କୀର୍ତିମାନ ସତ୍ତ୍ୱେ ରୋନାଲ୍‌ଡୋ ରଙ୍ଗହୀନ

Advertisment
କୀର୍ତିମାନ ସତ୍ତ୍ୱେ ରୋନାଲ୍‌ଡୋ ରଙ୍ଗହୀନ

ମସ୍କୋ: ଚଳିତ ଫିଫା ବିଶ୍ୱକପ୍‌ରୁ ଦୁଇ ମହାନ ଖେଳାଳି ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଅଧୁରା ବିଦାୟ ସେମାନଙ୍କ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ବିଶ୍ୱକପ୍‌ରେ ଏମାନଙ୍କ ଖେଳ ଆଉ ଦେଖାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେବେ ୩୩ ବର୍ଷୀୟ ରୋନାଲଡୋ ବିଶ୍ୱକପ୍‌ ମଇଦାନ ଛାଡ଼ିବା ଅସବରରେ ଏକାଧିକ କୀର୍ତିମାନ ଛାଡ଼ିଯାଇଛନ୍ତି। ପ୍ରଥମ ୨ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ସହ ୪ ଗୋଲ୍‌ ଦେବା ପରେ ଇରାନ୍‌ ବିପକ୍ଷ ପେନାଲଟି ମିସ୍‌ ତାଙ୍କୁ ଅସୁବିଧାରେ ପକାଇଥିଲା। କିନ୍ତୁ ଦଳ ପ୍ରିକ୍ୱାର୍ଟର ଫାଇନାଲ୍‌ ପହଞ୍ଚି ଉରୁଗୁଏ ନିକଟରୁ ହାରି ବିଦାୟ ନେଇଛି। ‘ମୁଁ ଖୁସିର ସହ ବିଶ୍ୱକପ୍‌ରୁ ବିଦାୟ ନେଉଛି’ ବୋଲି ଶନିବାର ରାତି ପରାଜୟ ପରେ କହିଛନ୍ତି ରୋନାଲ୍‌ଡୋ। କାରଣ ସାଧାରଣ ଭାବେ ଦେଖିଲେ ଆମେ ମୁଣ୍ଡ ଉଚ୍ଚା କରି ଫେରୁଛୁ। ପର୍ତୁଗାଲ୍‌ ବିଜୟ ଜାରି ରଖିବ ବୋଲି ସେ କହିଥିଲେ। ରୁଷିଆ ସଂସ୍କରଣରେ ରୋନାଲଡୋ ନିଜର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ସାମୟିକ ସମୟ ପାଇଁ ବୟୋଜ୍ୟେଷ୍ଠ ଗୋଲ୍‌ ସ୍କୋରର୍‌ ହୋଇଥିଲେ। ଯାହାକୁ କ୍ୱାରେଜ୍‌ମୋ ଏବଂ ପେପେ ପଛରେ ପକାଇ ଦେଇଥିଲେ। ପ୍ରତିଯୋଗିତାର ଦ୍ରୁତତମ ଗୋଲ୍‌, ପ୍ରଥମ ହ୍ୟାଟ୍ରିକ୍‌ ଏବଂ ଜାତୀୟ ଦଳ ପାଇଁ ସର୍ବାଧିକ ଗୋଲ୍‌ ଦେବାରେ ମଧ୍ୟ ସେ କୀର୍ତିମାନ କରିଥିଲେ। ଏସବୁ ସତ୍ତ୍ୱେ ପର୍ତୁଗାଲ୍‌ ଦଳର ଏକାଗ୍ରତା କଥା କହିଥିଲେ ରୋନାଲଡୋ। ଜାତୀୟ ଦଳ ବିଶ୍ୱରେ ଅନ୍ୟତମ ଶ୍ରେଷ୍ଠ ହେବାକୁ ଅଭିଯାନ ଜାରି ରଖିବ। ୨୦୨୨ କାତାର ବିଶ୍ୱକପ୍‌ ବେଳକୁ ରୋନାଲ୍‌ଡୋଙ୍କ ବୟସ ୩୭ ହୋଇଯାଉଥିବାରୁ ସେ ଖେଳିବା ନେଇ ସନ୍ଦେହ ରହିଛି। ବଡ଼ ଖେଳାଳି ଅଛନ୍ତି, ଯୁବ ଖେଳାଳିମାନେ ପ୍ରତିଭାରେ ଭରପୁର। ଏହି ଧାରା ଆଗକୁ ବଢ଼ିବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଥିଲେ। ଅଧିନାୟକ ଭାବେ ରୁଷିଆ ପ୍ରଦର୍ଶନକୁ ନେଇ ମୁଁ ଗର୍ବିତ ଓ ଖୁସି ବୋଲି ସେ ପ୍ରକାଶ କରିଥିଲେ। ନକ୍‌ ଆଉଟ୍‌ ମ୍ୟାଚ୍‌ରେ କିଛି ବି ଘଟିପାରୋ। ଉରୁଗୁଏ ଭଲ ଖେଳିଲା, ମୁଁ ଏହି ଦଳକୁ ଅଭିନନ୍ଦନ ଜଣାଉଛି। ମୋ ମତରେ ଉରୁଗୁଏ ତୁଳନାରେ ପର୍ତୁଗାଲ୍‌ ଭଲ ଖେଳିଥିଲା। ସୁଯୋଗ ସୃଷ୍ଟି କରିବା ଏବଂ ଗୋଲ୍‌ ଦେବା ଫୁଟ୍‌ବଲ୍‌ର କଥା କହିଥାଏ। ଅଧିକ ଗୋଲ୍‌ ଦେବା ଦଳ ବିଜୟୀ ହୁଏ, ସେଥି ପାଇଁ ଉରୁଗୁଏ ଉତ୍ସବ ପାଳୁଛି ବୋଲି ରୋନାଲ୍‌ଡୋ କହିଥିଲେ।

ସୂଚନାଯୋଗ୍ୟ, ପର୍ତୁଗାଲ୍‌ ପ୍ରିକ୍ୱାର୍ଟର ଫାଇନାଲ୍‌ରୁ ବିଦାୟ ନେବାରେ ୨୦୧୦ ପ୍ରଦର୍ଶନକୁ ଦୋହରାଇଥିଲା। ଦଳର ଶ୍ରେଷ୍ଠ ପ୍ରଦର୍ଶନ ରହିଛି ୧୯୬୬ ମସିହା ଯେତେବେଳେ ଦେଶ କାଂସ୍ୟ ବିଜେତା ହୋଇଥିଲା। ୨୦୦୬ରେ ଚତୁର୍ଥ ସ୍ଥାନରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe