Sportzwiki
ମାଞ୍ଚେଷ୍ଟର: କୋଭିଡ୍-୧୯ ପରବର୍ତୀ ନିଜର ପ୍ରଥମ କ୍ରିକେଟ୍ ଶୃଙ୍ଖଳାକୁ ପାକିସ୍ତାନ ଦଳ ପରାଜୟରୁ ଆରମ୍ଭ କରିଛି। ଓଲ୍ଡ ଟ୍ରାଫୋର୍ଡରେ ଖେଳିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ଗୋଟିଏ ଦିନ ପୂର୍ବରୁ ହାରିଛି। ଅତି କମ୍ରେ ୧୦୦ ବା ତା’ଠୁ ଅଧିକ ରନ୍ର ଅଗ୍ରଣୀ ନେବା ସତ୍ତ୍ବେ ଟେଷ୍ଟ ହାରିବା ପାକିସ୍ତାନ ପାଇଁ ସପ୍ତମ ଥର ଘଟିଛି। ସେଥିରୁ କେବଳ ତିନି ଥର ଇଂଲଣ୍ଡ ବିପକ୍ଷରେ ହିଁ ପରାଜୟ ବରଣ କରିଛି। ଏହା ପୂର୍ବରୁ ୨୦୦୬ ଦି ଓଭାଲ ଏବଂ ୨୦୧୬ ଏଜ୍ବାଷ୍ଟନ ଟେଷ୍ଟ୍ରେ ପ୍ରଥମ ପାଳିରେ ବଡ଼ ଧରଣର ଅଗ୍ରଣୀ ସତ୍ତ୍ବେ ପରାସ୍ତ ହୋଇଥିଲା।
୧୯୯୯: ପାକିସ୍ତାନ ବିପକ୍ଷ କୌଣସି ଟେଷ୍ଟ୍ର ଚତୁର୍ଥ ପାଳିରେ ୨୫୦+ ସ୍କୋର୍କୁ ସଫଳତାର ସହ ପିଛା କରି ବିଜୟ ହାସଲ କରିବା ପୂର୍ବରୁ ଶେଷ ଥର ପାଇଁ ୧୯୯୯ ମସିହାରେ ଦେଖାଯାଇଥିଲା। ହୋବାର୍ଟରେ ଆୟୋଜିତ ସେହି ଟେଷ୍ଟ୍ରେ ୩୬୯ ରନ୍ର ପିଛା କରି ଘରୋଇ ଅଷ୍ଟ୍ରେଲିଆ ଜିତିଯାଇଥିଲା। ଶନିବାର ଓଲ୍ଡ ଟ୍ରାଫୋର୍ଡରେ ଇଂଲଣ୍ଡ ବିଜୟୀ ହେବା ପୂର୍ବରୁ ୨୦୦୦ ମସିହା ପରଠାରୁ ପାକିସ୍ତାନ ବିପକ୍ଷରେ ୩୫ ଥର ଏଭଳି (୨୫୦+) ସ୍କୋର୍ର ପିଛା କରିଥିବା ଦେଖିବାକୁ ମିଳିଥିଲା। ସେଥିରୁ ଅନ୍ୟଦଳଗୁଡ଼ିକ ୨୬ ଥର ହାରିଥିଲା ବେଳେ ୮ ଟେଷ୍ଟ୍ ଅମିମାଂସିତ ରହିଥିଲା। ଇଂଲଣ୍ଡ ଟେଷ୍ଟକୁ ମିଶାଇ ମୋଟ ଉପରେ ପାକିସ୍ତାନ ବିପକ୍ଷରେ ୬ ଥର ସର୍ବୋଚ୍ଚ ଚତୁର୍ଥ ପାଳି ପଶ୍ଚାତଧାବନରେ ସଫଳ ହୋଇଛି। ଏଠାରେ ତା’ର ସାରଣୀ ପ୍ରକାଶ କରୁଛୁ।
୧୩୯: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍ର ଚତୁର୍ଥ ତଥା ନିଜର ଦ୍ବିତୀୟ ପାଳିରେ ଜୋସ୍ ବଟ୍ଟଲର୍ ଏବଂ କ୍ରିସ୍ ୱକ୍ସ ୧୩୯ ରନ୍ ଯୋଡ଼ିଥିଲେ। ଯାହାକି କୌଣସି ଟେଷ୍ଟ୍ରେ ଚତୁର୍ଥ ପାଳିରେ ଇଂଲଣ୍ଡ ପାଇଁ ଷଷ୍ଠ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରି ଥିଲା। ଏକ୍ଷେତ୍ରରେ ବଟ୍ଟଲର୍-ୱକ୍ସ ଯୋଡ଼ି ୧୯୮୬-୮୭ ଆସେସ୍ ବେଳେ ସିଡ୍ନି କ୍ରିକେଟ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ମାଇକ ଗ୍ୟାଟିଂ ଓ ଜାକ୍ ରିଚାର୍ଡସଙ୍କ ୧୩୧ ରନ୍ର ଭାଗୀଦାରିକୁ ପଛରେ ପକାଇ ଦେଇଥିଲେ। ଏହା ମଧ୍ୟ ପାକିସ୍ତାନ ବିପକ୍ଷରେ ଚତୁର୍ଥ ପାଳିରେ ଦ୍ବିତୀୟ ସର୍ବୋଚ୍ଚ ଷଷ୍ଠ ୱିକେଟ୍ ଭାଗୀଦାରି ଥିଲା। ପୂର୍ବରୁ ୧୯୯୯ ହୋବାର୍ଟ ଟେଷ୍ଟ୍ରେ ଜଷ୍ଟିନ୍ ଲାଙ୍ଗର ଓ ଆଦାମ ଗିଲ୍ଖ୍ରିଷ୍ଟଙ୍କ ୨୩୮ ରନ୍ ଚତୁର୍ଥ ପାଳିରେ ଷଷ୍ଠ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରି କୀର୍ତ୍ତିମାନ ରହିଛି।
୧୬୦: ପଞ୍ଚମ ୱିକେଟ୍ର ପତନ ପରେ ଇଂଲଣ୍ଡ ଦଳ ୧୬୦ ରନ୍ ଯୋଡ଼ିବା ଦ୍ବିତୀୟ ଥର ପାଇଁ ଦେଖାଯାଇଥିଲା। ଏହା ପୂର୍ବରୁ ଏକମାତ୍ର ଥର ପାଇଁ ଇଂଲଣ୍ଡ ୧୯୦୨ ଦି ଓଭାଲ୍ ଟେଷ୍ଟ୍ରେ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେହି ଟେଷ୍ଟ୍ରେ ୨୬୩ ରନ୍ର ପିଛା କରୁଥିବା ଇଂଲଣ୍ଡ ଚତୁର୍ଥ ପାଳିରେ ପଞ୍ଚମ ୱିକେଟ୍ ହରାଇବା ପରେ ୨୧୫ ରନ୍ ଯୋଡ଼ି ସଫଳ ପିଛା କରି ଟେଷ୍ଟ୍ ଜିତି ନେଇଥିଲା। ସଫଳ ରନ୍ ପିଛା କରିବା ବେଳେ ଇଂଲଣ୍ଡ ବର୍ତିଯିବାର କେତେକ ଶ୍ରେଷ୍ଠ ନମୂନା ଏଠାରେ ସାରଣୀ ଯୋଗେ ଦିଆଯାଇଛି।
୩୩: ଜୋସ୍ ବଟ୍ଟଲର୍ ଏବଂ କ୍ରିସ୍ ୱକ୍ସଙ୍କ ମଧ୍ୟରେ ଭାଗୀଦାରି ୩୩ ଓଭର ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ଆଉ ସେହି ୩୩ ଓଭର ମଧ୍ୟରେ ପାକିସ୍ତାନ ବି ଗୋଟିଏ ହେଲେ ମେଡେନ୍ ପାଇପାରିନଥିଲା। ବରଂ ଉଭୟ ବଟ୍ଟଲର୍ ଓ ୱକ୍ସ ସେମାନଙ୍କ ୧୩୯ ରନ୍ର ଭାଗୀଦାରି ମଧ୍ୟରେ ପାକ୍ ବୋଲରଙ୍କୁ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ। ଦୁହେଁ ଇଂଲଣ୍ଡ ପାଳିକୁ ୧୧୭/୫ରୁ ୨୫୬ରେ ପହଞ୍ଚାଇବା ପରେ ବଟ୍ଟଲର୍ ଆଉଟ୍ ହୋଇଥିଲେ।
୮୪: କ୍ରିସ୍ ୱକ୍ସ ସଂଗ୍ରହ କରିଥିବା ମ୍ୟାଚ୍ ବିଜୟୀ ଅପରାଜିତ ୮୪ ରନ୍ ଟେଷ୍ଟ୍ରେ ତାଙ୍କର ଦ୍ବିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୧୩୭ ଲର୍ଡସରେ ଭାରତ ବିପକ୍ଷରେ ରହିଛି। ଲର୍ଡସରେ ଭାରତ ଏବଂ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷ ଏହି ଦୁଇ ପାଳି ମଝିରେ ୱକ୍ସ ଅନ୍ୟ ୧୭ ପାଳି ଖେଳିଥିଲେ ବି ସଂଗ୍ରହ କରିଥିଲେ ମୋଟ ୧୯୭ ରନ୍। ଯେଉଁଥିରେ ତାଙ୍କ ହାରାହାରି ଥିଲା ୧୨.୩୧। ପୁଣି ସେହି ୧୭ ପାଳି ମଧ୍ୟରୁ ୧୧ଟିରେ ଦୁଇ ଅଙ୍କ ବି ଛୁଇଁବାରେ ସମର୍ଥ ହୋଇପାରିନଥିଲେ।
୭: ନିଜର ଘର ଏବଂ ପାଳିତ ଘର (ୟୁଏଇ) ବାହାରେ ପାକିସ୍ତାନର ଏହା କ୍ରମାଗତ ସପ୍ତମ ଟେଷ୍ଟ ପରାଜୟ। ସଂଯୋଗବଶତଃ ପାକିସ୍ତାନର ଶେଷ ବିଜୟ ସେହି ଇଂଲଣ୍ଡରେ ହିଁ ହୋଇଥିଲା। ୨୦୧୮ରେ ଲର୍ଡସ୍ ଷ୍ଟାଡିୟମ୍ରେ ଘରୋଇ ଇଂଲଣ୍ଡ ଦଳକୁ ୯ ୱିକେଟ୍ରେ ପରାସ୍ତ କରିଥିଲା ପାକିସ୍ତାନ। ଅନ୍ୟପକ୍ଷରେ ବିଗତ ୬ ଟେଷ୍ଟ୍ ଶୃଙ୍ଖଳା (ଆୟର୍ଲାଣ୍ଡ୍ ବିପକ୍ଷ ଏକମାତ୍ର ଟେଷ୍ଟକୁ ବାଦ୍ ଦେଇ) ପ୍ରୟାସ ପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ପ୍ରଥମ ଟେଷ୍ଟ୍ ଜିତିପାରିଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୮ ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟ (ଶୃଙ୍ଖଳାର ପ୍ରଥମ)କୁ ଇଂଲଣ୍ଡ ଜିତିଥିଲା।
Follow Us