Photograph: (Zee News - India.Com)
ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଶତକ (୬୩ ବଲ୍ରୁ ୧୨୫ ରନ୍) ସତ୍ତ୍ବେ ଅଷ୍ଟ୍ରେଲିଆ ନିକଟରୁ ଭାରତ ତୃତୀୟ ଦିନିକିଆରେ ୪୩ ରନ୍ରେ ହାରିଯାଇଛି। ଏଥି ସହ ୩ ମ୍ୟାଚ୍ ଶୃଙ୍ଖଳାକୁ ୧-୨ରେ ହାତ ଛଡ଼ା କରିଛି। ମାତ୍ର ୫୦ ବଲ୍ରୁ ଶତକ ପୂର୍ଣ୍ଣ କରି ସ୍ମୃତି ବିଶ୍ବର ଦ୍ବିତୀୟ ଦ୍ରୁତତମ ଦିନିକିଆ ଶତକ ହାସଲକାରୀ ମହିଳା ବ୍ୟାଟର୍ ହୋଇଛନ୍ତି। ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗ୍ ୨୦୧୨ ମସିହାରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ମାତ୍ର ୪୫ ବଲ୍ରୁ ଶତକ ହାସଲ କରିଥିଲେ। ଶନିବାର ବେଥ୍ ମୁନିଙ୍କ ଶତକ (୭୫ ବଲ୍ରୁ ୧୩୮ ରନ୍) ବଳରେ ଅଷ୍ଟ୍ରେଲିଆ ୪୧୨ ରନ୍ ସଂଗ୍ରହ କରି ଯୁଗ୍ମ ସର୍ବୋଚ୍ଚ ସ୍କୋର୍ କରିଥିଲା। ଅରୁନ୍ଧତୀ ରେଡ୍ଡୀ ୩ ଏବଂ ରେଣୁକା ସିଂହ ଓ ଦୀପ୍ତି ଶର୍ମା ୨-୨ ୱିକେଟ୍ ନେଇଥିଲେ।
ଜବାବରେ ସ୍ମୃତିଙ୍କ ପାଳି ବ୍ୟତୀତ ଦୀପ୍ତି ଶର୍ମା (୭୨) ଓ ହରମନପ୍ରୀତ୍ କୌର୍ (୫୨)ଙ୍କ ପାଳି ସତ୍ତ୍ବେ ଭାରତ ୩୬୯ ରନ୍ରେ ସୀମିତ ରହିଯାଇଥିଲା। କିମ୍ ଗାର୍ଥ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ବେଥ୍ ମୁନି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ମନ୍ଧାନା (୩୦୦ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ମନ୍ଧାନା ମଧ୍ୟ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଏବଂ ଦିନିକିଆ ଜୀବନର ୧୩ତମ ଶତକ ହାସଲ କରି ଦ୍ବିତୀୟକୁ ଉଠିଛନ୍ତି। ତାଙ୍କ ଆଗରେ କେବଳ ରହିଛନ୍ତି ମେଗ୍ ଲାନିଙ୍ଗ୍ (୧୫ ଶତକ)। କ୍ରମାଗତ ୨ ବର୍ଷ ମଧ୍ୟ ମନ୍ଧାନା ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୪ ଶତକ ମାରିଛନ୍ତି।
Follow Us