ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମାର ଶୁଭାରମ୍ଭ

Advertisment
ହକି ବିଶ୍ବକପ୍‌ ଟ୍ରଫି ପରିକ୍ରମାର ଶୁଭାରମ୍ଭ

ଭୁବନେଶ୍ବର: ୨୦୨୩ ଜାନୁଆରି ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ହକି ବିଶ୍ବକପ୍‌। ଏହି ବିଶ୍ବକପ୍‌ର ଟ୍ରଫି ପରିକ୍ରମା ସୋମବାର ଭୁ‌ବନେଶ୍ବରଠୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ୍‌ ଟ୍ରଫିକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କୁ ହସ୍ତାନ୍ତର କରି ଏହି ପରିକ୍ରମାର ଶୁଭାରମ୍ଭ କରିଛନ୍ତି। ‘‘ଆଶା କରୁଛି ହକି ପୁରୁଷ ବିଶ୍ୱକପ୍‌ ଟ୍ରଫି ପରିକ୍ରମା ସମଗ୍ର ଭାରତରେ ବିଶ୍ୱକପ୍‌ ପାଇଁ ଉତ୍ସାହ ସୃଷ୍ଟି କରିବ। ୧୬ ଦଳକୁ ନେଇ ଏହି ପ୍ରତିଯୋଗିତା ଭୁବ‌ନେଶ୍ବର ଓ ରାଉରକେଲାରେ ଆୟୋଜନ କରୁଛୁ। ଏହି ବିଶ୍ବକପ୍‌ ନିଶ୍ଚିତ ସମସ୍ତ ଦଳ ଏବଂ ପ୍ରଶଂସକମାନଙ୍କ ପାଇଁ ଏକ ସ୍ମରଣୀୟ ହେବ।’’ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ଆର୍‌ ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀବାସ୍ତବ ଏବଂ ଅଧିକାରୀ ଓ ହକି ଖେଳାଳିମାନେ ଉପସ୍ଥିତ ଥିଲେ। ଏହି ଟ୍ରଫି ୨୧ ଦିନ ଧରି ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ୧୬ ସହର ଯାତ୍ରା କରିବ। ପ୍ରଥମ ଦିନ ଭୁବନେଶ୍ବର ପରିକ୍ରମା କରିବା ପରେ ଦ୍ବିତୀୟ ଦିନରୁ କୋଲ୍‌କାତା, ଇମ୍ଫାଲ, ଗୁଆହାଟୀ, ଜାମସେଦପୁର, ରାଞ୍ଚି, ଲକ୍ଷ୍ନୌ, ଅମୃତସର, ସୋନିପାତ, ଦିଲ୍ଲୀ , ଭୋପାଳ, ମୁମ୍ବାଇ, ଚେନ୍ନାଇ, ତିରୁବନ୍ତପୁରମ, ବେଙ୍ଗ‌ାଲୁରୁ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ବର ଫେରିବ। ଫେରିବା ପରେ ଟ୍ରଫି ଓଡ଼ିଶାର ସମସ୍ତ ଜିଲ୍ଲା ଯାତ୍ରା କରିବ। ଏହା ମଧ୍ୟ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ୧୭ ବ୍ଲକ୍‌ ବୁଲିବ। ଜାନୁଆରି ୨୯ ତାରିଖରେ ଫାଇନାଲ୍‌ ଖେଳାଯିବାକୁ ଥିବା କଳିଙ୍ଗ ‌ଷ୍ଟାଡିୟମକୁ ଫେରିବା ପୂର୍ବରୁ ରାଉ‌ରକେଲାଠାରେ ଟ୍ରଫିର ଯାତ୍ରା ଶେ‌ଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe