ମଙ୍କଡିଂ ବିବାଦ : ଅଶ୍ବିନଙ୍କ ‘ରନ୍ ପେନାଲ୍ଟି’ ପ୍ରସ୍ତାବକୁ ପଣ୍ଟିଂଙ୍କ ସମର୍ଥନ

Advertisment
ମଙ୍କଡିଂ ବିବାଦ : ଅଶ୍ବିନଙ୍କ ‘ରନ୍ ପେନାଲ୍ଟି’ ପ୍ରସ୍ତାବକୁ ପଣ୍ଟିଂଙ୍କ ସମର୍ଥନ

India Today

ଦୁବାଇ : ବିବାଦୀୟ ମଙ୍କଡିଂ ରନ୍ଆଉଟ୍‌କୁ ନେଇ ଚର୍ଚା ଥମିବାର ନାଁ ଧରୁନି। ଗତବର୍ଷର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ମଙ୍କଡିଂ କରି ବିବାଦ ଘେରକୁ ଆସିଥିବା ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଏଭଳି ଚର୍ଚା, ତର୍କ ଓ ବିତର୍କର କେନ୍ଦ୍ରରେ ରହିଛନ୍ତି। ମଙ୍କଡିଂ କରିବା କୌଣସି ପ୍ରକାର ପାପ କିମ୍ବା ଖେଳୁଆଡ଼ ମନୋଭାବ ବିରୋଧୀ ନୁହେଁ ବୋଲି ଅଶ୍ବିନ ଯୁକ୍ତି କରି ଆସୁଥିଲା ବେଳେ ତାଙ୍କୁ ଏହି ବିଷୟରେ କେତେକ କ୍ଷେତ୍ରରୁ ସମର୍ଥନ ମଧ୍ୟ ମିଳିଛି। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଆଇସିସି ମ୍ୟାଚ୍ ରେଫରି ଜଭାଗଲ ଶ୍ରୀନାଥ ଏବଂ ଭାରତୀୟ କ୍ରିକେଟର ତଥା କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକ ଅଶ୍ବିନଙ୍କୁ ସମର୍ଥନ କରି ବୟାନ ଦେଇଛନ୍ତି। କ୍ରିକେଟ୍ ନିୟମ ପରିସରଭୁକ୍ତ ହୋଇଥିବାରୁ ମଙ୍କଡିଂ କରୁଥିବା ବୋଲରଙ୍କୁ ନକ‌ାରାତ୍ମକ ଭାବେ ନ ଦେଖି ବ୍ୟାଟ୍ସମ୍ୟାନଙ୍କୁ ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ନଯିବାକୁ ପ୍ରବର୍ତ୍ତାଇବାକୁ ଉଭୟ ଆଇସିସିକୁ ଆହ୍ବାନ କରିଛନ୍ତି। ମଙ୍କଡିଂ ସୁଯୋଗ ଥିବା ପରିସ୍ଥିତିରେ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ କିଛିଟା ଦଣ୍ଡ ମିଳିବା ଦରକାର ବୋଲି ଅଶ୍ବିନ ଦାବି କରିଛନ୍ତି।

ନନ୍‌ଷ୍ଟ୍ରାଇକର ମଙ୍କଡିଂ ହେଲେ ବୋଲରଙ୍କୁ ଫ୍ରି-ବଲ୍ ଦେବାକୁ କହିବା ସହ ଏହି ଫ୍ରି-ବଲ୍‌ରେ ଯଦି କୌଣସି ବ୍ୟାଟ୍ସମ୍ୟାନ୍ ଆଉଟ୍ ହୁଅନ୍ତି, ତାହାଲେ ତାଙ୍କ ଦଳୀୟ ସ୍କୋରରୁ ୫ ରନ୍ କାଟିଦେବାକୁ ଅଶ୍ବିନ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ପ୍ରସ୍ତାବକୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଏଲ୍ସ ଆଇପିଏଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ସମର୍ଥନ କରିଛନ୍ତି। ଅଶ୍ବିନ ଚଳିତ ବର୍ଷର ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରତିନିଧିତ୍ବ କରିବାକୁ ଯାଉଥିଲା ବେଳେ ମଙ୍କଡିଂରୁ ଦୂରେଇ ରହିବାକୁ ପଣ୍ଟିଂ କିନ୍ତୁ ତାଙ୍କୁ କିଛି ଦିନ ତଳେ ଚେତାବନୀ ଦେଇଥିଲେ। ତାଙ୍କ ଆଭିମୁଖ୍ୟ ଜାଣିବା ପରେ ଏବେ ପଣ୍ଟିଂ ନରମ ପଡ଼ିବା ସହ ଅଶ୍ବିନଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି।

ଅଶ୍ବିନଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲରେ ଅତିଥି ଭାବେ ଯୋଗଦେଇ ଏହି ପ୍ରସଙ୍ଗରେ ପଣ୍ଟିଂ ସରଗରମ ଆଲୋଚନା କରିଛନ୍ତି। ‘‘ବ୍ୟାଟ୍ସମ୍ୟାନ୍ ଠକୁଥିବା (ବଲ୍ ପଡ଼ିବା ପୂର୍ବରୁ କ୍ରିଜ୍ ବାହାରକୁ ଚାଲି ଯାଇଥିଲେ) ଜଣାପଡ଼ିଲେ ରନ୍ ପେନାଲ୍ଟି ଦିଆଯିବା ଉଚିତ। ବୋଲିଂ ଶୈଳୀର ଶୀର୍ଷରେ ଥାଇ ଯଦି ଆପଣ ଅଟକିବାକୁ ବାଧ୍ୟ ହେଉଛନ୍ତି, ତେବେ ବ୍ୟାଟ୍ସମ୍ୟାନ୍ ଠକାମି କରୁଛି ବୋଲି ଜଣାପଡ଼ିଯାଇଥାଏ। ସେ କ୍ରିଜ୍ ବାହାରେ ଥା’ନ୍ତି ଏବଂ ଏଭଳି ସ୍ଥିତିରେ ରନ୍ ପେନାଲ୍ଟି ଦିଆଯିବା ଉଚିତ ବୋଲି ମୁଁ ଭାବୁଛି। ଏହା ହେଲେ ବଲ୍ ପଡ଼ିବା ପୂର୍ବରୁ ବ୍ୟାଟ୍ସମ୍ୟାନଙ୍କ ଆଗକୁ ଯିବାର ବଦଭ୍ୟାସ ଦୂର ହୋଇପାରିବ’’ ବୋଲି ପଣ୍ଟିଂ ଏହି ଅବସରରେ କହିଥିଲେ। ଏହି ବିଷୟକୁ ଧ୍ୟାନରେ ରଖିବାକୁ ମଧ୍ୟ ସେ ଆଇସିସିକୁ ଆହ୍ବାନ କରିଛନ୍ତି। ଅଶ୍ବିନ ରନ୍ ପେନାଲ୍ଟି ଭାବେ ୫ ରନ୍ କାଟିବାକୁ ପରାର୍ଶ ଦେଇଥିଲା ବେଳେ ୧୦ ରନ୍ କାଟିଲେ ଅସୁବିଧା ନାହିଁ ବୋଲି ପଣ୍ଟିଂ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe