Photo: The Economic Times
ନୂଆଦିଲ୍ଲୀ: ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ଶନିବାର ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେଙ୍କୁ ପ୍ରଶଂସା କରିଛନ୍ତି। ଏହି ଭାରତୀୟ ସ୍ପିନ୍ ମହାନଙ୍କ ବିପକ୍ଷରେ ରନ୍ ସଂଗ୍ରହ କରିବା ସହଜ ନଥିଲା, ସେ ଅନେକ ଥର ମୋ ନିଦ ହଜାଇ ଦେଇଥିଲେ ବୋଲି ସାଙ୍ଗାକାରା ପ୍ରକାଶ କରିଥିଲେ। କୁମ୍ବଲେ ଜଣେ ପାରମ୍ପାରିକ ଲେଗ୍ସ୍ପିନର୍ ନଥିଲେ, ଲମ୍ବା ଚେହେରାର ଏହି ବୋଲର ହାଇ ଆର୍ମ ଆକ୍ସନରୁ ବୋଲିଂ କରନ୍ତି।
ଆପଣଙ୍କ ବିପକ୍ଷରେ ବୋଲିଂ କଲା ବେଳେ ସେ ନିଶ୍ଚିତ କିଛି ଯୋଜନା କରି ଆସିଥାନ୍ତି ବୋଲି ଆଇସିସି ଟ୍ବିଟ୍ରେ ସାଙ୍ଗାକାରା ଏହା ପ୍ରକାଶ କରିଛନ୍ତି। ‘ଜୋର୍ରେ ପକାନ୍ତି, ସିଧା ବୋଲିଂ କରନ୍ତି ଏବଂ ସଠିକ୍ ବୋଲିଂ ମଧ୍ୟ କରନ୍ତି। ତାଙ୍କଠାରୁ ରନ୍ ସଂଗ୍ରହ କରିବା ଏତେ ସହଜ ହୁଏ ନାହିଁ। ସେ ମଧ୍ୟ ବାଉନ୍ସ କରାଇପାରନ୍ତି ଏବଂ ଲେନ୍ଥରେ ଯଦି କିଛି ଆବଡ଼ା ଖାବଡ଼ା ଜାଗା ଥିବ ତେବେ ତ ବ୍ୟାଟ୍ସମ୍ୟାନ୍ ରନ୍ ପାଇବା କାଠିକର ପାଠ। ବଢ଼ିଆ ଲୋକ, ଭାରତ ଓ ବିଶ୍ବ ପାଇଁ ଜଣେ ବିଜେତା କ୍ରିକେଟର୍’ ବୋଲି ସାଙ୍ଗାକାରା ଉଲ୍ଲେଖ କରିଥିଲେ। ସୂଚନାଯୋଗ୍ୟ, କୁମ୍ବଲେ ଏବେ ଉଭୟ ଟେଷ୍ଟ୍ ଓ ଦିନିକିଆରେ ଭାରତର ସର୍ବକାଳୀନ ଅଗ୍ରଣୀ ବୋଲର ଭାବେ ଯଥାକ୍ରମେ ୬୧୯ ଓ ୩୩୭ ୱିକେଟ୍ ନେଇଛନ୍ତି।
Follow Us