ଲାହିରୁ-ଅଞ୍ଜେଲୋଙ୍କ ଲଢ଼ୁଆ ବ୍ୟାଟିଂ

Advertisment

ପୂଜାରାଙ୍କ ଅର୍ଧଶତକ ସତ୍ତ୍ୱେ ଭାରତ ୧୭୨

ପୂଜାରାଙ୍କ ଅର୍ଧଶତକ ସତ୍ତ୍ୱେ ଭାରତ ୧୭୨

ଲାହିରୁ-ଅଞ୍ଜେଲୋଙ୍କ ଲଢ଼ୁଆ ବ୍ୟାଟିଂ

କୋଲକାତା: ପାଗ ସୁଧୁରିବା ସହ ଇଡେନ୍‌ ଗାର୍ଡେନ୍ସ ପିଚ୍‌ କ୍ରମଶଃ ବ୍ୟାଟିଂ ଉପଯୋଗୀ ହେବାରେ ଲାଗିଛି। ଆଉ ଏହାର ପୂରା ଫାଇଦା ଭ୍ରମଣକାରୀ ଶ୍ରୀଲଙ୍କା ଲଠାଇଛି। କଷ୍ଟକର ପିଚ୍‌ରେ ମାତ୍ର ୩୪ ରନ୍‌ରେ ୨ ଓ୍ଵିକେଟ୍‌ ହରାଇଥିବା ସିଂହଳୀ ଦଳ ଲାହିରୁ ଥିରିମାନେ (୫୧) ଏବଂ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ (୫୨)ଙ୍କ ଅର୍ଧଶତକ ପାଇଁ ସୁରକ୍ଷିତ ସ୍ଥିତିରେ ପହଞ୍ଚି ଯାଇଛି। ଲାହିରୁ-ଆଞ୍ଜେଲୋ ତୃତୀୟ ଓ୍ଵିକେଟ୍‌ରେ ୯୯ ରନ୍‌ ଯୋଡ଼ିବା ପରେ ଶ୍ରୀଲଙ୍କା ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରି ନେଇଛି। ଫଳରେ ହାତରେ ଆଉ ୬ ଓ୍ଵିକେଟ୍‌ ଥାଇ ଭାରତର ପ୍ରଥମ ପାଳି ସ୍କୋର ୧୭୨ ରନ୍‌ଠାରୁ ମାତ୍ର ୭ ରନ୍‌ ପଛରେ ରହିଛି। ପ୍ରଥମ ଦୁଇ ଦିନ ଭଳି ଶନିବାର ମଧ୍ୟ ବଲ୍‌ ଉଭୟ ଦ୍ରୁତ ଏବଂ ସ୍ପିନ୍‌ ବୋଲରଙ୍କୁ ସୁହାଇଥିଲା। ହେଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ ସାହସର ସହ ପ୍ରତିଆକ୍ରମଣ କରି ସଫଳ ହୋଇଥିଲେ। ଉଭୟ ଆଞ୍ଜେଲୋ ଏବଂ ଲାହିରୁଙ୍କୁ ଉମେଶ ଯାଦବ ପାଭିଲିୟନ ଫେରାଇ ଭାରତକୁ ଆଶ୍ୱସ୍ତ କରିଛନ୍ତି। ହେଲେ ମହମ୍ମଦ ସାମି ଖେଳ ଶେଷ ହେବାର ମାତ୍ର ଗୋଟିଏ ଓଭର ପୂର୍ବରୁ ଆହତ ହୋଇ ପଡ଼ିଆ ଛାଡ଼ିବା ଚିନ୍ତାର କାରଣ ହୋଇଛି। ୪୫ତମ ଓଭରର ପ୍ରଥମ ପାଞ୍ଚଟି ବଲ୍‌ ବୋଲିଂ କରି ଶେଷ ବଲ୍‌ ପକାଇବା ପୂର୍ବରୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରି ସେ ପଡ଼ିଆ ଛାଡ଼ିଥିଲେ। ଫଳରେ ଅଧିନାୟକ ବିରାଟ କୋହଲି ଷଷ୍ଠ ବଲ୍‌ଟି ପକାଇ ଓଭର ଶେଷ କରିଥିଲେ। ତେବେ ମାତ୍ର ଚାରିଟି ବଲ୍‌ ପରେ ଆଲୋକ ଅଭାବରୁ ଅମ୍ପାୟାର ଷ୍ଟମ୍ପ୍‌ ଅପସାରଣ ସଂକେତ ଦେଇଥିଲେ।

ଏହା ପୂର୍ବରୁ ବର୍ଷା ପାଇଁ ପ୍ରଥମ ଦିନରେ ୧୧.୫ ଓଭର ଏବଂ ଦ୍ୱିତୀୟରେ ୨୧ ଓଭର ବ୍ୟାଟିଂ କରିଥିବା ଭାରତ ମାତ୍ର ୧୭୨ ରନ୍‌ରେ ସମସ୍ତ ଦଶଟି ଯାକ ଓ୍ଵିକେଟ୍‌ ହରାଇଥିଲା। ୭୪/୫ରୁ ଶନିବାରର ଖେଳ ଆରମ୍ଭ କରିଥିବା କୋହଲି ବାହିନୀ ଆଉ ୯୮ ରନ୍‌ରେ ବଳକା ୫ ଓ୍ଵିକେଟ୍‌ ହରାଇଥିଲା। ୪୭ ରନ୍‌ରେ ଅପରାଜିତ ଥିବା ଚେତେଶ୍ୱର ପୂଜାରା (୫୨) ଅର୍ଧଶତକ ପୂରଣ କରିଥିଲେ। ଯାହା ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ଷୋଡ଼ଶ ଅର୍ଧଶତକ ଥିଲା। ତେବେ ଏହା ପରେ ସେ ଓ ଭାରତ ଆଉ ବେଶୀ ଆଗକୁ ଯାଇ ପାରି ନଥିଲେ। ଓ୍ଵିକେଟ୍‌ ରକ୍ଷକ ଋଦ୍ଧିମାନ ସାହା (୨୯) ଓ ରବୀନ୍ଦ୍ର ଜାଦେଜା (୨୨) ବେଶ୍‌ କିଛି ସମୟ ଲଢ଼ିଥିଲେ। ହେଲେ ବଡ଼ ପାଳି ଖେଳିବାକୁ ସକ୍ଷମ ହୋଇ ନଥିଲେ। ଶେଷ ଆଡ଼କୁ ମହମ୍ମଦ ସାମି ୨୨ ବଲ୍‌ରୁ ୩ ଚୌକା ସହାୟତାରେ ୨୪ ରନ୍‌ର ଦ୍ରୁତ ପାଳି ଖେଳି ଦର୍ଶକଙ୍କର ମନୋରଞ୍ଜନ କରିଥିଲେ। ୫୦ ରନ୍‌ରେ ୫ ଓ୍ଵିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିବା ଭାରତ ଶେଷ ଚାରି ବ୍ୟାଟ୍ସମ୍ୟାନଙ୍କ ପାଇଁ ଦେଢ଼ ଶହ ରନ୍‌ ଟପି ପାରିଥିଲା। ଶ୍ରୀଲଙ୍କା ପକ୍ଷରୁ ଦ୍ରୁତ ବୋଲର ସୁରଜ ଲାକମଲ ସର୍ବାଧିକ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅନ୍ୟ ପକ୍ଷରେ ଦୁଇ ମଧ୍ୟମଗତି ବୋଲର ଲାହିରୁ ଗମାଙ୍ଗେ ଏବଂ ଦାସୁନ ସନକା ଦୁଇଟି ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଅନ୍ୟ ପକ୍ଷରେ ଶନିବାର ପତନ ହୋଇଥିବା ଶ୍ରୀଲଙ୍କାର ଚାରିଟି ଯାକ ଓ୍ଵିକେଟ୍‌ ଭାରତର ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଉମେଶ ଯାଦବ କରାୟତ କରିଥିଲେ।

ଦ୍ୱିତୀୟ ସର୍ବନିମ୍ନ

କୋଲ୍‌କାତା: ଭାରତର ୧୭୨ ରନ୍‌ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ୍‍ରେ ଦ୍ୱିତୀୟ ସର୍ବନିମ୍ନ। ୨୦୦୫ ମସିହାରେ ଚେନ୍ନାଇରେ ଭାରତ ୧୬୭ ରନ୍‌ କରିଥିଲା। ମହମ୍ମଦ ସାମିଙ୍କ ଆକର୍ଷଣୀୟ ପାଳି କାରଣରୁ ଭାରତ ଏହାକୁ ଅତିକ୍ରମ କରିପାରିଥିଲା। ସେହିଭଳି ୨୦୧୬-୧୭ ଋତୁ ଆରମ୍ଭରୁ ଚେତେଶ୍ୱର ପୂଜାରା ୧୭ ଟେଷ୍ଟ୍‍ରୁ ୧୩ଟିରେ ଅନ୍ୟୁନ ୫୦ରୁ ଊର୍ଧ୍ୱ ପାଳି ଖେଳି ସ୍ଥିର ପ୍ରଦର୍ଶନ ଦେବା ଜାରି ରଖିଛନ୍ତି।

ଅସୁସ୍ଥ କେଟଲବରୋ ଅମ୍ପାୟାରିଂ କଲେନି

ଗଳା ସଂକ୍ରମଣରେ ପୀଡ଼ିତ ଥିବା ପଡ଼ିଆ ଅମ୍ପାୟାର ରିଚାର୍ଡ କେଟେଲବରୋ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଅମ୍ପାୟାରିଂ କରି ପାରି ନଥିଲେ। ତାଙ୍କ ସ୍ଥାନରେ େଓ୍ଵଷ୍ଟଇଣ୍ଡିଜ୍‌ର ଜୋଏଲ୍‌ ଓ୍ଵିଲସନ୍‌ ଏବଂ ଇଂଲଣ୍ଡର ନିଗେଲ ଲଙ୍ଗଙ୍କ ସହ ଅମ୍ପାୟାରିଂ ଦାୟିତ୍ୱ ତୁଲାଇଥିଲେ। ଓ୍ଵିଲସନ୍‌ ପୂର୍ବରୁ ଏହି ମ୍ୟାଚ୍‌ର ତୃତୀୟ ଅମ୍ପାୟାର ଥିଲେ। ଶନିବାରେ ଚତୁର୍ଥ ଅମ୍ପାୟାର ଅନୀଲ ଚୌଧୁରୀ ଟିଭି ଅମ୍ପାୟାର ଏବଂ ବେଙ୍ଗଲ କ୍ରିକେଟ୍‌ ସଂଘର ବିନୋଦ ଠାକୁର ଚତୁର୍ଥ ଅମ୍ପାୟାର ପଦ ପାଇଥିଲେ। କେଟେଲବରୋ ଅସୁସ୍ଥ ହେବା ବିନୋଦଙ୍କ ପାଇଁ ନୂଆ ସୁଯୋଗ ଆଣି ଦେଇଥିଲା। ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚର ଅମ୍ପାୟାର ମଣ୍ଡଳରେ ସ୍ଥାନ ପାଇବାର ସୌଭାଗ୍ୟ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe