ଷ୍ଟାଡିୟମକୁ ମଦ ମନା

ଷ୍ଟାଡିୟମକୁ ମଦ ମନା

ଦୋହା : କାତାରରେ ରବିବାରଠୁ ଆରମ୍ଭ ହେବ ଫିଫା ବିଶ୍ବକପ୍‌। ଏହି ବିଶ୍ବକପ୍‌ରେ ଷ୍ଟାଡିୟମକୁ ମଦ ବାରଣ କରାଯାଇଛି ବୋଲି ଶୁକ୍ରବାର ବିଶ୍ବ ଫୁଟ୍‌ବଲ୍‌ ପରିଚାଳନା ସଂସ୍ଥା ଫିଫା ସୂଚନା ଦେଇଛି। ‘‘ଫିଫା ଓ ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କାତାର ଫିଫା ବିଶ୍ୱକପ୍‌ ସମୟରେ ଷ୍ଟାଡିୟମ ଭିତରେ ବିୟର ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ମଦ ବିକ୍ରି ପାଇଁ ଲାଇସେନ୍ସ ପାଇଥିବା ଏବି ଇନ୍‌ବେଭ୍‌ ଏଥିରେ ରାଜି ହୋଇଛି। ଏଥିସହ କମ୍ପାନି ମଧ୍ୟ ନିଜର ସହଯୋଗ ଜାରି ରଖିବାକୁ ସମ୍ମତି ଦେଇଛି। ତେଣୁ କମ୍ପାନି‌କୁ ଆୟୋଜନ କମିଟି ଧନ୍ୟବାଦ ଜଣାଇଛି’’ ବୋଲି ଫିଫା ମୁଖପାତ୍ର ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। କାତାରରେ ସର୍ବସାଧାରଣରେ ଆଲ୍‌କହଲ୍‌ ବ୍ୟବହାର କରିବାକୁ ବାରଣ ରହିଛି। ହେଲେ ଫିଫା ବିଶ୍ବକପ୍‌କୁ ନଜରରେ ରଖି କିଛି ସତର୍କତା ସହ ଅନୁମତି ଦେଇଥିଲା ଆୟୋଜକ ଦେଶ। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ନିଷେଧ ହେବାପରେ କେବଳ ବିନା ଆଲକହଲ ଥିବା ବିୟର ବିକ୍ରି ହୋଇପାରିବ।

ପୋଷାକ କଟକଣାରେ କୋହଳ
ବିଶ୍ବକପ୍‌କୁ ନଜରରେ ରଖି ପ୍ରଶଂସକଙ୍କ ପୋଷାକ ପରିଧାନ ଉପରେ ଥିବା କଟକଣାରେ ସାମାନ୍ୟ କୋହଳ କରିଛନ୍ତି କାତାର ସରକାର। କିନ୍ତୁ ସ୍ଥାନୀୟ ସଂସ୍କୃତିକୁ ସମ୍ମାନ ଜଣାଇ ପ୍ରଶଂସକମାନେ ପୋଷାକ ପରିଧାନ କରିବାକୁ ଅନୁରୋଧ କରାଯାଇଛି। ଉଭୟ ପୁରୁଷ ଓ ମହିଳାମାନେ କାନ୍ଧ ଓ ଆଣ୍ଠୁ ଘୋଡ଼ାଇବା ଭଳି ପୋଷାକ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ‌ତେବେ ସାଧାରଣ ସ୍ଥାନମାନଙ୍କରେ ମାତ୍ରାଧିକ ‌ଖୋଲା ଶରୀର ପୋଷାକ ପରିଧାନ ନକରିବାକୁ ମଧ୍ୟ କୁହାଯାଇଛି। ସେହିଭଳି କାତାରର ଆଇନ ଓ ସଂସ୍କୃତି ନିୟମ ଅନୁସାରେ ମଦ୍ୟପାନ, ଡ୍ରଗ୍ସ, ଯୌନ କାର୍ଯ୍ୟକଳାପ ଓ ପୋଷାକ ଆଦି ଉପରେ କଟକଣା ବଳବତ୍ତର ରହିଛି। ବିୟର ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲ‌‌ାଗୁ କରାଯାଇଛି। ନଭେମ୍ବର ୨୦ ତାରିଖ ରବିବାର ପ୍ରଥମ ଦିବସରେ ଉକ୍ବେଡର୍‌-କାତାର ମୁକାବିଲାରୁ ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ ଆରମ୍ଭ ହେବ। ୫ ସହରର ମୋଟ ୮ଟି ଷ୍ଟାଡିୟମ୍‌ରେ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ବ୍ରାଜିଲ୍‌ରେ ବିଶ୍ବକପ୍‌ ଜ୍ବର
ରିଓ ଡି ଜାନିରୋ : ପ୍ରତି ଥର ଭଳି ଫିଫା ବିଶ୍ବକପ୍‌ ଜ୍ବରରେ ଏବେ ଆକ୍ରାନ୍ତ ହୋଇଗଲାଣି ସମଗ୍ର ବ୍ରାଜିଲ୍‌। ବିଶ୍ବକପ୍‌ ଇତିହାସର ସଫଳ ଦେଶ ଭାବେ ବ୍ରାଜିଲ୍‌ ପ୍ରତି ଥର ଅଂଶଗ୍ରହଣ କରିବା ସହ ଏକମାତ୍ର ଦେଶ ଭାବେ ୫ ଥର ବିଜେତା ହୋଇଛି। କାତାରରେ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଥର ସଂସ୍କରଣରେ ମଧ୍ୟ ଷଷ୍ଠ ବିଶ୍ବମୁକୁଟ ଲକ୍ଷ୍ୟରେ ରହିଛି ବ୍ରାଜିଲ୍‌। ବ୍ରାଜିଲ୍ ଏବେ ବିଶ୍ବ ମାନ୍ୟତାର ଶୀର୍ଷରେ ରହିଛି ଏବଂ ଯୋଗ୍ୟତା ପର୍ଯ୍ୟାୟରେ ଅପରାଜେୟ ରହି କାତାର ଆସିଛି। ବୁକିମାନେ ମଧ୍ୟ ବ୍ରାଜିଲ୍‌ ବିଶ୍ବକପ୍ ଜିତିବ ବୋଲି ଆକଳନ କରିଛନ୍ତି। ବ୍ରାଜିଲ୍‌ ନଭେମ୍ବର ୨୪ ତାରିଖରେ ସର୍ବିୟା ସହ ଖେଳି କାତାର ଅଭିଯାନ ଆରମ୍ଭ କରିବ। ଏହା ପରେ ସ୍ବିଜରଲାଣ୍ଡ୍‌ ଓ କାମେରୁନ୍ ବିପକ୍ଷରେ ନିଜ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe