ନୂଆଦିଲ୍ଲୀ : ଯୁବା ଷ୍ଟ୍ରାଇକର୍ ମନୀଷା କଲ୍ୟାଣ ପ୍ରଥମ ଭାରତୀୟ ଫୁଟ୍ବଲର୍ ଭାବେ ୟୁଫା ମହିଳା ଚାମ୍ପିଅନ୍ସ ଲିଗ୍ (ୟୁଡବ୍ଲ୍ୟୁସିଏଲ୍)ରେ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ସାଇପ୍ରସର ଇଙ୍ଗୋମିରେ ଚାଲିଥିବା ଏହି ୟୁରୋପିଆନ୍ କ୍ଲବ୍ ପ୍ରତିଯୋଗିତାରେ ସେ ଆପୋଲୋନ ଲେଡିଜ୍ ଏଫ୍ସିରୁ ପଦାର୍ପଣ କରି ଏହି ଗୌରବ ପାଇଛନ୍ତି।
ମାକାରିଓ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମନୀଷା ୬୦ତମ ମିନିଟ୍ରେ ସାଇପ୍ରସର ମାରିଲେନା ଜର୍ଜିଉଙ୍କ ବଦଳରେ ପଡ଼ିଆକୁ ପ୍ରବେଶ କରିଥିଲେ। ୟୁଡବ୍ଲ୍ୟୁସିଏଲ୍ର ଏହି ପ୍ରଥମ ମ୍ୟାଚ୍ରେ ତାଙ୍କ ଦଳ ୩-୦ ଗୋଲ୍ରେ ଲାଟିଭିଆର କ୍ଲବ୍ ଏସ୍ଏଫ୍କେ ରିଗାକୁ ପରାସ୍ତ କରିଥିଲା। ୨୦ ବର୍ଷୀୟା ମନୀଷା ଚତୁର୍ଥ ଭାରତୀୟ ମହିଳା ଅନ୍ତର୍ଜାତୀୟ ଫୁଟ୍ବଲର୍ ଭାବେ ବିଦେଶୀ କ୍ଲବ୍ ସହ ଚୁକ୍ତି କରିଥିଲେ। ଜାତୀୟ ଦଳ ଏବଂ ଗୋକୁଳମ କେରଳ ପକ୍ଷରୁ ଆଇଡବ୍ଲୁଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ନିକଟରେ ୨୦୨୧-୨୨ ଋତୁ ଲାଗି ବର୍ଷର ଶ୍ରେଷ୍ଠ ଏଆଇଏଫ୍ଏଫ୍ ମହିଳା ଫୁଟ୍ବଲର୍ ପୁରସ୍କାର ପାଇଥିଲେ। ବିଦେଶୀ କ୍ଲବ୍ ସହ ଚୁକ୍ତି କରିବା ନେଇ ସେ ଗୋକୁଳମ କେରଳର ଦ୍ବିତୀୟ ଖେଳାଳି। ତାଙ୍କ ପୂର୍ବରୁ ଡାଙ୍ଗମେଇ ଗ୍ରେସ ଉଜ୍ବେକିସ୍ତାନର ଏଫ୍ସି ନସାଫ ସହ ଚୁକ୍ତି କରିଥିଲେ।
Follow Us