ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର: ପହଞ୍ଚିଲେ ପୁରୁଷ ହକି ଦଳ, ମହିଳାଙ୍କ ଅଭ୍ୟାସ

Advertisment
ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର: ପହଞ୍ଚିଲେ ପୁରୁଷ ହକି ଦଳ, ମହିଳାଙ୍କ ଅଭ୍ୟାସ

ଭୁବନେଶ୍ବର: ନଭେମ୍ବର ପହିଲାରୁ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଆୟୋଜିତ ହେବାକୁ ଥିବା ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଲାଗି ସୋମବାର ଭାରତୀୟ ସମ୍ଭାବ୍ୟ ପୁରୁଷ ହକି ଦଳର ଖେଳାଳିମାନେ ପର୍ଯ୍ୟାୟକ୍ରମେ ଭୁବନେଶ୍ବର ପହଞ୍ଚିଛନ୍ତି। ଅପରାହ୍‌ଣରେ ଅଧିନାୟକ ମନପ୍ରୀତ ସିଂହଙ୍କ ସହ ରମଣଦୀପ ସିଂହ, ବରୁଣ କୁମାର, ସମଶେର ସିଂହ, ଶିବେନ୍ଦ୍ର ସିଂହ, ହରମନପ୍ରୀତ ସିଂହ, ସିମରନଜିତ ସିଂହ, ପିଆର ଶ୍ରୀଜେଶ ଓ କୃଷ୍ଣ ବାହାଦୂର ଥାପ୍ପା ପହଞ୍ଚିଥିଲେ। ସଂଧ୍ୟାରେ ପ୍ରଶିକ୍ଷକ ଗ୍ରାହାମ ରିଡ୍, ଏସଭି ସୁନୀଲ, ସୁରେନ୍ଦ୍ର କୁମାର, ମନଦୀପ ସିଂହ, ହାର୍ଦିକ ସିଂହ ଓ ରୂପିନ୍ଦର ପାଲ ସିଂହ ପ୍ରମୁଖ ଆସିଥିଲେ। ସ୍ଥାନୀୟ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସ ସେମାନଙ୍କୁ ସିଧାସଳଖ ଭୁବନେଶ୍ବରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ରବିବାର ଭାରତୀୟ ମହିଳା ଦଳର ଅଧିକାଂଶ ଖେଳାଳି ପହଞ୍ଚି ସାରିଥିଲା ବେଳେ ସୋମବାର ବଳକା ଖେଳାଳିମାନେ ପହଞ୍ଚିଛନ୍ତି। ପ୍ରଶିକ୍ଷଣ ଶିବିର ଲାଗି ୨୨ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି। ପ୍ରଶିକ୍ଷଣ ଶିବିରର ପ୍ରଦର୍ଶନ ଆଧାରରେ ଯାହାକୁ ପରବର୍ତୀ ସମୟରେ ୧୬ ଜଣକୁ କମାଇ ଦିଆଯିବ।

ସୋମବାର ସଂଧ୍ୟାରେ ଭାରତୀୟ ସମ୍ଭାବ୍ୟ ୨୨ ଜଣିଆ ମହିଳା ଦଳ କଳିଙ୍ଗ ଷ୍ଟାଡିୟମର ନୀଳ ଟର୍ଫରେ ଅଭ୍ୟାସ ଆରମ୍ଭ କରିଛି। କେତେକ ଶାରୀରିକ ଅଭ୍ୟାସ ସହ ଖେଳାଳିମାନେ ପେନାଲ୍ଟି କର୍ନର ଟ୍ରେନିଂ ଉପରେ ଅଧିକ ଧ୍ୟାନ ଦେଇଥି‌ଲେ। ପ୍ରଶିକ୍ଷକ ଜୋଏଡ୍ ମାରିନ ସେମାନଙ୍କ ମାର୍ଗଦର୍ଶନ କରିଥିଲେ। ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ସେହିଭଳି ପ୍ରଥମ ଥର ଏଠାରେ ମଧ୍ୟ ଭାରତୀୟ ମହିଳା ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି। ଭାରତୀୟ ମହିଳା ଦଳରେ ଓଡ଼ିଶାର ୩ ଜଣ ଖେଳାଳି ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ ସ୍ଥାନ ପାଇଛନ୍ତି। ଆଜି ଅଭ୍ୟାସରେ ଦୀପଗ୍ରେସ ହିଁ ମୁଖ୍ୟ ଆକର୍ଷଣ ଥିଲେ।

ଅନଲାଇନ୍‌ରେ ମିଳୁଛି ଟିକେଟ୍‌
ନଭେମ୍ବର ୧ ଏବଂ ୨ ତାରିଖର ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଲାଗି ଅନଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇ ସାରିଛି। ଦର୍ଶକମାନେ ଗୋଟିଏ ଟିକେଟରେ ଉଭୟ ମହିଳା ଏବଂ ପୁରୁଷ ମ୍ୟାଚ୍ ଦେଖିପାରିବେ। ମହିଳା ମ୍ୟାଚ୍ ସଂଧ୍ୟା ୬ ଏବଂ ପୁରୁଷ ମୁକାବିଲା ରାତି ୮ଟାରୁ ଆରମ୍ଭ ହେବ। ନଭେମ୍ବର ପହିଲାରେ ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିବା ପରେ ଦ୍ବିତୀୟରେ ଭାରତୀୟ ପୁରୁଷ ଦଳ ରୁଷିଆର ମୁହାଁମୁହିଁ ହେବ। ନଭେମ୍ବର ୨ରେ ସେହିଭଳି ମହିଳା ମ୍ୟାଚ୍ ପରେ ପୁରୁଷ ମ୍ୟାଚ୍ ଆରମ୍ଭ ହେବ। ଦୁଇ ଦିନରେ ଲଗାତାର ଖେଳା ଯିବାକୁ ଥିବା ଦୁଇଟି ମୁକାବିଲାରୁ ଯେଉଁ ଦଳ ଅଧିକ ପଏଣ୍ଟ୍‌ ଅର୍ଜନ କରିବ, ସିଏ ଟୋକିଓ ଅଲିମ୍ପକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସର ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ଲାଗି ଟିକେଟ୍‌ ଦର ୨୦୦ ଟଙ୍କା ରଖା ଯାଇଛି। ପୂର୍ବ ଷ୍ଟାଣ୍ଡ ଟିକେଟ୍‌ ମୂଲ୍ୟ ୩୦୦ ଟଙ୍କା ଥିଲା ବେଳେ ପଶ୍ଚିମର ଭିଆଇପି ଗ୍ୟାଲେରି ଟିକେଟ ଦାମ୍ ୫୦୦ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe