Wikipedia
ଲର୍ଡସ୍: ଇଂଲଣ୍ଡ ଗସ୍ତକୁ ପାକିସ୍ତାନ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ଐତିହାସିକ ଲର୍ଡସ୍ ପଡ଼ିଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍କୁ ଅତିଥି ଦଳ ୯ ଓ୍ଵିକେଟ୍ରେ ସହଜରେ ଜିତି ୨ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଲର୍ଡସ ପଡ଼ିଆରେ ମଧ୍ୟ ପାକିସ୍ତାନ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ୨ ବର୍ଷ ତଳେ ପାକିସ୍ତାନ ଏଠାରେ ମଧ୍ୟ ବିଜୟୀ ହୋଇଥିଲା। ଦ୍ୱିତୀୟ ତଥା ଶେଷ ଟେଷ୍ଟ୍ ଜୁନ୍ ପହିଲାରୁ ହେଡିଙ୍ଗ୍ଲେରେ ଖେଳାଯିବ। ରବିବାର ପାକିସ୍ତାନର ବିଜୟ କେବଳ ଔପଚାରିକତା ଭଳି ହୋଇଥିଲା। ୨୩୫/୬ରୁ ଖେଳିଥିବା ଇଂଲଣ୍ଡର ଦ୍ୱିତୀୟ ପାଳି ବିଶେଷ ଆଗକୁ ବଢ଼ି ପାରିନଥିଲା। ମାତ୍ର ୪.୧ ଓଭର ଭିତରେ ଇଂଲଣ୍ଡ ଶେଷ ୪ ଓ୍ଵିକେଟ୍ ହରାଇଥିଲା। ଶେଷ ୪ ଓ୍ଵିକେଟ୍ ୬ ରନ୍ ଭିତରେ ହିଁ ଝଡ଼ିପଡ଼ିଥିଲା। ସପ୍ତମ ଓ୍ଵିକେଟ୍ ପାଇଁ ୧୨୬ ରନ୍ ଯୋଡ଼ିଥିବା ଜୋସ୍ ବଟଲର୍ (୬୭, ୧୩୮ ବଲ୍, ୬ ଚୌକା) ଏବଂ ଡୋମିନିକ୍ ବେସ୍ (୫୭, ୧୦୬ ବଲ୍, ୮ ଚୌକା)ଙ୍କୁ ହରାଇବା ପରେ ବଡ଼ ଲକ୍ଷ୍ୟ ଦେବାର ସୁଯୋଗ ହାତଛଡ଼ା କରିଥିଲା। ଇଂଲଣ୍ଡ ପାଳି ୨୪୨ ରନ୍ରେ ସୀମିତ ରହିଯିବାରୁ ପାକିସ୍ତାନ ସମ୍ମୁଖରେ ମାତ୍ର ୬୪ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦଳ ୧୨.୪ ଓଭରରେ ଏକମାତ୍ର ଓ୍ଵିକେଟ୍ ହରାଇ ସଂଗ୍ରହ କରି ନେଇଥିଲା। ଉଭୟ ପାଳିରେ ୪ ଲେଖାଏଁ ଓ୍ଵିକେଟ୍ ନେଇଥିବା ଦ୍ରୁତ ବୋଲର୍ ମହମ୍ମଦ ଆବାସ୍ (୮/୬୪)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୧୮୪ (ଆଲେଷ୍ଟର୍ କୁକ୍-୭୦, ମହମ୍ମଦ ଆବାସ-୪/୨୩, ହାସନ୍ ଅଲୀ-୪/୫୧)। ପାକିସ୍ତାନ ପ୍ରଥମ ପାଳି: ୩୬୩ (ବାବର ଆଜମ-୬୮, ଅସଦ୍ ସଫିକ୍-୫୯, ସାଦବ ଖାନ୍-୫୨, ଆଝାର୍ ଅଲୀ-୫୦, ବେନ୍ ଷ୍ଟୋକ୍ସ-୩/୭୩, ଜେମ୍ସ ଆଣ୍ଡରସନ୍-୩/୮୨)। ଇଂଲଣ୍ଡ ଦ୍ୱିତୀୟ ପାଳି: ୨୪୨ (ଜୋ ରୁଟ୍-୬୮, ଜୋସ୍ ବଟଲର୍-୬୭, ଡୋମିନିକ୍ ବେସ୍-୫୭, ମହମ୍ମଦ ଆମିର୍-୪/୩୬, ମହମ୍ମଦ ଆବାସ୍-୪/୪୧, ସାଦବ୍ ଖାନ୍-୨/୬୩)। ପାକିସ୍ତାନ ଦ୍ୱିତୀୟ ପାଳି: ୧୨.୪ ଓଭରରେ ୬୬/୧ (ହାରିସ୍ ସୋହେଲ୍-୩୯*, ଇମାମ୍ ଉଲ୍ ହକ୍-୧୮*, ଜେମ୍ସ ଆଣ୍ଡରସନ୍-୧/୧୨)।
Follow Us