ଶେଷ ବଲ୍‌ରେ ଖସିଗଲା ଏସିଆ କପ୍‌

Advertisment

ବାଂଲାଦେଶ ମହିଳା ପ୍ରଥମ ଥର ବିଜେତା; ଭାରତ ଉପବିଜେତା

ବାଂଲାଦେଶ ମହିଳା ପ୍ରଥମ ଥର ବିଜେତା; ଭାରତ ଉପବିଜେତା

ଶେଷ ବଲ୍‌ରେ ଖସିଗଲା ଏସିଆ କପ୍‌

କ୍ୱାଲାଲମ୍ପୁର: ରବିବାରର ରୋମାଞ୍ଚକର ଫାଇନାଲରେ ୬ଥର ବିଜେତା ଭାରତକୁ ୩ ଓ୍ଵିକେଟ୍‌ରେ ହରାଇ ବାଂଲାଦେଶ ପ୍ରଥମ ଥର ଏସିଆ କପ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଜିତି ନେଇଛି। ସେପଟେ ଲଗାତାର ସପ୍ତମ ଥର ପାଇଁ ଫାଇନାଲକୁ ଯାଇଥିବା ଭାରତ ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବାଂଲାଦେଶର ଐତିହାସିକ ବିଜୟକୁ ରୋକି ପାରି ନାହିଁ। ସେହିଭଳି ସପ୍ତମଥର ଏସିଆ କପ୍‌ ଜିତିବା ଆଶା ମଉଳିବା ସହ ଭାରତ ଉପ ବିଜେତାରେ ସନ୍ତୁଷ୍ଟ ରହିଛି। ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ ଭାରତକୁ ବାଂଲାଦେଶ ହରାଇ ଦେଇଥିଲା। ବାଂଲାଦେଶକୁ ଆଜି ବିଜୟ ପାଇଁ ଶେଷ ଓଭରରୁ ୯ ରନ୍‌ର ଦରକାର ଥିଲା। ପ୍ରଥମ ତିନି ବଲ୍‌ରେ ବାଂଲାଦେଶ ୬ ରନ୍‌ ସଂଗ୍ରହ କରି ନେଇ ଭାରତୀୟ ଶିବିରରେ କମ୍ପନ ସୃଷ୍ଟି କରିଥିଲା। ହେଲେ ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଦୁଇଟି ଓ୍ଵିକେଟ୍‌ର ପତନ ହେବା ପରେ ମ୍ୟାଚ୍‌ ଶେଷ ବଲ୍‌କୁ ଯାଇଥିଲା। ପଞ୍ଚମ ବଲରେ ଓ୍ଵିକେଟ୍‌ ହରାଇ ଥିଲେ ମଧ୍ୟ ୧ ରନ୍‌ ପୂରଣ କରି ସାରିଥିବାରୁ ଏସିଆ କପ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିବା ଲାଗି ଶେଷ ବଲ୍‌ରୁ ବାଂଲାଦେଶକୁ ଆଉ ମାତ୍ର ୨ ରନ୍‌ର ଦରକାର ଥିଲା। ଅଷ୍ଟମ ସ୍ଥାନରେ ଖେଳିଥିବାକୁ ଆସିଥିବା ଜାହାନାରା ଆଲାମ ଡାଇଭ୍‌ ମାରି ଦ୍ୱିତୀୟ ରନ୍‌ ପୂରଣ କରିବା ସହ ଭାରତ ହାତରୁ ଏସିଆ କପ୍‌ ଖସି ଯାଇଥିଲା। ଦୁଇ ଓ୍ଵିକେଟ୍‌ ସହ ୨୩ ରନ୍‌ର ମହତ୍ୱପୂର୍ଣ୍ଣ ବାଳି ଖେଳିଥିବା ବାଂଲାଦେଶର ରୁମାନା ଅହମ୍ମଦ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତୀୟ ଅଧିନାୟିକା ହରମନପ୍ରୀତ ସିଂହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇବା ସହ ଅଧିନାୟିକା ହରମନପ୍ରୀତଙ୍କ ୫୬ ରନ୍‌ ବଳରେ ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ମାତ୍ର ୧୧୨ ରନ୍‌ କରିଥିଲା। ବାଂଲାଦେଶ କୌଣସି ଖେଳାଳି ବଡ଼ ସ୍କୋର କରି ନଥିଲେ। ହେଲେ ମିଳିତ ଭାବେ ପ୍ରୟାସ କରି ୧୧୩ ରନ୍‌ର ଛୋଟିଆ ବିଜୟକୁ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୧୨/୯ (ହରମନପ୍ରୀତ ୫୬, ମିତାଲି ରାଜ ୧୧, ଭେଦା କୃଷ୍ଣମୂର୍ତି ୧୧, ରୁମାନା ଅହମ୍ମଦ ୨/୨୨, ଖାଦିଜା ତୁଲ କୁବା ୨/୨୩)। ବାଂଲାଦେଶ ୨୦ ଓଭରରେ ୧୧୩/୭ ( ନିଗାର ସୁଲତାନା ୨୭, ରୁମାନା ଅହମ୍ମଦ ୨୩, ପୁନମ ଯାଦବ ୪/୯, ହରମନପ୍ରୀତ କୌର ୨/୧୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe