ଦୁବାଇ : କ୍ରିେକଟ୍କୁ ଯୌନ ଶୋଷଣ ମୁକ୍ତ କରିବା ଲାଗି ଆଇସିସି ଅଣ୍ଟା ଭିଡ଼ିଛି। ସେଥିପାଇଁ ୱେଷ୍ଟଇଣ୍ଡିଜରେ ନଭେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ନୁଆ ଯୌନ ଶୋଷଣ ନିୟମ ଲାଗୁ କରିବାକୁ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ପ୍ରସ୍ତୁତ ହେଉଛି। ବୁଧବାର ସିଙ୍ଗାପୁରରେ ବସିଥିବା ଆଇସିସିର ଏକ ମହତ୍ବପୂର୍ଣ୍ଣ ବୈଠକରେ ଏଥିନେଇ ବିସ୍ତୃତ ଆଲୋଚନା ହୋଇଛି। କ୍ରିକେଟ୍ରେ ମଧ୍ୟ ମହିଳାମାନେ ଶୋଷଣର ଶିକାର ହେଉଥିବା ଖବର ପ୍ରକାଶ ପାଇବା ପରେ ଆଇସିସି ଏଥିନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଇସିସି ମୁଖ୍ୟ ପରିଚାଳନା ଅଧିକାରୀ ଲେନ୍ ହିଗିନ୍ସ ଏବଂ ବରିଷ୍ଠ ଓକିଲ ସାଲି କ୍ଲାର୍କ ମହିଳା କ୍ରିକେଟ୍ ସମିତିକୁ ପଠାଇଥିବା ପତ୍ରରେ କହିଛନ୍ତି। ବିଶ୍ବକପ୍ ପୂର୍ବରୁ ଏଥିନେଇ ନିୟମ କାନୁନ ପ୍ରସ୍ତୁତ କରିବାକୁ ଉଭୟ ଆହ୍ବାନ କରିଛନ୍ତି। ମହିଳାମାନେ କର୍ମ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଶୋଷଣ ବିରୋଧରେ ଆରମ୍ଭ ହୋଇଥିବା ମି-ଠୁ ଅଭିଯାନରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରିଙ୍କ ନାଁ ଆସିବା ପରେ ଆଇସିସି ଏହାକୁ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛି। ଏହି କାରଣରୁ ରାହୁଲ ମଧ୍ୟ ସିଙ୍ଗାପୁର ବୈଠକରେ ଯୋଗ ଦେଇନାହାନ୍ତି। ପୂର୍ବରୁ ମଧ୍ୟ କେତେକ ଘରୋଇ କ୍ଲବର ପ୍ରଶିକ୍ଷକ, ସହାୟକ ଅଧିକାରୀ, ଟିଭି କଂପାନିର ନିଦେର୍ଶକଙ୍କ ବିରୋଧରେ ଉଦୀୟମାନ ମହିଳା ଖେଳାଳିମାନେ ଆଶାଳୀନ ବ୍ୟବହାରର ଅଭିଯୋଗ କରି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇସିସି ତୁରନ୍ତ ନୂଆ ନିୟମ ଆଣିବା ଦରକାର ବୋଲି ମଧ୍ୟ ସାଧାରଣରେ ମତ ପ୍ରକାଶ ପାଇଛି।
କ୍ରିକେଟ୍ରେ ମି-ଠୁ ପ୍ରଭାବ, ଆଇସିସି ଆଣିବ ଯୌନ ଶୋଷଣ ନିୟମାବଳୀ
Advertisment
Follow Us