କୁଆଲାଲୁମ୍ପୁର: ଭାରତୀୟ ତାରକା ଏଚ୍ଏସ୍ ପ୍ରଣୟ ରବିବାର ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟ୍ରଫି ଜିତି ନେଇଛନ୍ତି। ଏହା ତାଙ୍କ ଜୀବନର ପ୍ରଥମ ବିଡବ୍ଲୁଏଫ୍ ବିଶ୍ବ ଟୁର୍ ମୁକୁଟ। କୁଆଲାଲୁମ୍ପୁରରେ ଆୟୋଜିତ ପ୍ରତିଯୋଗିତାର ରବିବାର ଖେଳାଯାଇଥିବା ପୁରୁଷ ଏକକ ଫାଇନାଲ୍ରେ ୩୦ ବର୍ଷୀୟ ପ୍ରଣୟ ୯୪ ମିନିଟ୍ ଧରି କଡ଼ା ସଂଘର୍ଷ କରିବା ପରେ ୨୧-୧୯, ୧୩-୨୧, ୨୧-୧୮ରେ ୩୪ ମାନ୍ୟତାପ୍ରାପ୍ତ ଚୀନ୍ର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ପ୍ରଣୟ ଗତ ବର୍ଷ ଥୋମାସ କପ୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ।
ବ୍ୟକ୍ତିଗତ ଭାବେ ଶେଷ ଥର ଲାଗି ୨୦୧୭ରେ ୟୁଏସ୍ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ଟ୍ରଫି ଜିତିଥିଲେ। ଏହି କେରଳ ସଟଲର ଗତ ବର୍ଷ ସ୍ବିସ୍ ଓପନ୍ ଫାଇନାଲ୍ରେ ପହଞ୍ଚିଥିଲା ବେଳେ ମାଲେସିଆ ଓ ଇଣ୍ଡୋନେସିଆ ସୁପର ୧୦୦୦ ସେମିଫାଇନାଲ୍ରୁ ବିଦାୟ ନେଇଥିଲେ। ବିଶ୍ବର ଏହି ୯ ନମ୍ବର ଖେଳାଳି ରବିବାର ଏହି ଧାରା ଭାଙ୍ଗିଛନ୍ତି। ମାଲେସିଆ ମାଷ୍ଟର୍ସରେ ପ୍ରଣୟ ବିଶ୍ବର ୩ ନମ୍ବର ଚୌ ତିଏନ ଚେନ୍, ଅଲ୍ ଇଂଲଣ୍ଡ ବିଜେତା ଲି ସି ଫେଙ୍ଗ ଓ ଜାପାନର କେଣ୍ଟା ନିଶିମୋତୋଙ୍କୁ ହରାଇ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ।
Follow Us