ମନୁଙ୍କ ହ୍ୟାଟ୍ରିକ୍‌ ସ୍ବପ୍ନ ଅଧୁରା: ୨୫ ମିଟର ପିସ୍ତଲରେ ଚତୁର୍ଥ

ମନୁଙ୍କ ହ୍ୟାଟ୍ରିକ୍‌ ସ୍ବପ୍ନ ଅଧୁରା: ୨୫ ମିଟର ପିସ୍ତଲରେ ଚତୁର୍ଥ

ପ୍ୟାରିସ୍‌: ମନୁ ଭାକରଙ୍କ ଅଲିମ୍ପିକ୍ସ ପଦକରେ ହ୍ୟାଟ୍ରିକ୍‌ କରିବା ସ୍ବପ୍ନ ସାକାର ହୋଇପାରିନି। ମହିଳା ୨୫ ମିଟର ପିସ୍ତଲରେ ମନୁ ଚତୁର୍ଥ ସ୍ଥାନରେ ରହି ପ୍ୟାରିସ୍‌ ଅଭିଯାନ ଶେଷ କରିଛନ୍ତି। ଏହାଫଳରେ ସେ ଦୁଇଟି ଅଲିମ୍ପିକ୍‌ ପଦକ ନେଇ ଭାରତ ଫେରିବାକୁ ଯାଉଛନ୍ତି। ୧୦ ମିଟର ଏୟାର ପିସ୍ତଲ ଓ ୧୦ ମିଟର ଏୟାର ପିସ୍ତଲ ମିଶ୍ରିତରେ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତି ମନୁ ପୂର୍ବରୁ ରେକର୍ଡ କରିସାରିଛନ୍ତି।

ଶନିବାର ହୋଇଥିବା ୨୫ ମିଟର ପିସ୍ତଲରେ ଗୋଟିଏ ସମୟରେ ମନୁ ପଦକର ଖୁବ୍‌ ନିକଟତର ହୋଇଯାଇଥିଲେ। ପୂର୍ବତନ ବିଶ୍ବ କୀର୍ତ୍ତିମାନ ବହନ କରୁଥିବା ହଙ୍ଗେରିର ଭେରୋନିକା ମେଜରଙ୍କ ସହିତ ସିରିଜ-୮ ବେଳକୁ ସେ ତୃତୀୟ ସ୍ଥାନରେ ସମାନ ସ୍ଥିତି (୨୮) ରେ ଥିଲେ। କିନ୍ତୁ ସୁଟ୍‌ ଅଫ୍‌ ସିରିଜ୍‌ରେ ମାତ୍ର ୩ ପଏଣ୍ଟ୍‌ ହରାଇବାରୁ ଭେରୋନିକା ପୋଡିୟମ୍‌ ଫିନିସ୍‌ କରିଥିଲେ। ଦକ୍ଷିଣ କୋରିଆର ୟାଙ୍ଗ ଜିନ୍‌ ସ୍ବର୍ଣ୍ଣ ଓ ‌ଫ୍ରାନ୍ସର କାମିଲି ଜେଦ୍ରେଜେଜେୱିସ୍କି ରୌପ୍ୟ ପଦକ ଜିତିଥିଲେ। ପ୍ୟାରିସ୍‌ରେ ମନୁ ତୃତୀୟ ଥର ପାଇଁ ସୁଟିଂ ଇଭେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଶୁକ୍ରବାର ୨୫ ମିଟର ପିସ୍ତଲର ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ପାଇଥିଲେ। ତାଙ୍କ ପୂର୍ବରୁ କୌଣସି ଭାରତୀୟ ସୁଟର୍‌ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଗୋଟିଏରୁ ଅଧିକ ଥର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରି ନଥିଲେ। କେବଳ ଅଭିନବ ବିନ୍ଦ୍ରା ଭାରତ ପାଇଁ ତିନିଟି ସଂସ୍କରଣରେ ତିନିଥର ଫାଇନାଲ୍‌କୁ ଯାଇଛନ୍ତି।

ସ୍କିଟ୍‌ରେ ଅନନ୍ତ ନିରାଶ
ସୁଟିଂର ପୁରୁଷ ଓ ମହିଳା ସ୍କିଟ୍‌ରେ ଭାରତର ୩ ପ୍ରତିଦ୍ବନ୍ଦ୍ବୀ ନିରାଶ କରିଛନ୍ତି। ଶନିବାର ହୋଇଥିବା ଯୋଗ୍ୟତା ପର୍ଯ୍ୟାୟର ପୁରୁଷ ବର୍ଗରେ ଅନନ୍ତଜୀତ୍‌ ସିଂହ ନରୁକା ୨୪ତମ ସ୍ଥାନରେ ରହିଛନ୍ତି। ୫ଟି ସିରିଜ୍‌ରେ ସେ ୨୩, ୨୨, ୨୩, ୨୪, ୨୪ ‌ସହ ମୋଟ୍‌ ୧୧୬ ପଏଣ୍ଟ୍‌ ସ୍କୋର କରିଥିଲେ। ସେହିପରି ମହିଳା ସ୍କିଟ୍‌ ଯୋଗ୍ୟତା ପର୍ଯ୍ୟାୟରେ ତୃତୀୟ ସିରିଜ୍‌ ସୁଦ୍ଧା ମାହେଶ୍ବରୀ ଚୌହାନ ଅଷ୍ଟମ ଓ ରୈଜା ଧୀଲନ୍‌ ୨୫ତମ ସ୍ଥାନରେ ଅଛନ୍ତି। ଆସନ୍ତାକାଲି ଅବଶିଷ୍ଟ ଦୁଇଟି ସିରିଜ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe