Business Recorder
କଲମ୍ବୋ: ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା ମଙ୍ଗଳବାର ସମସ୍ତ ଫର୍ମାଟ୍ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ନିଜ ଭୟଙ୍କର ୟର୍କର ବୋଲିଂରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଆତଙ୍କ ସାଜୁଥିବା ମାଲିଙ୍ଗା ଅବସର ନିଷ୍ପତ୍ତି ସଂପର୍କରେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ୩୮ ବର୍ଷ ବୟସ୍କ ମାଲିଙ୍ଗା ୨୦୧୪ ଟି-୨୦ ବିଶ୍ବକପ୍ ବିଜେତା ଶ୍ରୀଲଙ୍କା ଦଳର ଅଧିନାୟକ ରହିଥିଲେ। ତେବେ ‘‘ମୁଁ ଏବେ ମୋର ଟି-୨୦ ଜୋତା ଝୁଲାଇଦେଉଛି ଏବଂ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଯାଉଛି। ମୋର କ୍ରିକେଟ୍ ଯାତ୍ରାରେ ମୋତେ ପୂର୍ଣ୍ଣ ସମର୍ଥନ ଯୋଗାଇ ଆସିଥିବା ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ବର୍ଷଗୁଡ଼ିକରେ ଯୁବ କ୍ରିକେଟର୍ଙ୍କ ସହିତ ଅଭିଜ୍ଞତା ବାଣ୍ଟିବାର ଲକ୍ଷ୍ୟ ରଖିଛି’’ ବୋଲି ମାଲିଙ୍ଗା ଟ୍ବିଟ୍ କରିଛନ୍ତି।
ଏହା ପୂର୍ବରୁ ମାଲିଙ୍ଗା ଚଳିତ ବର୍ଷ ଜାନୁଆରିରେ ଉଭୟ ଟେଷ୍ଟ୍ ଏବଂ ଦିନିକିଆ ଆନ୍ତର୍ଜାତିକରୁ ଅବସର ନେଇଯାଇଥିଲେ। ହେଲେ ଟି-୨୦ ଆନ୍ତର୍ଜାତିକ ଖେଳିବା ଜାରି ରଖିବାର ଆଗ୍ରହ ରଖିଥିଲେ ମଧ୍ୟ ଆଜି ତାହାକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଗତବର୍ଷ ସେ ଟି-୨୦ ବିଶ୍ବକପ୍ରେ ଜାତୀୟ ଦଳର ନେତୃତ୍ବ ନେବାକୁ ଇଛା ଜାହିର କରିଥିଲେ। ସେହି ବିଶ୍ବକପ୍ ଗତବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଥିଲା। କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ସ୍ଥଗିତ ରହିବା ପରେ ଆସନ୍ତାମାସରେ ଆୟୋଜିତ ହେବାକୁ ଯାଉଛି। କିନ୍ତୁ ଏବେ ଆଉ ଖେଳିବା ମୋ ପକ୍ଷରେ ସମ୍ଭବ ନୁହେଁ। ‘‘ମୋ ଟି-୨୦ ଜୋତାକୁ ଶତ ପ୍ରତିଶତ ବିଶ୍ରାମ ଦେବାକୁ ଚାହୁଛି। ତେବେ ମୋର ଜୋତା ବିଶ୍ରାମ ପାଇଲେ ବି କ୍ରିକେଟ୍କୁ କଦାପି ବିଶ୍ରାମ ଦେବାକୁ କହିବିନି।’’ ବୋଲି ଜାରି କରିଥିବା ଏକ ଭିଡିଓରେ ସ୍ମିତହାସ୍ୟ ମାଲିଙ୍ଗା କହିଛନ୍ତି।
ମାଲିଙ୍ଗା ମଧ୍ୟ ଅବସର ଘୋଷଣା କରିବା ପରେ ତାଙ୍କ ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ସିଂହଳୀ ଘାତକ ଦ୍ରୁତ ବୋଲର ୧୨୨ ଆଇପିଏଲ୍ ମ୍ୟାଚ୍ ଖେଳିଥିଲା ବେଳେ ନିଜ ନାମରେ ୧୭୦ ୱିକେଟ୍ ରଖିଛନ୍ତି। ଯାହାକି ଲୋଭନୀୟ ଟି-୨୦ ଲିଗ୍ରେ ସର୍ବାଧିକ କୀର୍ତ୍ତିମାନ ରହିଛି। ଆଇପିଏଲ୍ରେ ମାଲିଙ୍ଗାଙ୍କ ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ୫/୧୩ ରହିଛି। ଆଇପିଏଲ୍ ବ୍ୟତୀତ ମାଲିଙ୍ଗା ମଧ୍ୟ ୮୪ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୦୭ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ୨୨୬ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରୁ ୩୩୮ ଏବଂ ୩୦ ଟେଷ୍ଟ୍ ଖେଳି ୧୦୧ ୱିକେଟ୍ର ସଫଳତା ନିଜ ନାମରେ ଯୋଡ଼ିଛନ୍ତି।
Follow Us