ଇତିହାସ ରଚିଲେ ମେରି କମ୍‌, ଷଷ୍ଠ ଥର ଲାଗି ବିଶ୍ବ ବିଜୟିନୀ ସୋନିଆ ରୌପ୍ୟରେ ସନ୍ତୁଷ୍ଟ

Advertisment
ଇତିହାସ ରଚିଲେ ମେରି କମ୍‌, ଷଷ୍ଠ ଥର ଲାଗି ବିଶ୍ବ ବିଜୟିନୀ ସୋନିଆ ରୌପ୍ୟରେ ସନ୍ତୁଷ୍ଟ

New Delhi: Indian boxer Mary Kom (in Blue) gets emotional as she celebrates after winning the final match of women's light flyweight 45-48 kg against Ukraine's Hanna Okhota at AIBA Women's World Boxing Championships, in New Delhi, Saturday, Nov. 24, 2018. (PTI Photo/Ravi Choudhary) (PTI11_24_2018_000052B)

ନୂଆଦିଲ୍ଲୀ: ଷଷ୍ଠ ଥର ଲାଗି ବିଶ୍ବ ବିଜୟିନୀ ‌ହୋଇ ଇତିହାସ ରଚିଛନ୍ତି ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌। ‌ଚଳିତ ମହିଳା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାର ଶନିବାର ୪୮ କିଲୋଗ୍ରାମ୍‌‌ ଲାଇଟ୍‌ ଫ୍ଲାଇୱେଟ୍‌ ବର୍ଗ ଫାଇନାଲ୍‌ରେ ଏହି ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ୫-୦ରେ ୟୁକ୍ରେନ୍‌ର ହାନ୍ନା ଓଖୋତାଙ୍କୁ ମାତ୍‌ ଦେଇ ଐତିହାସିକ ଷଷ୍ଠ ସ୍ବର୍ଣ୍ଣ ପଦକ ହାତେଇଥିଲେ। ଫାଇନାଲ୍‌ ଜିତିବା ପରେ ମେରି କମ୍‌ ଆତ୍ମବିଭୋର ହୋଇପଡ଼ିଥିଲେ। ସ୍ଥାନୀୟ କେଡି ଯାଦବ ଇନ୍‌ଡୋର ହଲ୍‌ରେ ଶନିବାର ସ୍ବର୍ଣ୍ଣ ଜିତିବା ପରେ ଜାତୀୟ ପତାକାକୁ ଧରିଥିଲା ବେଳେ ମେରି କମ୍‌ଙ୍କ ଆଖିରେ ଲୁହ ଭରିଯାଇଥିଲା। ମୋ ଦେଶ ଏବଂ ମୋର କଠୋର ସାଧନା ପଛରେ ହାତଥିବା ସମସ୍ତ ବ୍ୟକ୍ତିଙ୍କୁ ଐତିହାସିକ ସ୍ବର୍ଣ୍ଣ ପଦକ ଉତ୍ସର୍ଗ କରୁଛି ବୋଲି ମେରି କମ୍‌ ଭାବବିହ୍ବଳ ହୋଇ କହିଥିଲେ। ମେରିକମ୍‌ଙ୍କ କୀର୍ତିମାନଭରା ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ମେରି କମ୍‌ ବାସ୍ତବରେ ଜଣେ ସ୍ବତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତା ଜରିଆରେ ଟ୍ବିଟ୍‌ କରିଛନ୍ତି।

ଶନିବାର ଫାଇନାଲ୍‌ ଜିତିବା ପରେ ୩୫ ବର୍ଷୀୟା ମଣିପୁରୀ ମା’ ୬ ଥର ବିଶ୍ବ ବିଜୟିନୀ ହେବାର ଗୌରବ ବହନ କଲେ। ସେ ମଧ୍ୟ ବିଶ୍ବ ପ୍ରତିଯୋଗିତା‌ରେ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ସର୍ବାଧିକ ସ୍ବର୍ଣ୍ଣ ଓ ପଦକ (୬ ସ୍ବର୍ଣ୍ଣ, ୧ ରୌପ୍ୟ) ଜିତିବାର କିର୍ତିମାନ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ କ୍ୟୁବାର କିମ୍ବଦନ୍ତୀ ପୁରୁଷ ଫେଲିକ୍ସ ସାଭୋନଙ୍କ ନାମରେ ସର୍ବାଧିକ ପଦକ କୀର୍ତିମାନ ଥିଲା। ୩ ଥରର ଅଲିମ୍ପିକ୍ସ ବିଜେତା ସାଭୋନ ୧୯୮୬ରୁ ୧୯୮୯ ମଧ୍ୟରେ ବିଶ୍ବ ପ୍ରତିଯୋଗିତାରେ ୬ ସ୍ବର୍ଣ୍ଣ ସାଙ୍ଗକୁ ଗୋଟିଏ ରୌପ୍ୟ ଜିତିଥିଲେ। ଏହି ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ମେରି କମ୍‌ ମହିଳା ବର୍ଗରେ ସର୍ବାଧିକ ପଦକ କୀର୍ତିମାନ ରଖିଥିବା ଆୟର୍ଲାଣ୍ଡର କିମ୍ବଦନ୍ତୀ କାଟି ଟେଲରଙ୍କ ୬ (୫ ସ୍ବର୍ଣ୍ଣ, ୧ କାଂସ୍ୟ) ସମକକ୍ଷ ରହିଥିଲେ। ଚଳିତ ସଂସ୍କରଣରେ ସେମିଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିବା ପରେ ସେ କେଟିଙ୍କ କୀର୍ତିମାନ ଭାଙ୍ଗିବା ସହ ବିଶ୍ବର ସର୍ବାଧିକ ସଫଳ ମହିଳା ଯୋଦ୍ଧା ହୋଇଯାଇଥିଲେ। ଏବେ ଏହି ୩ ପୂତ୍ର ସନ୍ତାନର ମା’ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ସଫଳ ଯୋଦ୍ଧା ହୋଇ ଯାଇଛନ୍ତି। ‌ମେରି କମ୍‌ ୭ ଥର ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ୬ ଥର ସ୍ବର୍ଣ୍ଣ ପଦକ ଉପରେ କବ୍‌ଜା କରିଥିଲେ। ପ୍ରଥମ ଥର ୨୦୦୧ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇବା ପରେ ମେରିକମ୍‌ ଆଉ ପଛକୁ ଫେରିନଥିଲେ। ଏହାପରେ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ରେ ଲଗାତାର ଭାବେ ସେ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ କବ୍‌ଜା କରିଥିଲେ। ମେରିକମ୍‌ ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍‌ରେ କାଂସ୍ୟ ଜିତିଥିଲା ବେଳେ ଚଳିତ ବର୍ଷ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ସେ ମଧ୍ୟ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ।

ମେରି କମ୍‌ ବିଶ୍ବ ପ୍ରତିଯୋଗିତାରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ବେଳେ ଅନ୍ୟତମ ଭାରତୀୟ ମହିଳା ସୋନିଆ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ସେ ଶନିବାର ୫୭ କେଜି ବର୍ଗ ସ୍ବର୍ଣ୍ଣ ଲଢ଼େଇରେ ଜର୍ମାନିର ଓର୍ନିଲା ଗ୍ରାବିଏଲ୍‌ ୱାନରଙ୍କଠୁ ୧-୪ରେ ହାରି ଯାଇଥି‌ଲେ। ଫଳରେ ଭାରତ ଏହି ପ୍ରତିଯୋଗିତାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୨ କାଂସ୍ୟ ସହ ମୋଟ ୪ ପଦକ ହାସଲ କରି ଅଭିଯାନ ଶେଷ କରିଛି। ମେରି କମ୍‌ ଓ ସୋନିଆଙ୍କ ବ୍ୟତୀତ ସିମ୍ରନ୍‌ଜିତ କୌର ବାଥ (୬୪ କିଲୋଗ୍ରାମ୍‌) ଏବଂ ଲଭ୍‌ଲିନା ବୋରଗୋହାଇଁ (୬୯ କିଲୋଗ୍ରାମ୍‌) କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe