ଭାରତୀୟ ଦଳରେ କୃନାଲ ଓ ଦୀପକ ସାମିଲ

Advertisment
ଭାରତୀୟ ଦଳରେ କୃନାଲ ଓ ଦୀପକ ସାମିଲ

ନୂଆଦିଲ୍ଲୀ: ଅଲ୍‌ରାଉଣ୍ଡର କୃନାଲ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଦୀପକ ଚହର ଅନ୍ତର୍ଜାତୀୟ ପଦାର୍ପଣ ସୁଯୋଗ ପାଇଛନ୍ତି। ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ୩ ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ଆହତ ଓ୍ଵାସିଂଟନ୍‌ ସୁନ୍ଦର ଏବଂ ଯଶ୍‌ପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଏହି ଦୁଇ ଯୁବ ତାରକାଙ୍କୁ ଡାକରା ମିଳିଛି। ଉଭୟ କୃନାଲ୍‌ ଓ ଦୀପକ୍‌ ଏବେ ଇଂଲଣ୍ଡରେ ଭାରତ-ଏ ଦଳ ପକ୍ଷରୁ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳୁଛନ୍ତି। ତେବେ ଗତ ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୁନାଲ୍‌ ଏହି ସୁଯୋଗ ପାଇଛନ୍ତି। ସେହିଭଳି ସଂପ୍ରତି ଭାରତୀୟ-ଏ ଦଳ ସହ ଇଂଲଣ୍ଡ ଗସ୍ତରେ ଦୀପକ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୩ ମ୍ୟାଚ୍‌ରୁ ୧୨.୭୧ ହାରରେ ୭ ଓ୍ଵିକେଟ୍‌ ନେଇ ଜାତୀୟ ଦଳରେ ସ୍ଥାନ ପାଇବାକୁ ପ୍ରମୁଖ ଦାବିଦାର ହୋଇଥିଲେ। ତେବେ ଜୁନ୍‌ ୧୨ ତାରିଖରୁ ଆରମ୍ଭ ହେବାକୁଥିବା ଦିନିକିଆ ଶୃଙ୍ଖଳାରେ ସୁନ୍ଦରଙ୍କ ସ୍ଥାନ ଅକ୍ଷର ପଟେଲ ନେବେ। ଲଣ୍ଡନ ଗସ୍ତରେ ହାର୍ଦିକ୍‌ ପାଣ୍ଡ୍ୟା ଭାରତୀୟ ଦଳରେ ରହିଥିବାରୁ ତୃତୀୟ ଭ୍ରାତା ଯୋଡ଼ି ଭାବେ କୃନାଲ ଏବଂ ହାର୍ଦିକ ଭାରତୀୟ ଦଳରେ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ମହିନ୍ଦର ଅମରନାଥ ଓ ସୁରିନ୍ଦର ଅମରନାଥ ଏବଂ ଇର୍ଫାନ୍‌ ଓ ୟୁସୁଫ ପଠାନ ଭ୍ରାତା ଯୋଡ଼ି ଭାରତ ପକ୍ଷରୁ ଖେଳି ସାରିଛନ୍ତି। ଗତ ଜୁନ୍‌ ୨୬ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବ ଅଭ୍ୟାସ ବେଳେ ସୁନ୍ଦରଙ୍କ ପାଦର ଗଣ୍ଠିରେ ଆଘାତ ଲାଗିଥିଲା। ଫଳରେ ସେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ମ୍ୟାଚ୍‌ରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଥିଲେ। ଅନ୍ୟପକ୍ଷରେ ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟେ୍ଵଣ୍ଟି-୨୦ରେ ବୁମ୍‌ରାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିବାରୁ ସେ ଭାରତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ଅନ୍ୟପକ୍ଷରେ ବିସିସିଆଇ ଚୟନ ସମିତି ମଧ୍ୟ ୪ ଦିନିଆ ମ୍ୟାଚ୍‌ ଲାଗି ଭାରତୀୟ-ଏ ଦଳ ଘୋଷଣା କରଛି। ଇଂଲଣ୍ଡ ବିପକ୍ଷ ପରିବର୍ତିତ ଟେ୍ଵଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵାନ୍‌, ରୋହିତ ଶର୍ମା, ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ୟୁଜବେନ୍ଦର ଚହଲ, କୂଳଦୀପ ଯାଦବ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚହର, ହାର୍ଦିକ ପାଣ୍ଡ୍ୟା, ସିଦ୍ଧାର୍ଥ କୌଲ, ଉମେଶ ଯାଦବ। ୪ ଦିନିଆ ମ୍ୟାଚ୍‌ ଲାଗି ଭାରତ-ଏ ଦଳ: କରୁଣ ନାୟର (ଅଧିନାୟକ), ରବିକୁମାର ସମର୍ଥ, ମୟଙ୍କ ଅଗ୍ରଓ୍ଵାଲ, ଅଭିମନ୍ୟୁ ଈଶ୍ୱରନ୍‌, ପୃଥ୍ଵୀ ସ, ହନୁମା ବିହାରୀ, ଅଙ୍କିତ ବଉନେ, ବିଜୟ ଶଙ୍କର, ଶ୍ରୀକର ଭରତ, ଜୟନ୍ତ ଯାଦବ, ସାହବାଜ ନଦିମ, ଅଙ୍କିତ ରାଜପୁତ, ମହମ୍ମଦ ସିରାଜ, ନବଦୀପ ସାଇନି, ରଜନୀଶ ଗୁରବାଣୀ, ଋଷବ ପନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe