The Indian Express
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ସବୁଠୁ ସଫଳ ଖେଳାଳି ମିତାଲି ରାଜ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଯାଇଛନ୍ତି। ବୁଧବାର ଏନେଇ ସେ ସାମାଜିକ ଗଣମାଧ୍ୟମରେ ନିଜର ବିବୃତ୍ତି ରଖିଛନ୍ତି। ଏଥି ସହିତ ଲମ୍ବା ୨୩ ବର୍ଷର ଆନ୍ତର୍ଜାତିକ କ୍ୟାରିୟରର ସମାପ୍ତି ଘଟାଇଛନ୍ତି। କ୍ରିକେଟ୍ରେ ଅନ୍ୟତମ ସର୍ବକାଳୀନ ମହାନ୍ ମିତାଲି ୧୯୯୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ହିଁ ଭାରତ ପାଇଁ ଆନ୍ତର୍ଜାତିକ ଦୃଶ୍ୟପଟ୍ଟକୁ ପ୍ରବେଶ କରିଥିଲେ। ନିଜକୁ ଜଣେ ସଫଳ କ୍ରିକେଟ୍ର ଭାବେ ଗଢ଼ି ତୋଳିଥିଲେ ମଧ୍ୟ। ଭାରତ ପାଇଁ ସେ ୧୨ ଟେଷ୍ଟ୍, ୨୩୨ ଦିନିକିଆ ଏବଂ ୮୯ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ତିନିଟିଯାକ ଫର୍ମାଟ୍ରେ ସେ ମୋଟ ୧୦,୮୬୮ ରନ୍ କରିଥିଲା ବେଳେ ମହିଳା କ୍ରିକେଟ୍ର ସବୁ ଫର୍ମାଟ୍ରେ ହିଁ ସେ ସର୍ବାଧିକ ରନ୍ ହାସଲକାରୀ ରହିଛନ୍ତି।
ତେବେ ମୋଟ ୩୩୩ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବା ମିତାଲି ୧୯୫ ମ୍ୟାଚ୍ରେ ନେତୃତ୍ବ ନେଇଥିଲେ। ବିଶେଷକରି ନିଜ ନେତୃତ୍ବରେ ଭାରତକୁ ଦୁଇ ଥର ବିଶ୍ବକପ୍ ଫାଇନାଲ୍ରେ ପହଞ୍ଚାଇବାର ଗୌରବ ବହନ କରିଥିଲେ। ମୁଖ୍ୟତଃ ତାଙ୍କୁ ମହିଳା କ୍ରିକେଟ୍ର ସଚିନ୍ ତେନ୍ଦୁଲକର ଆଖ୍ୟା ମଧ୍ୟ ଦିଆଯାଇଥାଏ।
ଦିନିକିଆ ଆନ୍ତର୍ଜାତିକକୁ ସେ ଶତକୀୟ ପାଳିରୁ ହିଁ ଆରମ୍ଭ କରିଥିଲେ। ୧୯୯୯ରେ ପଦାର୍ପଣରେ ଶତକ ଜମାଇଥିବା ମିତାଲି ନିଜ ଦିନିକିଆ କ୍ୟାରିୟରରେ ୭୮୦୫ ରନ୍ କରି ସର୍ବାଧିକ ରନ୍ ସ୍କୋରର୍ ଭାବେ ସଫଳତାର ଅଧିକାରୀ ହୋଇଥିଲେ। ଯେଉଁଥିରେ ତାଙ୍କର ୭ ଶତକ ଏବଂ ୬୪ ଅର୍ଦ୍ଧଶତକ ସାମିଲ ରହିଛି। ମିତାଲିଙ୍କ ଶେଷ ଅର୍ଦ୍ଧଶତକ ଚଳିତ ବର୍ଷ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ହିଁ ଦେଖିବାକୁ ମିଳିଥିଲା। ମହିଳା ଟେଷ୍ଟ୍ରେ ମିତାଲି ଏକମାତ୍ର ଭାରତୀୟ ଯିଏକି ଦ୍ବିଶତକୀୟ ପାଳିର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ସେ ୨୧୪ ରନ୍ କରିଥିଲେ। ଯାହାକି ଟେଷ୍ଟ୍ କ୍ରିକେଟ୍ରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋରର୍ ରହିଛନ୍ତି। କ୍ରିକେଟ୍ର ଏହି ଲମ୍ବା ଫର୍ମାଟ୍ରେ ସେ ୬୯୯ ରନ୍ କରିଥିଲା ବେଳେ ସେଥିରେ ଗୋଟିଏ ଶତକ ଏବଂ ୪ ଅର୍ଦ୍ଧଶତକ ସାମିଲ ରହିଛି।
ଟ୍ବେଣ୍ଟି-୨୦ ଫର୍ମାଟ୍ରେ ମିତାଲି ତାଙ୍କ କ୍ୟାରିୟରର ଶେଷ ଭାଗ ଆଡ଼କୁ ବିବାଦରେ ଫସିଯାଇଥିଲେ। ୨୦୧୮ ଟ୍ବେଣ୍ଟି-୨୦ ବିଶ୍ବକପ୍ ଅବସରରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକଟ କରିଥିଲେ। ସେତେବେଳର ମୁଖ୍ୟ ପ୍ରଶିକ୍ଷକ ରମେଶ ପାୱାର ଏବଂ ଅଧିନାୟିକା ହର୍ମନପ୍ରୀତ୍ କୌରଙ୍କ ସହ ବିବାଦ ବଢ଼ିଥିଲା। ଏପରିକି ଉଭୟଙ୍କ ସହ ତାଙ୍କର ବାକ୍ ଯୁଦ୍ଧ ମଧ୍ୟ ଅନେକ ଦିନ ଚର୍ଚ୍ଚାରେ ରହିଥିଲା। ଫଳରେ ୨୦୧୯ରେ ହିଁ ଟ୍ବେଣ୍ଟି-୨୦ରୁ ଅବସର ନେଇଯାଇଥିଲେ। ହେଲେ ଏବେ ବି ମିତାଲି ଏହି ଛୋଟ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍ ହାସଲକାରୀ ରହିଛନ୍ତି। ସେ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ୨୩୬୪ ରନ୍ କରିଥିଲା ବେଳେ ସେଥିରେ ୧୭ ଅର୍ଦ୍ଧଶତକ ଯୋଡ଼ିହୋଇ ରହିଛି। ବିଶେଷକରି ଭାରତ ପାଇଁ ଅଙ୍ଗୀକାରବଦ୍ଧତା ଏବଂ ମହନୀୟ ଅବଦାନ ପାଇଁ ଭାରତରେ ଅନେକ ସ୍ବୀକୃତି ପାଇଥିଲା ବେଳେ ଅର୍ଜୁନ ପୁରସ୍କାର, ପଦ୍ମଶ୍ରୀ ଏବଂ ରାଜୀବ ଗାନ୍ଧୀ ଖେଳରତ୍ନ (୨୦୨୧) ଭଳି ଏକାଧିକ ବେସାମରିକ ସମ୍ମାନ ହାସଲ କରିଥିଲେ।
‘ କ୍ରିକେଟ୍ ସହ ସମ୍ପୃକ୍ତି ରହିବ’
ଜଣେ ଛୋଟ ଝିଅ ଭାବେ ମୁଁ ଆନ୍ତର୍ଜାତିକ କ୍ରିକେଟ୍ ଯାତ୍ରା ଆରମ୍ଭ କରି ଭାରତୀୟ ଜର୍ସି ପରିଧାନ କରିବାର ସୁଯୋଗ ପାଇଥିଲି। ଏହା ମୋ ପାଇଁ ବଡ଼ ସମ୍ମାନ ଥିଲା। ପ୍ରତି ମ୍ୟାଚ୍ ମୋତେ ସ୍ବତନ୍ତ୍ର କିଛି ଶିକ୍ଷା ଦେଇଥିଲା। ମୁଁ ମଧ୍ୟ ୨୩ ବର୍ଷ ଧରି ସମସ୍ତଙ୍କ ଆଶା ପୂରଣ କରିପାରିଛି। ଏହି ଲମ୍ବା ସମୟ ମୋ ପାଇଁ ଆହ୍ବାନ ଏବଂ ଉପଭୋଗ୍ୟ ଥିଲା। ସମସ୍ତ ଯାତ୍ରା ଭଳି ମୋ କ୍ରିକେଟ୍ ଯାତ୍ରାର ମଧ୍ୟ ସମାପ୍ତି ଘଟିଲା। ଆଜି ମୁଁ ଆନ୍ତର୍ଜାତିକ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେଇଯାଉଛି। ଏକାଧିକ ଯୁବ ପ୍ରତିଭା ସୃଷ୍ଟି ହୋଇସାରିଥିବାରୁ ସେମାନଙ୍କୁ ବାଟ ଛାଡ଼ିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଭାବି ନିଷ୍ପତ୍ତି ଘୋଷଣା କରୁଛି।
ପ୍ରତ୍ୟେକ ଥର ପଡ଼ିଆକୁ ଓହ୍ଲାଇବା ବେଳେ ଭାରତକୁ ବିଜୟ ଦେବା ଲକ୍ଷ୍ୟରେ ମୋର ଶ୍ରେଷ୍ଠ ଦେଇଆସିଛି। ମୁଁ ମଧ୍ୟ ମିଳିଥିବା ସୁଯୋଗକୁ ସବୁବେଳେ ସାକାର କରିବାକୁ ପ୍ରୟାସ କରିଛି। ମୋତେ ଲମ୍ବା ସମୟ ଧରି ସୁଯୋଗ ମିଳିଥିବାରୁ ବିଶେଷକରି ବିସିସିଆଇ ଏବଂ ଏହାର ସଂପାଦକ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଉଛି। ବିସିସିଆଇ ସବୁବେଳେ ମୋତେ ଜଣେ ଖେଳାଳି ଏବଂ ଅଧିନାୟିକା ଭାବେ ସମର୍ଥନ ଯୋଗାଇ ଆସିଛି। ବହୁ ବର୍ଷ ଧରି ଦଳର ନେତୃତ୍ବ ପାଇବା ମୋ ପାଇଁ ସମ୍ମାନର ପ୍ରଶ୍ନ। ଏହା ନିଶ୍ଚିତପକ୍ଷେ ଭଲ ଖେଳିବାରେ ମୋତେ ଶାଣୀତ କରିପାରିଥିଲା। ମୋର ଆନ୍ତର୍ଜାତିକ ଯାତ୍ରା ଶେଷ ହୋଇଗଲା। ହେଲେ ମୁଁ କ୍ରିକେଟ୍ ସହ ସଂପୃକ୍ତିରେ ରହିବାକୁ ଚାହିଁବି। ଭାରତରେ ମହିଳା କ୍ରିକେଟ୍ର ବିକାଶ ଏବଂ ବିଶ୍ବସ୍ତରୀୟ କରିବା ପାଇଁ ଅବଦାନ ଦେବାକୁ ଭଲପାଏ। ଶେଷରେ ମୋର ସମସ୍ତ ଶୁଭେଚ୍ଛୁ, ପ୍ରଶଂସକଙ୍କୁ ସେମାନଙ୍କ ସମର୍ଥନ ଓ ଭଲ ପାଇବା ପାଇଁ ଧନ୍ୟବାଦ। ମିତାଲି ରାଜ।
ଶ୍ରୀଲଙ୍କା ଗସ୍ତରେ ହର୍ମନପ୍ରୀତ୍ ଦିନିକିଆ ଅଧିନାୟିକା
ନୂଆଦିଲ୍ଲୀ: ମିତାଲି ରାଜଙ୍କ ଆନ୍ତର୍ଜାତିକ ଅବସର ଘୋଷଣାର ଗୋଟିଏ ଘଣ୍ଟା ପରେ ଭାରତୀୟ କ୍ରିକେଟ୍ ବୋର୍ଡ ହର୍ମନପ୍ରୀତ୍ କୌରଙ୍କୁ ଦିନିକିଆ ଦଳର ଅଧିନାୟିକା ମନୋନୀତ କରିଛନ୍ତି। ଫଳରେ ହର୍ମନପ୍ରୀତ୍ଙ୍କ ନେତୃତ୍ବରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଆଗାମୀ ଶ୍ରୀଲଙ୍କା ଗସ୍ତରେ ଭାରତ ଡାମ୍ବୁଲାରେ ୩ ଟ୍ବେଣ୍ଟି-୨୦ ଏବଂ କାଣ୍ଡିରେ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବ ବୋଲି ବୁଧବାର ବିସିସିଆଇ କହିଛି। ଏହି ଗସ୍ତ ପାଇଁ ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟିକା ମନୋନୀତ କରାଯାଇଛି। ଏଥି ସହିତ ବିସିସିଆଇ ମଧ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳ ଘୋଷଣା କରିଛି।
ଭାରତ ଦିନିକିଆ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ୟାସ୍ତିକା ଭାଟିଆ (ୱିକେଟ୍ରକ୍ଷକ), ଏସ୍ ମେଘନା, ଦୀପ୍ତି ଶର୍ମା, ପୂନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ସିମ୍ରନ ବାହାଦୁର, ରିଚା ଘୋଷ (ୱିକେଟ୍ରକ୍ଷକ), ପୂଜା ଭସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ, ତାନିୟା ଭାଟିଆ (ୱିକେଟ୍ରକ୍ଷକ), ହର୍ଲିନ୍ ଦେଓଲ।
ଭାରତ ଟ୍ବେଣ୍ଟି-୨୦ ଦଳ: ହର୍ମନପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ୟାସ୍ତିକା ଭାଟିଆ (ୱିକେଟ୍ରକ୍ଷକ), ଏସ୍ ମେଘନା, ଦୀପ୍ତି ଶର୍ମା, ପୂନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ସିମ୍ରନ ବାହାଦୁର, ରିଚା ଘୋଷ (ୱିକେଟ୍ରକ୍ଷକ), ପୂଜା ଭସ୍ତ୍ରକାର, ମେଘନା ସିଂହ, ରେଣୁକା ସିଂହ, ଜେମିମା ରୋଦ୍ରିଗ୍ବେଜ, ରାଧା ଯାଦବ।
Follow Us