ବିଶ୍ବ କନିଷ୍ଠ ଦୌଡ଼କୁଦ ଲମ୍ବଡିଆଁ ଲାଗି ଯୋଗ୍ୟତା ଅର୍ଜନରେ ଲାଲୁ ପ୍ରଥମ ଓଡ଼ିଆ

Advertisment
ବିଶ୍ବ କନିଷ୍ଠ ଦୌଡ଼କୁଦ ଲମ୍ବଡିଆଁ ଲାଗି ଯୋଗ୍ୟତା ଅର୍ଜନରେ ଲାଲୁ ପ୍ରଥମ ଓଡ଼ିଆ

ଭୁବନେଶ୍ବର: ଇଣ୍ଡିଆନ୍ସ ଗ୍ରାଁ ପ୍ରି-୪ରେ ମଙ୍ଗଳବାର ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ବଡ଼ ଖୁସି ଖବର। ପୁରୁଷ ଲମ୍ବ ଡିଆଁରେ ତୃତୀୟ ସ୍ଥାନ ଅଧିକାର କରି କିଟ୍ ଛାତ୍ର ଲ‌ାଲୁ ପ୍ରସାଦ ‌ଭୋଇ (୭.୫୮ ମିଟର) ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବିଆର କ୍ୟାଲିଠାରେ ଆୟୋଜିତ ହେବାକୁ ଥିବା ବିଶ୍ବ କନିଷ୍ଠ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଭ କରିବାରେ ଲାଲୁ ହେଉଛନ୍ତି ପ୍ରଥମ ଓଡ଼ିଆ। ୧୯ ବର୍ଷୀୟ ଲାଲୁଙ୍କ ଘର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ହୋଇଥିଲା ବେଳେ ସଂପ୍ରତି ‌ ସେ କିଟ୍‌ରେ ଯୁକ୍ତ ୩ ବାଣିଜ୍ୟ ପ୍ରଥମ ବର୍ଷର ଛାତ୍ର। କିଟ୍ ସହ ଲାଲୁ କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ରିଲାଏନ୍ସ-ଓଡ଼ିଶା ଦୌଡ଼କୁଦ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି। ପୂର୍ବରୁ କନିଷ୍ଠ ବର୍ଗରେ ଖେଳୁଥିବା ଲାଲୁ ଏଥର ବରିଷ୍ଠ ବର୍ଗରେ ଖେଳି ରାଜ୍ୟ ପାଇଁ ବିରଳ ସଫଳତା ଲାଭ କରିଛନ୍ତି। ଲାଲୁ ପୂର୍ବରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା ବେଳେ ୬୮ତମ ରାଜ୍ୟ ଦୌଡ଼କୁଦର ୧୦୦ ମିଟରରେ କାଂସ୍ୟ ଏବଂ ଲମ୍ବଡିଆଁରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଲାଗି ଲାଲୁଙ୍କୁ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାସ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ଇଭେଣ୍ଟ୍‌ରେ କେରଳର ମହମ୍ମଦ ଆନିସ୍ ୟାହିୟା (୮.୧୫ ମିଟର) ପ୍ରଥମ ହୋଇଥିଲା ବେଳେ ଉତ୍ତର ପ୍ରଦେଶର ଯୁଗାନ୍ତ ଶେଖର ସିଂହ (୭.୭୩ ମିଟର) ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟ ଦୁଇ ଓଡ଼ିଆ ସରୁନ ପାୟାସିଂହ (୬.୭୭ ମିଟର) ଦ୍ବାଦଶ ଏବଂ ସମ୍ରାଟ ସା’ (୭.୭୩ ମିଟର) ତ୍ରୟୋଦଶ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe