Eden to Barabati: ଇଡେନ୍‌ରୁ ବାରବାଟୀକୁ ବାର୍ତ୍ତା

କୋଲକାତାର ଇଡେନ୍ ଗାର୍ଡେନ୍ସ ଏବଂ କଟକର ବାରବାଟୀ ଷ୍ଟାଡିୟମ୍ ହେଉଛି ପୂର୍ବଭାରତର ଦୁଇ ପୁରାତନ ଓ ପ୍ରସିଦ୍ଧ କ୍ରିକେଟ୍ ଷ୍ଟାଡିୟମ୍। ସ୍ଥିତି, ପରିସ୍ଥିତି, ପରିସଂଖ୍ୟାନରେ କିନ୍ତୁ ଉଭୟଙ୍କ ମଧ୍ୟରେ ବ୍ୟାପକ ଫରକ ଦେଖିବାକୁ ମିଳେ।

fshsfhhsfxsf

‌‌ଦେବାଶିଷ ସୁନ୍ଦରାୟ

କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସ ଏବଂ କଟକର ବାରବାଟୀ ଷ୍ଟାଡିୟମ୍ ହେଉଛି ପୂର୍ବଭାରତର ଦୁଇ ପୁରାତନ ଓ ପ୍ରସିଦ୍ଧ କ୍ରିକେଟ୍ ଷ୍ଟାଡିୟମ୍। ସ୍ଥିତି, ପରିସ୍ଥିତି, ପରିସଂଖ୍ୟାନରେ କିନ୍ତୁ ଉଭୟଙ୍କ ମଧ୍ୟରେ ବ୍ୟାପକ ଫରକ ଦେଖିବାକୁ ମିଳେ। ଇଡେନ୍ ସଂପ୍ରତି ନିଜ ୪୩ତମ ଟେଷ୍ଟ୍ ମ୍ୟାଚ୍ ଆୟୋଜନ କରିଛି। ବାରବାଟୀର ଟେଷ୍ଟ୍ ଆୟୋଜନ ଧାରା କିନ୍ତୁ ଦୁର୍ଭାଗ୍ୟଜନ ଭାବେ ମାତ୍ର ଦୁଇଟିରେ ସୀମିତ ରହିଯାଇଛି। ଇଡେନ୍‌ରେ ୧୯୩୪ ମସିହାରେ ପ୍ରଥମ ମ୍ୟାଚ୍ ଖେଳାଯିବା ପରଠାରୁ  ନିୟମିତ ଭାବେ ଏଠାରେ ଟେଷ୍ଟ୍ କ୍ରିକେଟ୍ ଖେଳାଯାଉଛି। ଅନ୍ୟପକ୍ଷରେ ୧୯୮୭ରେ ପ୍ରଥମ ଟେଷ୍ଟ୍ ଆୟୋଜନ କରିଥିବା ବାରବାଟୀ ୧୯୯୫ରେ ଦ୍ବିତୀୟ ମୁକାବିଲା ଆୟୋଜନ କରିବା ପରେ ଆଉ ଏଭଳି ସୌଭାଗ୍ୟ ପାଇନି। ୧୯୮୭ରେ ଏଠାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। କିଂବଦନ୍ତି କପିଳ ଦେବ (୬୦, ୪/୬୯, ୧/୩୬)ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ସିଂହଳୀ ଦଳକୁ ଘାଇଲା କରି ଭାରତ ୪ ଦିନ ଭିତରେ ଏହି ମୁକାବିଲାକୁ ଜିତି ନେଇଥିଲା। ୧୯୯୫ର ବର୍ଷା ପ୍ରଭାବିତ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ପାଞ୍ଚ ଦିନ ଧରି ମ୍ୟାଚ୍ ଚାଲିଥିଲା। ମାତ୍ର ୧୭୭.୫ ଓଭର ଖେଳ ସମ୍ଭବ ହୋଇଥିଲା। ଗୁଗ୍‌ଲି ବୋଲିଂ ପାଇଁ ଏକଦା ବିଶ୍ବ ପ୍ରସିଦ୍ଧ ଥିବା ଭାରତୀୟ ସ୍ପିନର୍‌ ନରେନ୍ଦ୍ର ହିରୱାନୀ (୬/୫୯) ନିଜ ସ୍ପିନ୍ ଯାଦୁ ଦେଖାଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେବେଠାରୁ ୩ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ବାରବାଟୀ ଆଉ ଟେଷ୍ଟ୍ ଆୟୋଜନ ଧାରାରେ ନିଜକୁ ସାମିଲ କରିପାରିନି। ଏହା ଭିତରେ କିନ୍ତୁ ଭାରତର ଅନେକ ନବନିର୍ମିତ ଷ୍ଟାଡିୟମ୍ ଟେଷ୍ଟ୍ ଭେନ୍ୟୁର ସ୍ବୀକୃତି ଲାଭ କରିସାରିଛି। ଏପରିକି ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍ ଦେଶର ସଦ୍ୟତମ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ଲାଭ କରିବାକୁ ଯାଉଛି। ଏଠାରେ ଚଳିତ ଶୃଙ୍ଖଳାର ଦ୍ବିତୀୟ ଓ ଶେଷ ମ୍ୟାଚ୍ ଖେଳାଯିବ। କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାର ମ୍ୟାଚ୍ ଆବଣ୍ଟନ ବେଳେ ବିସିସିଆଇ ବି ଆଉ ବାରବାଟୀକୁ ଟେଷ୍ଟ୍‌ ଭେନ୍ୟୁ ଭାବେ ବିଚାରକୁ ନେଉନି। 

ବାରବାଟୀକୁ ଟେଷ୍ଟ୍ ମ୍ୟାଚ୍ ନଆସିବା ଲାଗି ଅତୀତରେ ଏଠାକାର ପିଚ୍‌କୁ ଦାୟୀ କରାଯାଇଛି। ବାରବାଟୀ ପିଚ୍‌ରେ ପାଞ୍ଚ ଦିନ ଧରି ୪୫୦ ଓଭର କ୍ରିକେଟ୍ ଖେଳିବା ସୁରକ୍ଷିତ ନୁହେଁ ବୋଲି ଦ୍ବାହି ଦିଆଯାଇଛି। ଏହି ଅଭିଯୋଗ ଯେ ବାରବାଟୀକୁ ଟେଷ୍ଟ୍ ମ୍ୟାଚ୍ ନ ଆସିବାର ଅନେକ କାରଣ ଭିତରୁ  ଗୋଟିଏ ମାତ୍ର, ତାହା ଐତିହାସିକ ଇଡେନ୍‌ର ଗ୍ୟାଲେରିରେ ଜଣେ ସାଧାରଣ ଦର୍ଶକ ଭାବେ ବସି ମ୍ୟାଚ୍ ଦେଖିଲେ କିମ୍ବା ‌ଅନ୍ୟ କୌଣସି ଭାବେ ଏଠାରେ ଆୟୋଜିତ ମ୍ୟାଚ୍‌ର ମଜା ନେବାର ସୁ‌ଯୋଗ ପାଇଲେ ସ୍ପଷ୍ଟ ବାରିହେବ। ସେହିସବୁ କାରଣ ମଧ୍ୟରୁ ପ୍ରମୁଖଗୁଡ଼ିକୁ ଯଦି ବିଚାରକୁ ନିଆଯାଏ, ଜଣାପଡ଼ିବ ଶୃଙ୍ଖଳିତ ମ୍ୟାଚ୍ ଆୟୋଜନ ଲାଗି ଆଧୁନିକ ଜ୍ଞାନ କୌଶଳର ବ୍ୟବହାର, ପାଞ୍ଚ ଦିନ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଟିକେଟ୍ ବଣ୍ଟନ ଓ ବିକ୍ରିରେ ସ୍ବଚ୍ଛତା, ଶୃଙ୍ଖଳିତ ଦର୍ଶକ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କାର୍ଯ୍ୟକରିବାର ଉନ୍ନତ ଭିତ୍ତିଭୂମି ପ୍ରଦାନ, ପର୍ଯ୍ୟାୟକ୍ରମେ ମିଡିଆ ବକ୍ସରେ ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର୍‌ ଏବଂ ଦଳୀୟ ସ୍କୋର୍‌ର ସୂଚନା ଦେବା ପରମ୍ପରାରେ ବାରବାଟୀ କେବଳ ଇଡେନ୍ ଗାର୍ଡେନ୍ସ ନୁହେଁ, ଭାରତର ଅଧିକାଂଶ ଷ୍ଟାଡିୟମ୍‌ଠାରୁ ଢେର୍‌ ପଛରେ ରହିଛି। ମ୍ୟାଚ୍ ପରିଚାଳନା ବେଳେ ବେଙ୍ଗଲ କ୍ରିକେଟ୍ ସଂଘର କର୍ମକର୍ତ୍ତାଙ୍କ ତତ୍ପରତା, ଦର୍ଶକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସବୁ ପ୍ରକାର ସାହାଯ୍ୟ ଦେବା ଲାଗି ସବୁବେଳେ ସଜାଗ ରହିବାର ଅଭ୍ୟାସ ଏବଂ କୋଲକାତା ପୁଲିସକର୍ମୀଙ୍କ ଦର୍ଶକ ନିୟନ୍ତ୍ରଣ ଦକ୍ଷତାରୁ ଅନ୍ତତଃ ଓଡ଼ିଶା କ୍ରିକେଟ୍ ସଂଘ ଅନେକ କିଛି ଶିକ୍ଷା ଲାଭ କରିପାରିବ। ଅନେକ ସମୟରେ କଟକରେ ପଞ୍ଚ ତାରକା ହୋଟେଲର ଅଭାବ ଏବଂ ଭୁବନେଶ୍ବରରେ ଥିବା ଭଲ ହୋଟେଲଗୁଡ଼ିକର ଦୂରତା ବାରବାଟୀକୁ ଟେଷ୍ଟ୍ ନମିଳିବା ଦିଗରେ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି ଚର୍ଚ୍ଚା ହୋଇଥାଏ। ହେଲେ ଦ୍ବୈତ ନଗରୀରେ ସଂପ୍ରତି ଏକାଧିକ ବହୁ ତାରକା ହୋଟେଲ ନିର୍ମାଣାଧୀନ ରହିଥିବାରୁ ଏହି ସମସ୍ୟା ଖୁବ୍‌ଶୀଘ୍ର ଦୂର ହୋଇଯିବା ଏକପ୍ରକାର ନିଶ୍ଚିତ।

ଏଣୁ ଟେଷ୍ଟ୍ ଆୟୋଜନ ପାଇଁ ଏସବୁ ତଥାକଥିତ ଅବରୋଧକୁ ଆଳ କରିବା ଛାଡ଼ି ବ୍ୟାବହାରିକ ଓ ପରିଚାଳନାଗତ ଦକ୍ଷତାକୁ ବଢ଼ାଇବାକୁ କ୍ରିକେଟ୍ ବିଶେଷଜ୍ଞ ଓ ସଂଗଠକମାନେ ଓଡ଼ିଶା କ୍ରିକେଟ୍‌ର ମଙ୍ଗୁଆଳଙ୍କୁ ପରାମର୍ଶ ଦିଅନ୍ତି। କାରଣ ଡିସେମ୍ବର ୯ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ଆୟୋଜନ ଦୃଷ୍ଟିରୁ ଏସବୁ କଥାର ଢେର୍‌ ପ୍ରାସଙ୍ଗିକତା ବି ରହିଛି। ଗତ ଫେବ୍ରୁଆରିରେ ଏଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଏକଦିବସୀୟ ଦିବା-ରାତ୍ର ମ୍ୟାଚ୍ ବେଳେ ୨୫ ମିନିଟ୍ ଧରି ଫ୍ଲଡ୍‌ଲାଇଟ୍ ଲିଭିବା ଘଟଣା, ୨୦୧୫ରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ବେଳେ ଦର୍ଶକଙ୍କ ବୋତଲ ଫିଙ୍ଗା ଘଟଣା ବାରବାଟୀ ସହ ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁଣ୍ଣ କରିଛି। ଏସବୁ ଘଟଣା ବି ବାରବାଟୀକୁ ଟେଷ୍ଟ୍ ମ୍ୟାଚ୍ ନ ମିଳିବାର ଅନ୍ୟତମ କାରଣ ବୋଲି ସିଏବିର ଜଣେ ଅଧିକାରୀ ଅନୌପଚାରିକ ଆଲୋଚନା ବେଳେ କହିଛନ୍ତି। ସେହିଭଳି ବାରବାଟୀର ଗତ ମ୍ୟାଚ୍‌ ବେଳେ ଉପସ୍ଥିତ ଥିବା ଏବଂ ଓଡ଼ିଶା ସହ ନିବିଡ଼ ସଂପର୍କ ଥିବା ଜଣେ ପ୍ରତିଷ୍ଠିତ କ୍ରୀଡ଼ା ସାମ୍ବାଦିକଙ୍କ ମତରେ ସେତେବେଳେ ଏଭଳି ଲଜ୍ଜା ଲାଗି କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଭରସା ଦେଇଥିଲେ। ହେଲେ କିଛି ହେଲାନି। ବାରବାଟୀ ପାଇଁ ଏହା ଅଡ଼ୁଆ ସୃଷ୍ଟି କରୁଛି। ନିକଟରେ ଡିସେମ୍ବର ମ୍ୟାଚ୍‌କୁ ନିର୍ବିବାଦୀୟ ଭାବେ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାକ୍ଷା ବୈଠକ କରିଥିଲେ। ଆଶା କରୁଛି ଆଉ ଏଭଳି କୌଣସି ଘଟଣା ଘଟିବନି। ତେବେ ବାରବାଟୀକୁ ଟେଷ୍ଟ୍‌ ମ୍ୟାଚ୍‌ ଫେରାଇବାକୁ ହେଲେ ଓସିଏକୁ ଅଧିକ ସଚ୍ଚୋଟ ହେବାକୁ ପଡ଼ିବ। ଇଡେନ୍‌ରୁ ମୁଁ ଏହି ବାର୍ତ୍ତା ହିଁ ଦେଇ ପାରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe