କିଂବଦନ୍ତିଙ୍କ କୋଭିଡ୍‌-୧୯ ଲଢ଼େଇ ଉଦାହରଣ

କିଂବଦନ୍ତିଙ୍କ କୋଭିଡ୍‌-୧୯ ଲଢ଼େଇ ଉଦାହରଣ

କୋଲକାତା: ଅଶି ଓ ନବେ ବର୍ଷ ବୟସ ଅତିକ୍ରମ କରି ସାରିଥିବା କୋଲକାତାର କିଛି ବିଗତ ଦିନର ତାରକା କ୍ରୀଡ଼ାବିତ୍‌ କୋଭିଡ୍‌-୧୯ ଲଢ଼େଇରେ ବି ଉଦାହରଣ ଛାଡ଼ିଛନ୍ତି। ୧୯୬୨ ମସିହା ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ଅଧିନାୟକ ଚୁନି ଗୋସ୍ବାମୀ ଏମାନଙ୍କ ମଧ୍ୟରେ ଅନ୍ୟତମ। ନିକଟରେ ପରଲୋକ ଗମନ କରିଥିବା କିଂବଦନ୍ତି ଫୁଟ୍‌ବଲର୍‌ ପିକେ ବାନାର୍ଜୀଙ୍କ ସାଥୀ ଖେଳାଳି ଚୁନି ଗୋସ୍ବାମୀ ଏବେ ସୁଗାର, ପ୍ରୋଷ୍ଟ୍ରେଟ୍‌ ଏବଂ ସ୍ନାୟୁ ସମସ୍ୟାରେ ରହିଛନ୍ତି। ୨୧ ଦିନିଆ ଲକ୍‌ଡାଉନ୍ କାରଣରୁ ମେଡିକାଲ୍‌ ସୁପରଭାଇଜର ଆସିପାରୁନଥିବାରୁ ୮୨ ବର୍ଷୀୟ ଶ୍ରୀ ଗୋସ୍ବାମୀଙ୍କ ଦୈନିକ ଇନ୍‌ସୁଲିନ୍‌କୁ ତାଙ୍କ ପତ୍ନୀ ବାସନ୍ତି କୌଣସି ପ୍ରକାର ଚଳାଇ ନେଉଛନ୍ତି। ସେ ଦୈନିକ ୧୦ଟି ବିଭିନ୍ନ ପ୍ରକାର ଔଷଧ ନେଇଥାନ୍ତି, ମୁଁ ଏସବୁ ଚଳାଇ ନେଉଛି। ଅଦ୍ୟାବଧି କିଛି ଅସୁବିଧାର ସମ୍ମୁଖୀନ ହୋଇନାହୁଁ ବୋଲି କହିଛନ୍ତି ବାସନ୍ତି। ଏଲପିଜି ପାଇବାରେ ଅସୁବିଧା ହେଉଥିଲା କିନ୍ତୁ ଲେକ୍ ଟାଉନ୍ ପୋଲିସ୍ ସହାୟତା କରିଥିଲା ବୋଲି କହିଥିଲେ ବାସନ୍ତି। ସେହିଭଳି ୯୪ ବର୍ଷୀୟ ଯୁଗଳ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ହକି ଖେଳାଳି କେଶବ ଦତ୍ତଙ୍କୁ ମଧ୍ୟ ଅସୁବିଧାରେ ପକାଇ ପାରିନାହିଁ ଲକ୍‌ଡାଉନ୍‌। ବିଦେଶରେ ଥିବା ତାଙ୍କ ପିଲାମାନେ ଆସିପାରିନଥିଲେ ମଧ୍ୟ ଘରୋଇ ଚାକରାଣୀ ମାୟା ଦେବୀ ସବୁ ଚଳାଇ ନେଉଛନ୍ତି। ହ୍ବିଲ୍‌ଚେୟାରରେ ଜୀବନ କାଟୁଛନ୍ତି କେଶବ ଦତ୍ତ। ଆଗରୁ ସେ ଲନ୍‌ରେ ସକାଳେ ଓ ସଂଧ୍ୟାରେ ବୁଲୁଥିଲେ ମଧ୍ୟ କରୋନା କାରଣରୁ ଯାଉନାହାନ୍ତି।

ଟିଭି ଦେଖିବା ସହିତ ସଂଧ୍ୟାରେ ପିଲାଙ୍କ ସହ ଫୋନ୍‌ରେ କଥା ହୋଇ ସମୟ କାଟୁଛନ୍ତି। ତାଙ୍କ ମାସିକ ଔଷଧ ନେଇ ଆସିଛି ଏବଂ କୌଣସି ବାହାର ଲୋକଙ୍କୁ ଘରକୁ ଆସିବାକୁ ଦେଉନାହିଁ ବୋଲି ନିଜ ଘର ବଦଳରେ ଏବେ କେଶବଙ୍କ ସହ ରହୁଥିବା ମାୟା ପ୍ରକାଶ କରିଛନ୍ତି। ଅନ୍ୟତମ ବୟସ୍କ ଖେଳାଳି ହେଲେ ୧୯୫୬ ମେଲବର୍ନ ଅଲିମ୍ପିକ୍ସ ଭାରତୀୟ ଫୁଟ୍‌ବଲ୍‌ ଦଳ ଅଧିନାୟକ ସମର ବଦ୍ରୁ ବାନାର୍ଜୀ। ୯୨ ବର୍ଷ ବୟସରେ ବି ଫିଟ୍‌ ଅଛନ୍ତି ଏହି ଖେଳାଳି। କିନ୍ତୁ ଲକ୍‌ଡାଉନ୍ କାରଣରୁ ତାଙ୍କ ପ୍ରାତଃ ଭ୍ରମଣ ବନ୍ଦ ରହିଛି। ଘରେ ରହି କେବଳ କିଛି ବ୍ୟାୟାମ କରୁଛି। ଏବେ ଜୀବନ ଓ ମରଣ ମଝିରେ ରହିଛି ମଣିଷ। କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଘରେ ରହିବା ଏକମାତ୍ର ସୂତ୍ର ବୋଲି କହିଥିଲେ ବାନାର୍ଜୀ। ଲକ୍‌ ଡାଉନ୍ ପୂର୍ବରୁ ପୂର୍ବତନ ହକି ଅଧିନାୟକ ଗୁରବକ୍ସ ସିଂହ ମଧ୍ୟ ନିଜ ପୁଅ ପାଖକୁ ଗୁରଗାଁଓ ଯିବାର ଥିଲେ ମଧ୍ୟ ଟିକେଟ୍ ବାତିଲ କରି ଘରେ ରହିଛନ୍ତି। ନ୍ୟୁୟର୍କରେ ଥିବା ଝିଅ ମଧ୍ୟ ଆସିପାରିନାହିଁ। ତେଣୁ ନିଜ ନିଜ ଘରେ ଆମେ ଅଟକି ରହିଛୁ ବୋଲି କହିଥିଲେ ଏହି ୮୪ ବର୍ଷୀୟ ଅଲିମ୍ପିକ୍ ପଦକ ବିଜେତା। ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ଜିତିଥିଲେ ଗୁରବକ୍ସ। ଦ୍ବିତୀୟ ବିଶ୍ବଯୁଦ୍ଧକୁ ମନେ ପକାଇ ଗୁରବକ୍ସ କହିଥିଲେ ବର୍ତମାନର ସଙ୍କଟ ଭଳି ପରିସ୍ଥିତି ପୂର୍ବରୁ କେବେ ଦେଖିନଥିଲି। ଏବେ ଆର୍ଥାଇଟିସ୍ ପୀଡ଼ିତ ପତ୍ନୀଙ୍କୁ ବି ଡାକ୍ତରଙ୍କ ପାଖକୁ ନେଇ ପାରୁନାହିଁ। ଭିଡିଓ କଲ୍ ମାଧ୍ୟମରେ ଯାହା ଚଳାଇନେଉଛି ବୋଲି କହିଥିଲେ ଗୁରବକ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe