ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆେୟାଜିତ ବରିଷ୍ଠ ପୁରୁଷ ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ଅଲିମ୍ପିଆନ୍ ରାଜରୁସ୍ ବାର୍ଲାଙ୍କୁ ପ୍ରଶିକ୍ଷଣ ଦାୟିତ୍ବ ଅର୍ପଣ କରାଯାଇଛି। ମାସାଧିକ କାଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା ପରେ ଭାରତୀୟ ଦଳ ଓମାନ ମାସ୍କଟରେ ଚାଲିଥିବା ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ଲାଗି ଗସ୍ତ କରିଛି। ଫଳରେ ବିଶ୍ବକପ୍ ପାଇଁ ଲାଗିଥିବା ଏହି ଶିବିରର ଅବଶିଷ୍ଟ ଖେଳାଳିଙ୍କୁ ଅଭ୍ୟାସରେ ରଖିବା ଲାଗି ଲାଜରୁସଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ଏହି ଶିବିର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ସହିତ ଲାଜରୁସ ଜାତୀୟ ଦଳ ସହ ଯୋଡ଼ିହେବାର ବାଟଫିଟିଛି। ପୂର୍ବରୁ ଲାଜରୁସ ଜାତୀୟ କନିଷ୍ଠ ଦଳର ପ୍ରଶିକ୍ଷଣ ସହିତ ଜଡ଼ିତ ଥିଲେ। ଏବେ ବରିଷ୍ଠ ଦଳ ସହ ଯୋଡ଼ି ହୋଇଛନ୍ତି। ଓଡ଼ିଶାରେ ବିଶ୍ବକପ୍ ଆୟୋଜିତ ହୋଇଥିବାରୁ ଲାଜରୁସଙ୍କ ସମ୍ପୃକ୍ତିକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ୨୦୦୦ ସିଡନି ଅଲିମ୍ପିକ୍ସରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିବା ଲାଜରୁସ୍ ଦିଲ୍ଲୀପ ତିର୍କିଙ୍କ ସମସାମୟିକ ଭାବେ ବିଶ୍ବର ଶ୍ରେଷ୍ଠ ଡିଫେଣ୍ଡର ଯୋଡ଼ି ମାନ୍ୟତା ପାଇଥିଲେ। ୧୯୯୮ ବ୍ୟାଙ୍କକ ଏସିଆଡ, ୨୦୦୧ରେ ଚାମ୍ପିଅନ୍ସ ଚାଲେଞ୍ଜରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୧୯୯୭ ମିଲଟନ୍ କେନ୍ସ କନିଷ୍ଠ ବିଶ୍ବକପ୍ ଏବଂ ୨୦୦୦ ମସିହା ଏସିଆ କପ୍ରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ। ୧୯୯୮ ଏବଂ ୨୦୦୨ ବିଶ୍ବକପ୍ରେ ମଧ୍ୟ ଦେଶର ପ୍ରତିନିଧିତ୍ବ କରିଥିଲେ ଏହି ରାଉରକେଲା ପ୍ରତିଭା।
ଲାଜରୁସଙ୍କୁ ଜାତୀୟ ଶିବିର ଦାୟିତ୍ବ
Advertisment
Follow Us