ମୟଙ୍କଙ୍କ ମୁଣ୍ଡରେ ଆଘାତ: ପ୍ରଥମ ଟେଷ୍ଟ୍‌ରୁ ବାଦ୍‌

Advertisment
ମୟଙ୍କଙ୍କ ମୁଣ୍ଡରେ ଆଘାତ: ପ୍ରଥମ ଟେଷ୍ଟ୍‌ରୁ ବାଦ୍‌

ନଟିଂହାମ୍‌: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି। ସୋମବାର ଦଳର ଏକ ପ୍ରଶିକ୍ଷଣ ଅଧିବେସନ ଅବସରରେ ସାଥୀ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ଙ୍କ ଏକ ସର୍ଟ ବଲ୍‌ ତାଙ୍କ ମୁଣ୍ଡରେ ଜୋର୍‌ରେ ବାଜିଥିଲା। ସେ ନିଜକୁ ଅସହଜ ମନେ କରିଥିଲେ। ଏପରିକି ହେଲ୍‌ମେଟ୍‌ କାଢି ଦେଇ ପଡ଼ିଆରେ ବସିଯାଇଥିଲେ। ଫିଜିଓ ନିତିନ ପଟେଲ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ପଡ଼ିଆରୁ ବାହାରକୁ ନେଇଥିଲେ। ନେଟ୍‌ସ ଛାଡ଼ିବା ବେଳକୁ ସେ ମଧ୍ୟ ମୁଣ୍ଡର ପଛପଟକୁ ଚାପି ଧରୁଥିବା ଦେଖାଯାଇଥିଲା। ଫଳରେ ମସ୍ତିସ୍କାଘାତ ଯୋଗୁଁ ତାଙ୍କୁ ପ୍ରଥମ ଟେଷ୍ଟ୍‌ରୁ ବାଦ୍‌ ଦିଆଯାଇଛି।

ଏବେ ଭାରତୀୟ ବୋଲିଂକ୍ରମର ସବୁଠୁ ଦ୍ରୁତ ବୋଲର ବିବେଚିତ ସିରାଜ୍‌ଙ୍କୁ ସାମ୍‌ନା କରୁଥିଲା ବେଳେ ମୟଙ୍କ ଏକ ସର୍ଟ ବଲ୍‌ ଉପରୁ ଦୃଷ୍ଟି ଏଡାଇ ନେଇଥିଲେ। ଫଳରେ ବଲ୍‌ ତାଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ମେଡିକାଲ ଦଳ ତାଙ୍କ ଆଘାତର ଆକଳନ କରିଥିଲେ ଏବଂ ମସ୍ତିସ୍କାଘାତ ପରୀକ୍ଷା ମଧ୍ୟ କରାଯାଇଥିଲା। ସେ ମସ୍ତିସ୍କାଘାତର ଶିକାର ହୋଇଥିବା ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ପ୍ରଥମ ଟେଷ୍ଟ୍‌ରୁ ବାଦ୍‌ ଦିଆଯାଇଥିବା ଜଣାଇଛନ୍ତି ବିସିସିଆଇ ସଂପାଦକ ଜୟ ସାହା। ତେବେ ଏହି ୩୦ ବର୍ଷ ବୟସ୍କ ବ୍ୟାଟ୍‌ସମ୍ୟାନ୍‌ଙ୍କ ଅବସ୍ଥା ସ୍ଥିର ରହିଛି। ସେ ଡାକ୍ତରୀ ଦଳର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିଛନ୍ତି ବୋଲି ସାହା କହିଛନ୍ତି। ଅନ୍ୟପକ୍ଷରେ ମୟଙ୍କଙ୍କୁ ଛାଡ଼ି ଅନ୍ୟ ସମସ୍ତ ଖେଳାଳି ଫିଟ୍‌ ଅଛନ୍ତି ବୋଲି ଉପଅଧିନାୟକ ଆଜିଙ୍କ୍ୟ ରହାଣେ କହିଛନ୍ତି।

ମୟଙ୍କଙ୍କ ଅନୁପସ୍ଥିତିରେ ଏବେ କେଏଲ୍‌ ରାହୁଲଙ୍କୁ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। ଅନ୍ୟ ବିଳକ୍ପ ଭାବେ ବେଙ୍ଗଲ ତାରକା ଅଭିମନ୍ୟୁ ଇଶ୍ବରନ୍‌ ରହିଥିଲେ ମଧ୍ୟ ରାହୁଲ୍‌ ଅଧିକ ପସନ୍ଦ ରହିବେ ବୋଲି ଜଣାପଡ଼ିଛି। ନହେଲେ ହନୁମା ବିହାରୀ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ଭଳି ଇଂଲଣ୍ଡ ବିପକ୍ଷରେ ପାଳି ଆରମ୍ଭ କରିପାରନ୍ତି। ସେ ଯଦି ପାଳି ଆରମ୍ଭ କରନ୍ତି ଏବ ଅଫ୍‌ସ୍ପିନ୍‌ ବୋଲିଂ କରନ୍ତି ତାହାଲେ ସିମ୍‌ ଅଲ୍‌ରାଉଣ୍ଡର ଶାର୍ଦୁଲ ଠାକୁର ଚୂଡାନ୍ତ ଦଳରେ ସ୍ଥାନ ପାଇବା ସମ୍ଭାବନା ରହିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ମୟଙ୍କଙ୍କ ପୂର୍ବରୁ ଶୁବମନ୍‌ ଗିଲ୍‌, ୱାସିଂଟନ୍‌ ସୁନ୍ଦର ଏବଂ ଅଭେଶ ଖାନ୍‌ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe