ଦ୍ବିତୀୟ ପଦକ ପକ୍କା କଲେ ଲଭ୍‌ଲିନା

Advertisment
ଲଭ୍‌ଲିନାଙ୍କ ଅଲିମ୍ପିକ୍ସ ଯାତ୍ରାର ରୋଚକ କାହାଣୀ

The Indian Express

ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ବିତୀୟ ପଦକ ସୁନିଶ୍ଚିତ କରିଛନ୍ତି ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବୋର୍ଗୋହାଁ। ଭାରୋତ୍ତୋଳିକା ମୀରାବାଇ (ରୌପ୍ୟ) ଚାନୁ ପ୍ରଥମ ଦିନରେ ଭାରତକୁ ପ୍ରଥମ ପଦକ ଭେଟି ଦେବାର ୫ ଦିନ ପରେ ଏହି ଶୁଭଖବର ମିଳିଛି। ଶୁକ୍ରବାର ୨୩ ବର୍ଷୀୟା ଆସାମ ଲଳନା ଲଭ୍‌ଲିନା ମହିଳା ୱାଲଟରୱେଟ୍‌ (୬୪-୬୯ କିଲୋଗ୍ରାମ)ର କ୍ବାର୍ଟର ଫାଇନାଲ୍‌ରେ ପୂର୍ବତନ ବିଶ୍ବ ବିଜୟିନୀ ଚାଇନିଜ୍‌ ତାଇପେଇର ନିନ୍‌-ଚିନ୍‌ ଚେନ୍‌ଙ୍କୁ ୪-୧ରେ ପରାସ୍ତ କରି ଏହି ପ୍ରତୀକ୍ଷିତ ସଫଳତା ଲାଭ କରିଛନ୍ତି। ସେମିଫାଇନାଲ୍‌ରେ ପ୍ରବେଶ କରିବା ପରେ ସେ ଅନ୍ୟୂନ କାଂସ୍ୟ ପଦକ ଜିତିବା ପକ୍କା ହୋଇଛି। ତାଙ୍କ ପାଖରେ କିନ୍ତୁ ଏବେବି ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି। ଏଥିଲାଗି ଲଭ୍‌ଲିନାଙ୍କୁ ସେମିଫାଇନାଲ୍ ସହ ଫାଇନାଲ୍ ଲଢ଼େଇ ଜିତିବାକୁ ହେବ। ଅର୍ଜୁନ ପୁରସ୍କାରପ୍ରାପ୍ତ ଲଭ୍‌ଲିନା ସେମିଫାଇନାଲ୍‌ରେ ବିଶ୍ବ ବିଜୟିନୀ ବୁସେନାଜ ସୁର୍ମେନେଲିଙ୍କୁ ଭେଟିବେ। ଏହି ମ୍ୟାଚ୍ ତାଙ୍କ ପାଇଁ ନିଶ୍ଚିତ ଭାବେ ଏକ ମସ୍ତବଡ଼ ଚ୍ୟାଲେଞ୍ଜ୍ ହେବ। ପୂର୍ବରୁ କେବଳ ବି‌ଜେନ୍ଦର ସିଂହ (୨୦୦୮) ଏବଂ ଏମ୍‌ସି ମେରିକମ୍‌ (୨୦୧୨) ଭାରତ ପାଇଁ ମୁଷ୍ଟିଯୁଦ୍ଧରେ ଅଲିମ୍ପିକ୍ସ ପଦକ ଜିତିଛନ୍ତି। ଶକ୍ତି ଓ ସାମର୍ଥ୍ୟଭରା ଖେଳ ମୁଷ୍ଟିଯୁଦ୍ଧରେ ଅଲିମ୍ପିକ୍ସ ପଦକ ଜିତିବାରେ ଭାରତର ତୃତୀୟ ମୁଷ୍ଟିଯୋଦ୍ଧା ଓ ଦ୍ବିତୀୟ ମହିଳା ହୋଇଛନ୍ତି ଲଭ୍‌ଲିନା। ମୁଷ୍ଟିଯୁଦ୍ଧ ସହ ଶୁକ୍ରବାର ଭାରତକୁ ବ୍ୟାଡମିଣ୍ଟନ୍ କୋର୍ଟରୁ ମଧ୍ୟ ଆଉ ଏକ ଶୁଭଖବର ମିଳିଥିଲା। ରିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ ‌ସେମିଫାଇନାଲ୍‌ରେ ପହଞ୍ଚି ପଦକ ଜିତିବାର ଦ୍ବାର ଦେଶରେ ପହଞ୍ଚିଯାଇଛନ୍ତି। ସେହିଭଳି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତି ପ୍ରଶଂସକଙ୍କୁ ଖୁସି କରି ଦେଇଛନ୍ତି। ପୁରୁଷ ହକି ଦଳ ନିଜ ଗ୍ରୁପ୍‌ରୁ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇ ପଦକ ବିଜୟ ଆଶାକୁ ଉଜ୍ଜୀବିତ ରଖିଛି।

ଜନ୍ମରୁ ଯୋଦ୍ଧା
ପଦକ ପକ୍କା କରିବା ପରେ ଲଭ୍‌ଲିନାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଷ୍ଟିଯୁଦ୍ଧରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ସ ପଦକ ବିଜେତା ବିଜେନ୍ଦର ସିଂହ (କାଂସ୍ୟ, ୨୦୦୮) ଲଭ୍‌ଲିନାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘‘ଆମ କ୍ଲବ୍‌ରେ ସାମିଲ ପାଇଁ ସ୍ବାଗତ’’। ‘‘ଆମେ ଏହି ପଦକ ଅପେକ୍ଷାରେ ଥିଲୁ, ସମସ୍ତେ ଏଥିପାଇଁ ବହୁ ପରିଶ୍ରମ କରିଛନ୍ତି। ତୁମ ପାଇଁ ମୁଁ ବହୁତ ଗର୍ବିତ’’ ବୋଲି ଚଳିତ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍‌ରୁ ଦୁଃଖଦ ବିଦୟ ନେଇଥିବା ୨୦୧୨ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ମେରିକମ୍‌ ଲେଖିଛନ୍ତି। ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍‌ଆଇ) ସଭାପତି ଅଜୟ ସିଂହ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ‘‘ତୁମେ ଜନ୍ମରୁ ଯୋଦ୍ଧା, ଆମେ ଏହି ସମୟକୁ ଅପେକ୍ଷା କରିଥିଲୁ’’।

ଲଭ୍‌ଲିନାଙ୍କ ପୂର୍ବରୁ ଶୁକ୍ରବାର ଖେଳାଯାଇଥିବା ମହିଳା ମୁଷ୍ଟିଯୁଦ୍ଧ (୫୭-୬୦ କେଜି) ପ୍ରିକ୍ବାର୍ଟର ଫାଇନାଲ୍‌ରେ ସିମ୍ରନଜିତ କୌର ହାରି ବିଦାୟ ନେଇଥିଲେ। ୪ ନମ୍ବରପ୍ରାପ୍ତ ଏହି ଭାରତୀୟ ମୁଷ୍ଟିଯୋଦ୍ଧା ନିରାଶଜନକ ପ୍ରଦର୍ଶନ କରି ୦-୫ରେ ଥାଇଲାଣ୍ଡର ସୁଦାପର୍ନ ସୀସୋନ୍ଦୀଙ୍କଠୁ ପରାସ୍ତ ହୋଇଥିଲେ।

publive-image

ସେମିରେ ସିନ୍ଧୁ
ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଦିଗରେ ଆଉ ଗୋଟେ ପାଦ ଆଗକୁ ବଢ଼ାଇଛନ୍ତି ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ରିଓ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୩, ୨୨-୨୦ରେ ଜାପାନ୍‌ର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ପ୍ରଥମ ୩ ପଏଣ୍ଟ୍‌ ୟୁମାଗୁଚି ହାସଲ କରି ବିଶ୍ବ ବିଜୟିନୀ ସିନ୍ଧୁଙ୍କ ଉପରେ ଚାପ ପକାଇଥିଲେ। ହେଲେ ଏହା ପରେ ସିନ୍ଧୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରଥମ ସେଟ୍‌କୁ ୨୧-୧୩ରେ ଜିତିନେଇଥିଲେ। ଦ୍ବିତୀୟ ସେଟ୍‌ରେ କଡ଼ା ସଂଘର୍ଷ ହୋଇଥିଲେ ମଧ୍ୟ ୨୨-୨୦ରେ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ ସିନ୍ଧୁ। ଫଳରେ ସିନ୍ଧୁ ଏବେ ପଦକଠୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଶନିବାର ସେମିଫାଇନାଲ୍‌ରେ ସେ ଚାଇନିଜ୍‌ ତାଇପେର ତାଇ ଟିଜୁ ୟିଙ୍ଗ୍‌ଙ୍କୁ ଭେଟିବେ। ୟିଙ୍ଗ୍‌ ୧୪-୨୧, ୨୧-୧୮, ୨୧-୧୮ରେ ଥାଇଲାଣ୍ଡର ରାଚାନୋକ ଇନ୍‌ଥାନୋକଙ୍କୁ ହରାଇଥିଲେ। ୟିଙ୍ଗ୍‌ଙ୍କୁ ପରାସ୍ତ କରିପାରିଲେ ସିଦ୍ଧୁ କ୍ରମାଗତ ଅଲିମ୍ପିକ୍ସରେ ପଦକ ଜିତିବାର ଗୌରବ ବହନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe