ନ୍ୟୁଜିଲାଣ୍ଡ୍‌ରେ ଭାରତ ପାଇଁ ସଂଖ୍ୟା ସମସ୍ୟା, ୫ ଟ୍ବେଣ୍ଟି-୨୦ରୁ ଜିତିଛି ମାତ୍ର ୧

ନ୍ୟୁଜିଲାଣ୍ଡ୍‌ରେ ଭାରତ ପାଇଁ ସଂଖ୍ୟା ସମସ୍ୟା, ୫ ଟ୍ବେଣ୍ଟି-୨୦ରୁ ଜିତିଛି ମାତ୍ର ୧

ନୂଆଦିଲ୍ଲୀ: ୨୦୨୦ ହେଉଛି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବର୍ଷ। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଏହି ବିଶ୍ବକପ୍‌। ତେଣୁ କ୍ରିକେଟ୍‌ ଦୁନିଆର ସମସ୍ତଙ୍କ ନଜର ଏହି ଫଟାଫଟ୍‌ ଫର୍ମାଟ୍‌ ଉପରେ ରହିଛି। ଭାରତ ମଧ୍ୟ ଏପରି ଏକ ଦଳ ଯିଏକି ଉଭୟ ଟେ‌ଷ୍ଟ ଓ ଟ୍ବେଣ୍ଟି-୨୦ରେ ଆଧିପତ୍ୟ ବିସ୍ତାର କରିଆସୁଛି। ହେଲେ ନ୍ୟୁଜିଲାଣ୍ଡ୍‌ରେ ହେଉ କିମ୍ବା ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତୀୟ ଦଳ ଏହି ଫର୍ମାଟ୍‌ରେ ଏବେ ବି ତା’ର ପ୍ରାଧାନ୍ୟ ବିସ୍ତାର କରିପାରିନାହିଁ। ଏପରିକି ପରସ୍ପର ମୁକାବିଲା‌ରେ ନ୍ୟୁଜିଲାଣ୍ଡ୍‌ ହିଁ ସବୁବେଳେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଯାହା ଫଳରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ ୧୧ ଟ୍ବେଣ୍ଟି-୨୦ ମ୍ୟାଚ୍‌ ‌ଖେଳିଥିଲା ବେଳେ ସେଥିରୁ ମାତ୍ର ୩ ଜିତିଛି। ଏଥିରେ ଭାରତର ବିଜୟ ପ୍ରତିଶତ ରହିଛି ୨୭.୨୭। ଯାହାକି କୌଣସି ବି ଦଳ ବିପକ୍ଷ ବିଜୟ ପ୍ରତିଶତ (ଅତି କମ୍‌ରେ ୫ ମ୍ୟାଚ୍‌ ଆଧାରରେ) ତୁଳନାରେ ଭାରତର ଏହି ସଂଖ୍ୟା ଅତ୍ୟନ୍ତ ନିରୁତ୍ସାହଜନକ। ପୁଣି ନ୍ୟୁଜିଲାଣ୍ଡ୍‌ ପରିବେଶରେ ମଧ୍ୟ ଭାରତକୁ ସବୁବେଳେ ସଂଘର୍ଷ କରିବାକୁ ପଡ଼ିଛି। ସେହି ଦେଶରେ ଭାରତର ବିଜୟ ପ୍ରତିଶତ ୨୦ ରହିଛି। ଯାହାକି ଅନ୍ୟ କୌଣସି ରାଷ୍ଟ୍ର ତୁଳନାରେ ନିକୃଷ୍ଟ। ଭାରତ ମୋଟ ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତିପାରିଛି। ମୋଟ ଉପରେ ନ୍ୟୁଜିଲାଣ୍ଡ ମାଟିରେ ମଧ୍ୟ ଭାରତର ଟ୍ବେଣ୍ଟି-୨୦ ଶୃଙ୍ଖଳା ଫଳାଫଳ ଦୟନୀୟ ରହିଛି। ୨୦୦୮-୦୯ରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଯାଇ ୦-୨ରେ ହାରିଯାଇଥିଲା। ଏହାପରେ ୨୦୧୮-୧୯ରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ମଧ୍ୟ ଘରୋଇ ଦଳ ନିକଟରୁ ଭାରତ ୧-୨ରେ ହାରିଯାଇଥିଲା।

ଏପରିସ୍ଥଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ ଆସନ୍ତା ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ତା’ ଘରୋଇ ମାଟିରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ସମସ୍ୟାର ପାହାଡ଼ ଭିତରେ ଥିବା ଭାରତୀୟ ଦଳର ନିରାଶାଜନକ ଫଳାଫଳରେ ଉନ୍ନତି ଆଣିବାରେ କୋହଲି ବାହିନୀ ଆଗରେ ବଡ଼ ସୁଯୋଗ ରହିବ। ନିକଟରେ ଏହି ଫର୍ମାଟ୍‌ରେ ଯଦିଓ ଭାରତ ଭଲ ପ୍ରଦର୍ଶନ କରିଛି, ତଥାପି ବୋଲରଙ୍କୁ ଅଧିକମାତ୍ରା‌ରେ ସୁହାଉଥିବା ନ୍ୟୁଜିଲାଣ୍ଡ ପିଚ୍‌ରେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe