ଅଲିମ୍ପିକ୍ସ ସ୍ବର୍ଣ୍ଣ ନଜିତିବା ଯାଏଁ ଖେଳ ଛାଡ଼ିବିନି: ମେରି କମ୍‌

Advertisment
ଅଲିମ୍ପିକ୍ସ ସ୍ବର୍ଣ୍ଣ ନଜିତିବା ଯାଏଁ ଖେଳ ଛାଡ଼ିବିନି: ମେରି କମ୍‌

Deccan Chronicle

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ନଜିତିବା ପର୍ଯ୍ୟନ୍ତ ଖେଳ ଛାଡ଼ିବିନି। ଏକଥା କହିଛନ୍ତି ୬ ଥର ବିଶ୍ବ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌। ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ମୋର ସ୍ବପ୍ନ। ଏଥିପାଇଁ ସବୁପ୍ରକାରର ଉଦ୍ୟମ କରୁଥିବା ବୁଧବାର ଏକ ସାକ୍ଷାତକାରରେ କହିଛନ୍ତି ୩୭ ବର୍ଷ ବୟସ୍କା ମେରି। ତେଣୁ ଲଢ଼େଇ ଜାରି ରଖିବି ଏବଂ ଭାରତ ପାଇଁ ଅଲିମ୍ପିକ୍ସ ସ୍ବର୍ଣ୍ଣ ନଜିତିବା ପର୍ଯ୍ୟନ୍ତ ଖେଳ ଛାଡ଼ିବିନି ବୋଲି କହିଛନ୍ତି। ତେବେ ବିଶ୍ବ ପ୍ରତିଯୋଗିତାର ସଫଳତା ପାଇବାରେ ସେଭଳି କିଛି ଗୋପନ ମନ୍ତ୍ର ନଥିଲା ବୋଲି ମେରି କମ୍‌ କହିଛନ୍ତି।

ମେରି କମ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୫୧ କିଲୋଗ୍ରାମ ଓଜନ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ତେବେ ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ଏସବୁ ସତ୍ତ୍ବେ ଗତ ମାସରେ ଜୋର୍ଡାନରେ ଆୟୋଜିତ ଏସୀୟ-ଓସେନିଆ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରୁ ସେ ଦ୍ବିତୀୟ ଥର ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ କରୋନା ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତ ବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ଅମନରୁ ଫେରିବା ପରଠୁ ମେରି କମ୍‌ ତାଲାବନ୍ଦ ଯୋଗୁଁ ଘରେ ରହୁଛନ୍ତି। ଏହାସତ୍ତ୍ବେ ନିଜକୁ ଫିଟ୍‌ ରଖିବାକୁ ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଯଦିଓ ଘରେ ରହି ପ୍ରସ୍ତୁତି କରିବା ସହଜ ନୁହେଁ, ତଥାପି ପରିବାର ସହ ସମୟ ବିତାଇପାରୁଥିବାରୁ ସେ ଖୁସି ଅଛନ୍ତି। ତେଣୁ ‌ସ୍ବପ୍ନ ସାକାର କରିବା ପାଇଁ ସବୁ ଭାରତୀୟଙ୍କ ଭଲପାଇବା ଓ ଆଶୀର୍ବାଦର ଆବଶ୍ୟକତା ରହିଥିବା ମେରି କମ୍‌ କହିଛନ୍ତି।

କରୋନା ବିରୋଧ ଲଢ଼େଇରେ ବିଜୟୀ ହେବା ପାଇଁ ଆମକୁ ସରକାରଙ୍କ ମାର୍ଗଦର୍ଶିକା ମାନିବାକୁ ପଡ଼ିବ। ତେଣୁ ଏହି ଲଢେଇରେ ଜିତିବା ପାଇଁ ସରକାର, ଡାକ୍ତରଖାନା କର୍ମଚାରୀଙ୍କୁ ସହଯୋଗ କରିବାର ଏକମାତ୍ର ଉପାୟ ହେଉଛି ଆମେ ସମସ୍ତେ ଗୃହାବଦ୍ଧ ରହିବା। ଯଦିଓ ଏହାକୁ ପାଳନ କରିବା କଷ୍ଟକର ହେବ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏଭଳି କରିବା ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି। ମେରି କମ୍‌ ଏବେ ରାଜ୍ୟସଭା ସଦସ୍ୟ ଥିଲା ବେଳେ ସେ ତାଙ୍କର ମାସକର ଦରମାକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏଥିସହିତ କରୋନା ବିରୋଧ ସଂଗ୍ରାମ ପାଇଁ ଆରମ୍ଭ ହୋଇଥିବା ରିଲିଫ କାର୍ଯ୍ୟରେ ସହାୟତା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe