ମନ୍ଧାନାଙ୍କ ଶତକ, ପଦାର୍ପଣରେ ଆଶାଙ୍କୁ ୪ ୱିକେଟ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

Advertisment
ମନ୍ଧାନାଙ୍କ ଶତକ, ପଦାର୍ପଣରେ ଆଶାଙ୍କୁ ୪ ୱିକେଟ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଜବରଦସ୍ତ ବିଜୟ

ବେଙ୍ଗାଲୁରୁ: ସ୍ମୃତି ମନ୍ଧାନାଙ୍କ ଶତକ (୧୨୭ ବଲ୍‌ରୁ ୧୧୭ ରନ୍) ଏବଂ ପ୍ରଥମ ପଦାର୍ପଣରେ ଆଶା ଶୋଭନାଙ୍କ ୪ ୱିକେଟ୍ ଦଖଲ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମହିଳା ଦିନିକିଆରେ ଭାରତ ୧୪୩ ରନ୍‌ରେ ବୃହତ ବିଜୟ ହାସଲ କରିଛି। ଏଥି ସହିତ ଆଇସିସି ମହିଳା ପ୍ରତିଯୋଗିତା ଅନ୍ତର୍ଗତ ଏହି ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।
ରବିବାର ଟସ୍ ଜିତି ପ୍ରଥ‌ମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୬୫ ରନ୍ କରିଥିଲା। ଶେଫାଳି ବର୍ମା, ଦୟାଲନ୍ ହେମଲତା, ହର୍ମନପ୍ରୀତ୍ କୌର୍, ଜେମିମା ରଡ୍ରିଗ୍ବେଜ, ରିଚା ଘୋଷ ପ୍ରମୁଖ ଶସ୍ତାରେ ଆଉଟ୍ ହୋଇଯିବାରୁ ଭାରତ ୨୨ତମ ଓଭର ବେଳକୁ ୯୯/୫ରେ ସଂଘର୍ଷ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍ ସ୍ମୃତି ମନ୍ଧାନା ୪୭ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ୧୨୭ ବଲ୍‌ରୁ ୧୧୭ ରନ୍‌ର ଦାୟିତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ୧୨ ଚୌକା ଓ ଗୋଟିଏ ଛକା ଏହି ପାଳିରେ ସାମିଲ ଥିଲା। ଶେଷ ଭାଗରେ ଦୀପ୍ତି ଶର୍ମା (୪୮ ବଲ୍‌ରୁ ୩୭ ରନ୍) ଏବଂ ପୂଜା ବସ୍ତ୍ରକାର (୪୨ ବଲ୍‌ରୁ ୩୧ ରନ୍) ଉପଯୋଗୀ ପାଳି ଖେଳିବାରୁ ଭାରତ ୨୬୫ ରନ୍‌ର ଲଢ଼ୁଆ ‌ସ୍କୋର ଛିଡ଼ା କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟାବୋଙ୍ଗା ଖାକା ୪୭ ରନ୍ ବିନିମୟରେ ୩ ଏବଂ ମାସାବାତା କିଆନ୍ସ ୫୧ ରନ୍‌ରେ ୨ ୱି‌କେଟ୍ ନେଇଥିଲେ। ଜବାବରେ ପ୍ରଥମ ଓଭରରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୨୨ ରନ୍‌ରେ ଅଲ୍ ଆଉଟ୍ ‌ହୋଇଯାଇଥିଲା। ପଦାର୍ପଣରେ ୩୩ ବର୍ଷୀୟା କେରଳ ଲେଗ୍ ସ୍ପିନର୍‌ ଆଶା ଶୋଭନା ୮.୪-୨-୨୧-୪ ଚିତ୍ର ପାଇ ଚମତ୍କାର ଦିନିକିଆ ଆଗମନ କରିଛନ୍ତି। ଦୀପ୍ତି ଶର୍ମା ୨ ୱିକେଟ୍‌ ନେଇଥିବାବେଳେ ରେଣୁକା ସିଂହ, ପୂଜା ବସ୍ତ୍ରକାର, ରାଧା ୟାଦବ ପ୍ରମୁଖ ଗୋଟିଏ ଲେଖାଏଁ ଦଖଲ କରିଥିଲେ।

୭୦୦୦ ରନ୍‌ କ୍ଲବ୍‌ରେ ସ୍ମୃତି

ଭାରତୀୟ ଓପନର୍‌ ସ୍ମୃତି ମନ୍ଧାନା ରବିବାର ୭୦୦୦ ଅନ୍ତର୍ଜାତୀୟ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ଅଧିନାୟିକା ମିତାଲି ରାଜ (୧୦, ୮୬୮ ରନ୍‌) ଏହି କ୍ଲବ୍‌ରେ ରହିଥିଲେ। ଏବେ ହର୍ମନପ୍ରୀତ କୌର (୬୮୭୦) ଏହି ଦୌଡ଼ରେ ରହିଛି। ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଶତକ ଅର୍ଜନ କରି ସ୍ମୃତି (୧୧୭ ରନ୍‌) ଏହି ମାଇଲଖୁଣ୍ଟ ପାର୍‌ କରିଥିଲେ। ଏହା ତାଙ୍କର ଘରୋଇ ମାଟିରେ ପ୍ରଥମ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ଶତକ। ମୋଟ ଉପରେ ତାଙ୍କର ଏହା ଷଷ୍ଠ ଶତକ। ସ୍ମୃତିଙ୍କ ସହ ରବିବାର ଦୀପ୍ତି ମଧ୍ୟ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଦୀପ୍ତି ୩୭ ରନ୍‌ କରି ଦିନିକିଆ କ୍ରିକେଟ୍‌ରେ ୨୦୦୦ ରନ୍‌ ମାଇଲଖୁଣ୍ଟ ଛୁଇଁଥିଲେ। ସେହିଭଳି ମହିଳା ଦିନିକିଆରେ ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିବାରେ ସ୍ମୃତି ରବିବାର ମଧ୍ୟ ହର୍ମନପ୍ରୀତଙ୍କୁ ପଛରେ ପକାଇ ଦେଇଛନ୍ତି। ମିତାଲି ରାଜ ୨୧୧ ମ୍ୟାଚ୍‌ରୁ ୭ ଶତକ ହାସଲ କରିଥିବାବେଳେ ସ୍ମୃତି ୮୩ ମ୍ୟାଚ୍‌ରୁ ୬ ଶତକ ହାସଲ କରିଛନ୍ତି। ହର୍ମନପ୍ରୀତ୍ ୧୧୨ ମ୍ୟାଚ୍‌ରୁ ୫ ଶତକ ଅର୍ଜନ କରି ତୃତୀୟକୁ ଖସିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe