Republic World
ଆବୁଧାବି : ଚଳିତ ବିଶ୍ବକପ୍ରେ ବାଂଲାଦେଶ ବିପକ୍ଷରେ ବଡ଼ ବିଜୟ ହାସଲ କରି ଟ୍ରାକ୍କୁ ଫେରିଛି ଅଷ୍ଟ୍ରେଲିଆ। ହେଲେ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲାଗି ଅଷ୍ଟ୍ରେଲିଆ ସୁପର-୧୨ରେ ନିଜର ଶେଷ ମ୍ୟାଚ୍ରେ ଶନିବାର ଅପରାହ୍ଣରେ ଆବୁଧାବିରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ। ଶନିବାର ଚିରପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡଠୁ ହାରିବା ପରେ ଗୁରୁବାର ବାଂଲାଦେଶକୁ ୮ ୱିକେଟ୍ରେ ହରାଇ ନିଜ ନେଟ୍ ରନ୍ରେଟ୍କୁ -୦.୬୨୭ରୁ +୧.୦୩୧ରେ ପହଞ୍ଚାଇ ସେମିଫାଇନାଲ୍ ଦୌଡ଼ରେ ସାମିଲ ହୋଇଛି। ତେବେ ସେମିଫାଇନାଲ୍ ପାଇଁ ଆରୋନ ଫିଞ୍ଚ୍ଙ୍କ ଦଳକୁ ଆଉ ଗୋଟିଏ ବିଜୟ ଆବଶ୍ୟକ। ଯଦି ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡ ହରାଇ ଦିଏ ତେବେ ୱେଷ୍ଟ୍ଇଣ୍ଡିଜ୍ଠୁ ହାରିଲେ ଦଳ ପାଇଁ ମଧ୍ୟ ସେମିଫାଇନାଲ୍ ଆଶା ରହିବ। ସଂପ୍ରତି ଦକ୍ଷିଣ ଆଫ୍ରିକା ସହ ସମାନ ୬ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍ ରନ୍ରେଟ୍ରେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି। ଯଦି କିଛି ଅଘଟଣ ଘଟିଲେ ଅଷ୍ଟ୍ରେଲିଆ ସେମିଫାଇନାଲ୍ ବାଟ ବନ୍ଦ ରହିବାର ଆଶଙ୍କା ରହିଛି। ତେଣୁ ଶନିବାର ମ୍ୟାଚ୍ରେ ବିଜେତା ୱେଷ୍ଟଇଣ୍ଡିଜ୍ଠୁ ନହାରିବା ଲାଗି ସବୁ ପ୍ରକାର ଚେଷ୍ଟା କରିବ ଏହି ଦଳ। ୨୦୧୦ରେ ଉପବିଜେତା ହୋଇଥିବା ଅଷ୍ଟ୍ରେଲିଆ ୨୦୧୨ ପରେ ଆଉ ସେମିଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିନି। ଦ୍ରୁତ ବୋଲର ଯୋଡ଼ି ଜୋସ ହାଜେଲଉଡ୍ ଓ ମିଚେଲ ଷ୍ଟାର୍କ ଏବଂ ଲେଗ୍ ସ୍ପିନର ଆଦମ ଜାମ୍ପାଙ୍କ ସହ ପାର୍ଟ ଟାଇମ୍ ସ୍ପିନର ଗ୍ଲେନ୍ ମ୍ୟକ୍ସୱେଲ୍ ଗତ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ ଦେବାରୁ ଶ୍ରୀଲଙ୍କା ୭୩ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଏହି ଦଳର ଶୀର୍ଷକ୍ରମର ବ୍ୟାଟର୍ ବି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ୩ ନମ୍ବରରେ ଆସିଥିବା ମିଚେଲ୍ ମାର୍ସ ୫ ବଲ୍ରେ ୧୬ ରନ୍ କରିବାରୁ ୮୨ ବଲ୍ ପୂର୍ବରୁ ବିଜୟ ପାଇଥିଲା ଅଷ୍ଟ୍ରେଲିଆ।
ଅନ୍ୟପକ୍ଷରେ ଦୁଇ ଥରର ବିଜେତା ୱେଷ୍ଟ୍ଇଣ୍ଡିଜ୍ ଚଳିତ ବିଶ୍ବକପ୍ରେ ନିଜର ଚମକ ଦେଖାଇପାରିନି। ଏପରିକି ଏହାର ତାରକା ବ୍ୟାଟର୍ କ୍ରିସ ଗେଲ୍, ଡ୍ବେନ୍ ବ୍ରାଭୋ, ଆନ୍ଦ୍ରେ ରସେଲ ଓ କିରନ ପୋଲାର୍ଡ ପୂରା ବିଫଳ ହୋଇଛନ୍ତି। ନିଜର ପ୍ରଥମ ମ୍ୟାଚ୍ରେ ଏହି ଦଳ ଇଂଲଣ୍ଡ ବିପକ୍ଷରେ ମାତ୍ର ୫୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ହାରି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା।
Follow Us