ମାର୍କ୍ବେଜ୍ ଭାରତୀୟ ଫୁଟବଲ୍ ଦଳର ନୂଆ ପ୍ରଶିକ୍ଷକ

ମାର୍କ୍ବେଜ୍ ଭାରତୀୟ ଫୁଟବଲ୍ ଦଳର ନୂଆ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଆଇଏସ୍‌ଏଲ୍ ଦଳ ଏଫ୍‌ସି ଗୋଆର ସ୍ପେନୀୟ ପ୍ରଶିକ୍ଷକ ମନୋଲୋ ମାର୍କ୍ବେଜ୍ ଭାରତୀୟ ଫୁଟ୍‌ବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍) ଶନିବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଏହି ଘୋଷଣା କରିଛି। ତେବେ ମାର୍କ୍ବେଜ୍ ଭାରତୀୟ ଦଳ ସହ ସମାନ୍ତରାଳ ଭାବେ ମେ ୨୦୨୫ ପର୍ଯ୍ୟନ୍ତ ଏଫ୍‌ସି ଗୋଆର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇବେ ବୋଲି ଜଣାପଡ଼ିଛି। କାରଣ ଏଫ୍‌ସି ଗୋଆ ସହ ତାଙ୍କର ସେପର୍ଯ୍ୟନ୍ତ ଚୁକ୍ତି ରହିଛି। ଗୋଆ ବି ତାଙ୍କୁ ନିଜ ପ୍ରଶିକ୍ଷକ ପଦରୁ ଛାଡ଼ିବାକୁ ରାଜି ନାହିଁ। ଏଣୁ ଏଫ୍‌ସି ଗୋଆ ସହ କରିଥିବା ଚୁକ୍ତି ଅବଧି ଶେଷ ହେବା ପରେ ଯାଇ ମାର୍କ୍ବେଜ୍ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହୋଇପାରିବେ। ସେ ଇଗୋର ଷ୍ଟିମାକଙ୍କ ସ୍ଥାନ ନେବେ।

ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ପର୍ଯ୍ୟାୟକୁ ଯିବାରେ ଭାରତୀୟ ଫୁଟ୍‌ବଲ୍ ଦଳ ଅସମର୍ଥ ହେବା ପରେ ଏଆଇଏଫ୍‌ଏଫ୍ ପୁରୁଣା ପ୍ରଶିକ୍ଷକ ଇଗୋର ଷ୍ଟିମାକ୍‌ଙ୍କୁ ଗତ ମାସ ୧୭ ତାରିଖରେ ତାଙ୍କ ପଦରୁ ବରଖାସ୍ତ କରିଥିଲା। ସେବେଠାରୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଖାଲି ରହିଥିଲା। ଏହି ଦୌଡ଼ରେ ମାର୍କ୍ବେଜ୍‌ଙ୍କ ସହ ଅନ୍ୟତମ ସ୍ପେନୀୟ ପ୍ରଶିକ୍ଷକ ଆଣ୍ଟୋନିଓ ଲୋପେଜ୍ ହବାସ୍ ଓ ଭାରତୀୟ ସଞ୍ଜୋ ସେନ୍ ରହିଥିଲେ। ଏଆଇଏଫ୍‌ଏଫ୍ କାର୍ଯ୍ୟକାରିଣୀ କମିଟିର ସଦସ୍ୟମାନେ ଶନିବାର ସଭାପତି କଲ୍ୟାଣ ଚୌବେଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକରେ ମିଳିତ ହୋଇ ୫୫ ବର୍ଷୀୟ ମାର୍କ୍ବେଜ୍‌ଙ୍କୁ ବାଛିଥିଲେ।

ଅନିଲ କୁମାର ଏଆଇଏଫଏଫ୍‌ ସାଧାରଣ ସଂପାଦକ
ଶନିବାରର ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରିଣୀ କମିଟି ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। କମିଟି ସର୍ବସମ୍ମତିକ୍ରମେ କେରଳ ଫୁଟ୍‌ବଲ୍ ସଂଘର ସଂପାଦକ ଅନିଲ କୁମାରଙ୍କୁ ଏଆଇଏଫ୍‌ଏଫ୍‌ର ପୂର୍ଣ୍ଣକାଳୀନ ସାଧାରଣ ସଂପାଦକ ବାଛିଛି। କାର୍ଯ୍ୟନିର୍ବାହୀ ସଂପାଦକ ଏମ୍. ସତ୍ୟନାରାୟଣ ତାଙ୍କ ସହକାରୀ କାର୍ଯ୍ୟ ସଂପାଦନ କରିବେ। ସେହିଭଳି ୨୦୨୪-୨୫ ଋତୁରେ ଦେଶର ଶୀର୍ଷସ୍ତରୀୟ ପେସାଦାର ଲିଗ୍‌ ଆଇଏସ୍‌ଏଲ୍‌ରେ ରେଲିଗେସନ୍ (ତଳକୁ ଖସିବା ନିୟମ) ନିୟମ ଲାଗୁ କରାଯିବ ନାହିଁ। ଏସୀୟ ଫୁଟ୍‌ବଲ୍ ମହାସଂଘର ପରାମର୍ଶ ଅନୁଯାୟୀ ୨୦୨୪-୨୫ ଋତୁରୁ ଆଇଏସ୍‌ଏଲ୍‌ରେ ରେଲିଗେସନ୍ ନିୟମ ଲାଗୁହେବାର ଥିଲା। ‌ତେବେ ଏହାକୁ ସ୍ଥଗିତ ରଖିବାକୁ ଶନିବାର ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଆଇ-ଲିଗ୍‌ରେ ୨୦୨୪-୨୫ ଋତୁରୁ ଏହି ନିୟମ ଲାଗୁ ହେବ। ତଦନୁଯାୟୀ ଟ୍ରାଉ ଏଫ୍‌ସି ଓ ନେରୋକା ଏଫ୍‌ସି ଆଇ-ଲିଗ୍‌ରୁ ବାଦ୍ ପଡ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe