ବିଶ୍ବକପ୍ ପଡ଼ିଆରେ ‘ସମ୍ବାଦ’ : ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କିଂବଦନ୍ତିଙ୍କ ମେଳା

Advertisment
ବିଶ୍ବକପ୍ ପଡ଼ିଆରେ ‘ସମ୍ବାଦ’ :  ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କିଂବଦନ୍ତିଙ୍କ ମେଳା

ବେଙ୍ଗାଲୁରୁ(ସୁରେଶ ସ୍ବାଇଁ): ପ୍ରତିଟି ବିଶ୍ବକପ୍‌ ଆସିବା ସହ ବିଶ୍ବ କ୍ରିକେଟ୍‌କୁ ଏକାଧିକ କିଂବଦନ୍ତି ଦେଇଥାଏ। ବିଶ୍ବକପ୍ ମଇଦାନରେ ସାଧାରଣ ଖେଳାଳିଟିଏ ଅସାଧାରଣ ପ୍ରଦର୍ଶନ କରି କିଂବଦନ୍ତି ପାଲଟିଯାଏ। ଏଥର ମଧ୍ୟ ସେଭଳି କିିଛି ଛାପ ଛାଡ଼ିଯିବେ ଏକାଧିକ ଖେଳାଳି। ରବିବାର ‌ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିଂବଦନ୍ତିଙ୍କୁ ନେଇ ରାହୁଲ ଦ୍ରାବିଡ଼ଙ୍କ ଭାରତ ଖେଳିବା ଆଗରୁ ପଡ଼ିଆ ଭିତରେ ବହୁ ପୁରୁଖା କିଂବଦନ୍ତିଙ୍କ ମେଳା ଲାଗିଥିଲା। ବିଭିନ୍ନ ଭୂମିକାରେ ଏକଜୁଟ ହୋଇଥିଲେ ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ, ଗୁଣ୍ଡାପ୍ପା ବିଶ୍ବନାଥ, ବ୍ରିଜେଶ ପଟେଲ୍‌, ରିଚି ରିଚାର୍ଡସନ୍‌, ଇଆନ ସ୍ମିଥ୍‌, ଅଞ୍ଜୁମ ଚୋପ୍ରା, ସଂଜୟ ମଞ୍ଜରେକର, ‌ଆରୋନ୍ ଫିଞ୍ଚ୍। ଏମାନେ ଦର୍ଶକଙ୍କ ଆକର୍ଷଣରେ ବି ରହିଥିଲେ। ଅଧିକାଂଶ ଭାଷ୍ୟକାର ଭୂମିକାରେ ଥିବାବେଳେ ‌ୱେଷ୍ଟଇଣ୍ଡିଆନ୍ ମହାନ ରିଚି ରିଚାର୍ଡସନ୍‌ ମ୍ୟାଚ୍‌ ରେଫରି ଦାୟିତ୍ବରେ ଥିଲେ। ବିଶ୍ବ କ୍ରିକେଟ୍‌ର ଭାରତୀୟ ସ୍ବର ଭାବେ ପରିଚିତ ବରିଷ୍ଠ ଭାଷ୍ୟକାର ହର୍ଷ ଭୋଗ୍‌ଲେ ଏବଂ ଷ୍ଟୁଆର୍ଟ ବିନ୍ନିଙ୍କ ପତ୍ନୀ ମୟନ୍ତୀ ଲାଙ୍ଗରଙ୍କ ଉପସ୍ଥିତି ମଧ୍ୟ ଏହି ଗୋଷ୍ଠୀର ଗାମ୍ଭୀର୍ଯ୍ୟ ବଢ଼ାଉଥିଲା। ମ୍ୟାଚ୍‌ ପୂର୍ବରୁ କିନ୍ତୁ ବିଶ୍ବ କ୍ରିକେଟର୍‌ ପ୍ରଥମ ବ୍ୟାଟିଂ ମାଷ୍ଟର୍‌ ସୁନିଲ ଗାଭାସ୍କର ଆଇସିସି ବିଶ୍ବକପ୍‌ ଟ୍ରଫିକୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ମଝିରେ ଅବସ୍ଥାପିତ କରି ଏହାକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ସେହିଭଳି ତାଙ୍କ ଭିଣୋଇ ତଥା ଅନ୍ୟତମ ମହାନ ବ୍ୟାଟର୍‌ ଗୁଣ୍ଡାପ୍ପା ବିଶ୍ବନାଥ ମଧ୍ୟ ସାମିଲ ‌ହେବା ସ୍ଥ‌ାନୀୟ ପ୍ରଶଂସକଙ୍କ ପାଇଁ ବଡ଼ ଅବସର ଆଣିଥିଲା।

publive-image

ବିଶ୍ବକପ୍‌ ମଇଦାନରେ ବର୍ଜ୍ୟ ପରିଚାଳନା ବାର୍ତା

ସମଗ୍ର ଦେଶରେ ହେଉ କି ବଡ଼ ବଡ଼ ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ବଡ଼ ସମସ୍ୟା ରହି ଆସିଛି। ଏହାର ସୁରିଚାଳନା ପାଇଁ ବିଶ୍ବକପ୍‌ ମଞ୍ଚକୁ ବ୍ୟବହାର କରିଛି ଏକ ଅନୁଷ୍ଠାନ। ଆରାଧନା ଓ ୟୁନାଇଟେଡ୍‌ ୱେ ମୁମ୍ବାଇ ପକ୍ଷରୁ ରବିବାର ଷ୍ଟ‌ାଡିୟମ୍‌ ପରିସରରେ ବ୍ୟାନର୍ ଶୋଭାଯାତ୍ରା ଓ ପ୍ରଦର୍ଶନ କରାଯାଇଥିଲା। ଷ୍ଟାଡିୟମ୍‌କୁ ସଫା ସୁତୁରା ରଖିବାକୁ ମଧ୍ୟ ପ୍ରଶଂସକଙ୍କୁ ପ୍ରବର୍ତାଉଥିଲେ ଏହି ଗୋଷ୍ଠୀ। ଷ୍ଟାଡିୟମ୍‌କୁ ନିରଂତର ସଫା ରଖିବା ଆମ ଦାୟିତ୍ବ ବୋଲି କୁହାଯାଉଥିଲା।

publive-image

ସେଲିବ୍ରିଟି ୱାଗ୍‌ସଙ୍କ ଉପରେ ନଜର

ଚଳିତ ବିଶ୍ବକପ୍‌ରେ ଖେଳାଳିଙ୍କୁ ସେମାନଙ୍କ ପତ୍ନୀ କି ପ୍ରେମିକା (ୱାଗ୍‌ସ)ଙ୍କ ସହ ରହିବା କି ଯାତ୍ରା କରିବା ଉପରେ କଟକଣା ରହିଛି। କିନ୍ତୁ ଭାରତୀୟ ଖେଳାଳିଙ୍କ ୱାଗ୍‌ସଙ୍କ ମଧ୍ୟରେ ଇତିମଧ୍ୟରେ ବଂଧନ ବଢ଼ିିଛି। ସେମାନେ ଏକ ନିଆରା ଦଳ ଗଢ଼ିବା ଭଳି ସମାନ୍ତରାଳ ଭାବେ ଏ ସହରରୁ ସେ ସହର ଯାତ୍ରା କରୁଥିବା ରବିବାର ମ୍ୟାଚ୍‌ ପୂର୍ବରୁ ସ୍ପଷ୍ଟ ହୋଇଥିଲା। ମ୍ୟାଚ୍‌ ଆରମ୍ଭର ଦେଢ଼ ଘଣ୍ଟା ପୂର୍ବରୁ ଗୋଟିଏ ଦଳ ହୋଇ ଏମାନେ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଆସିଥିଲେ। ସେମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ଋତିକା, ଉପଅଧିନାୟକ କେଏଲ୍ ରାହୁଲଙ୍କ ଅଭିନେତ୍ରୀ ପତ୍ନୀ ଆଥିଆ ସେଟ୍ଟୀ, ରବୀନ୍ଦ୍ର ଜାଡ଼େଜାଙ୍କ ବିଧାୟିକା ପତ୍ନୀ ରିଭାଭା ଏବଂ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଉପରେ ଅଧିକାଂଶଙ୍କ ନଜର ରହିଥିଲା।

ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରୁ ବରିଷ୍ଠ କ୍ରୀଡ଼ା ସଂପାଦକ ସୁରେଶ ସ୍ବାଇଁଙ୍କ ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe