ପ୍ୟାରିସ୍: ୨୦୨୨ ମସିହାର ଫିଫା ବିଶ୍ବକପ୍ ଆୟୋଜନ ଅଧିକାର କାତାରକୁ ପ୍ରଦାନ କରିବାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ପୂର୍ବତନ ମହାନ ଖେଳାଳି ତଥା ୟୁଫା (ୟୁରୋପୀୟ ଫୁଟବଲ୍ ସଂଘ)ର ପୂର୍ବତନ ସଭାପତି ମାଇକେଲ୍ ପ୍ଲାଟିନିଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ବିଚାରବିଭାଗୀୟ ଅଧିକାରୀମାନେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଦୁର୍ନୀତି ନିବାରଣ ଅଧିକାରୀମାନେ ତାଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି। ପ୍ଲାଟିନିଙ୍କ ସହିତ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ସାର୍କୋଜିଙ୍କ ପ୍ରାକ୍ତନ କ୍ରୀଡ଼ା ଉପଦେଷ୍ଠା ସୋଫି ଡାଏନଙ୍କୁ ମଧ୍ୟ ବିଚାରବିଭାଗୀୟ ଅଧିକାରୀମାନେ ଅଟକ ରଖିଛନ୍ତି। ସାର୍କୋଜୀଙ୍କ ଅଧିନରେ କାମ କରୁଥିବା ଏଲିସ୍ର ପୂର୍ବତନ ମହାସଚିବ କ୍ଲାଉଡ୍ ଗୁଏଣ୍ଟ୍ଙ୍କୁ ସାକ୍ଷୀଭାବେ ନିଆଯାଇଥିଲେ ମଧ୍ୟ ତାଙ୍କୁ ଅଟକ ରଖାଯାଇନାହିଁ। ପୂର୍ବରୁ ଫ୍ରାନ୍ସର ଆର୍ଥିକ ଆଇନଜୀବୀମାନେ ୨୦୧୮ ଏବଂ ୨୦୨୨ ଫିଫା ବିଶ୍ବକପ୍ ଦୁର୍ନୀତିର ତଦନ୍ତ କରୁଥିଲେ ଏବଂ ଫିଫାର ପୂର୍ବତନ ସଭାପତି ସେପ୍ ବ୍ଲାଟରଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଏହି ଦୁଇ ବିଶ୍ବକପ୍ ଯଥାକ୍ରମେ ରୁଷିଆ ଓ କାତାରକୁ ଆୟୋଜନ ଲାଗି ଅଧିକାର ପ୍ରଦାନ କରାଯାଇଥିଲା। କିନ୍ତୁ ଏଥିରେ ଦୁର୍ନୀତି, ଅପରାଧିକ ସମ୍ପୃକ୍ତି, ପ୍ରଭାବିତ କରିବାର ଅଭିଯୋଗ ଆସିଥିଲା। ଏ ସମ୍ପର୍କରେ ପ୍ଲାଟିନିଙ୍କ ଓକିଲ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇନାହିଁ। ପ୍ଲାଟିନିଙ୍କ ପ୍ରଭାବରେ କାତାରକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିବା ଅଭିଯୋଗ ଆସିଥିଲା। ୨୦୧୦ ମସିହାରେ ହୋଇଥିବା ଏହାର ଭୋଟ ବେଳେ ପ୍ଲାଟିନି ଗୋପନରେ ଚୁକ୍ତି କରିଥିବା ସେ ସମୟରେ ଫିଫା ସଭାପତି ଥିବା ବ୍ଲାଟର ଅଭିଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us