ମାର୍ସ-ମ୍ୟାକ୍ସୱେଲ୍‌ଙ୍କ ଶତକ ଭାଗୀଦାରି

Advertisment
ମାର୍ସ-ମ୍ୟାକ୍ସୱେଲ୍‌ଙ୍କ ଶତକ ଭାଗୀଦାରି

Live Sport Centre

ମାଞ୍ଚେଷ୍ଟର୍ : ମି‌ଚେଲ୍ ମାର୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଶତକୀୟ ଭାଗୀଦାରି ବଳରେ ଇଂଲଣ୍ଡ ସମ୍ମୁଖରେ ଅଷ୍ଟ୍ରେଲିଆ ୨୯୫ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଦିନିକିଆ ଶୃଙ୍ଖଳାରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡ଼ି ଡେଭିଡ୍‌ ୱାର୍ନର (୬) ଏବଂ ଆରୋନ୍‌ ଫିଞ୍ଚ୍ (୧୬) ଶସ୍ତାରେ ଆଉଟ୍ ହୋଇଯିବା ପରେ ମାର୍କସ ଷ୍ଟୋଇନିସ୍ (୪୩, ୩୪ ବଲ) ଭଲ ବ୍ୟାଟିଂ କରିଥିଲେ। ମାର୍ନସ ଲବୁସାନ୍ (୨୧) ଏବଂ ଆଲେକ୍ସ କ୍ୟାରି (୧୦) କ୍ରିଜ୍‌ରେ ଜମିବା ପରେ ଆଉଟ୍ ହୋଇଯାଇଥିଲେ। ଫଳରେ ଭ୍ରମଣକାରୀ ଦଳ ୨୪ତମ ଓଭରରେ ୧୨୩ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ମିଚେଲ୍ ମାର୍ସ (୭୩, ୧୦୦ ବଲ, ୬ ଚୌକା) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୭୭, ୫୯ ବଲ୍‌, ୪ ଚୌକା, ୪ ଛକା) ଷଷ୍ଠ ୱିକେଟ୍ ଭାଗୀଦାରିରେ ୧୨୬ ରନ୍‌ ଯୋଡ଼ିଥିଲେ। ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ମାର୍ସଙ୍କ ଦାୟିତ୍ବପୂର୍ଣ୍ଣ ପାଳି କାରଣରୁ ଅଷ୍ଟ୍ରେଲିଆ ୨୯୪ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା‌ କରିବାରେ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଦ୍ରୁତ ବୋଲର ଯୋଡ଼ି ଜୋଫ୍ରା ଆର୍ଚର (୩/୫୭) ଓ ମାର୍କ ଉଡ୍ (୩/୫୪) ଏବଂ ସ୍ପିନର୍‌ ଆଦିଲ୍ ରସିଦ୍ (୨/୫୫), କ୍ରିସ୍‌ ୱକ୍ସ (୧/୫୯) ୱିକେଟ୍ ବାଣ୍ଟି ନେଇଥିଲେ।

ଷ୍ଟିଭେନ୍ ସ୍ମିଥ୍‌ ନେଟ୍‌ସରେ ଅଭ୍ୟାସ ବେଳେ ଆଘାତପ୍ରାପ୍ତ ହେବାରୁ ଏହି ମ୍ୟାଚ୍‌ ଖେଳିପାରିନାହାନ୍ତି। ଅନ୍ୟପକ୍ଷରେ ୨୦୧୯ ବିଶ୍ବକପ୍‌ ବିଜେତା ହେବା ପରଠାରୁ‌ ଦିନିକିଆ ଖେଳିନଥିବା ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ୩ ଲେଖାଏଁ ୱିକେଟ୍ ନେଇ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ରସିଦ୍‌ ଶୁକ୍ରବାରର ୨ ୱିକେଟ୍ ସହିତ ଆଣ୍ଡରସନଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଅଗ୍ରଣୀ ୱିକେଟ ଦଖଲକାରୀ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୨୯୪/୯ (ଗ୍ଲେନ୍ ମ୍ୟାକ୍ସୱେଲ୍‌-୭୭, ମିଚେଲ୍ ମାର୍ସ-୭୩, ମାର୍କସ ଷ୍ଟୋଇନିସ୍‌-୪୩, ମିଚେଲ୍ ଷ୍ଟାର୍କ-୧୯*, ମାର୍କ ଉଡ୍‌-୩/୫୪, ଜୋର୍ଫା ଆର୍ଚର-୩/୫୭, ଆଦିଲ୍ ରସିଦ୍‌-୨/୫୫, କ୍ରିସ୍‌ ୱକ୍ସ-୧/୫୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe