଷ ହୋଇଛି। ଉଭୟ ଦଳର ଖେଳାଳି ଚମତ୍କାର ଲଢ଼ିଥିଲେ ମଧ୍ୟ ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ। ପ୍ରତି ଖେଳାଳି ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବି ପ୍ରତିପକ୍ଷର ଦୃଢ଼ ପ୍ରାଚୀରକୁ ଭେଦି ପାରିନଥିଲେ। ଫଳରେ ଗୁରୁବାର ଦ୍ବିତୀୟ ମ୍ୟାଚ୍‌ ସୁଦ୍ଧା ଚଳିତ ବିଶ୍ବକପ୍‌‌ରେ ଚତୁର୍ଥ ଗୋଲ୍‌ଶୂନ୍ୟ ଅମୀମାଂସିତ ମ୍ୟାଚ୍‌ ଦେଖିବାକୁ ମିଳିଛି। ପ୍ରଥମାର୍ଦ୍ଧ ଅଧିକ ସଂଘର୍ଷପୂର୍ଣ୍ଣ ରହିଥିଲେ ମଧ୍ୟ ପ୍ରମୁଖ ଖେଳାଳିଙ୍କୁ ବାହାରେ ବସାଇଥିବାରୁ ଦୁଇ ଦଳ ମଧ୍ୟରୁ କାହାରିକୁ ପୂରା ପଏଣ୍ଟ ମିଳିନଥିଲା।

ଦୁଇ ଦଳର ରକ୍ଷଣଭାଗ ଚମତ୍କାର ଥିଲେ ମଧ୍ୟ ଫରୱାର୍ଡ ଲାଇନ୍‌ରେ ଆକ୍ରମଣାତ୍ମକ ଆଭିମୁଖ୍ୟର ଦୁର୍ବଳତା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଥିଲା। ଅଭିଜ୍ଞ ଏଡ଼ିସନ୍ କାଭାନିଙ୍କ ବଦଳରେ ଉରୁଗୁଏ ମା‌‌‌ଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ଯୁବ ପ୍ରତିଭା ଫକୁଣ୍ଡା ପେଲିସ୍ତ୍ରୀଙ୍କୁ ଖେଳାଇଥିଲେ ମଧ୍ୟ ସେ କିଛି ପ୍ରଭାବ ଛ‌ାଡ଼ି ପାରିନଥିଲେ। ଦକ୍ଷିଣ କୋରିଆ ପାଇଁ ସନ୍‌ ହିଉଙ୍ଗ୍ ମିନ୍‌ ଚମତ୍କାର ଖେଳିଥିଲେ, କିନ୍ତୁ ପ୍ରତିପକ୍ଷ ଡିଫେଣ୍ଡର ତାଙ୍କୁ କୌଣସି ସୁଯୋଗ ଦେଇନଥିଲେ। ରିୟଲ୍ ମାଦ୍ରିଦ୍‌ ତାରକା ‌ଫ୍ରେଡରିକ୍ ଭେଲଭର୍ଡଙ୍କ ଏକ ଲଙ୍ଗ୍ ରେଞ୍ଜ୍‌ ସଟ୍‌କୁ ସନ୍‌ ମଧ୍ୟ ବେକାର କରିଦେଇଥିଲେ। ଉରୁଗୁଏର ତାରକା ଲୁଇସ୍ ସୁଆରେଜ୍‌ଙ୍କ ସହିତ ତାଙ୍କ ନକଲ କରୁଥିବା ସେଣ୍ଟ୍ରାଲ୍ ଷ୍ଟ୍ରାଇକର୍‌ ଡାରୱିନ୍‌ ନୁନେଜ୍‌ ମଧ୍ୟ ବିଶେଷ ଫଳପ୍ରଦ ରହିନଥିଲେ। ଏଥି ସହିତ ୪-୩-୩ ସମନ୍ବୟରେ ଖେଳି ଉରୁଗୁଏ ନିଜ କୌଶଳରେ ସଫଳ ‌ହୋଇପାରିନଥିଲା। ଦକ୍ଷିଣ କୋରିଆର ସନ୍‌ କିନ୍ତୁ ମ୍ୟାଚ୍‌ର ମୋଷ୍ଟ ଭ୍ୟାଲୁଏବୁଲ୍ ଖେଳାଳି ବିବେଚିତ ହୋଇଥିଲେ। ଗୋଟିଏ ଲେଖାଏଁ ପଏଣ୍ଟରୁ ଅଭିଯାନ ଆରମ୍ଭ କରିଥିବାରୁ ଉରୁଗୁଏ ଏବଂ ଦକ୍ଷିଣ କୋରିଆକୁ ଏବେ ପରବର୍ତୀ ୨ ମ୍ୟାଚ୍‌ରେ ଅଧିକ କସରତ୍ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe