ଜର୍ସିରେ ମଦ କଂପାନି ଲୋଗୋ ପରିଧାନ କରିବେନି ମୋଇନ୍‌

ଭିସା ପ୍ରସଙ୍ଗ: ସିଏସ୍‌କେ ପ୍ରଥମ ମ୍ୟାଚ୍‌ରୁ ବଞ୍ଚିତ ହେବେ ମୋଇନ୍‌

Cricket Australia

ମୁମ୍ବାଇ : ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଆଇପିଏଲ୍‌ ଖେଳିବାକୁ ଯାଉଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ମୋଇନ୍‌ ଅଲ୍ଲୀ ଜର୍ସିରେ ମଦ କଂପାନି ଲୋଗୋ ପରିଧାନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଜର୍ସିରୁ ଏହି ଲୋଗୋକୁ କାଢ଼ିନେବାକୁ ସେ ଅନୁରୋଧ କରିଥିଲେ। ଯାହାକୁ ଫ୍ରାଞ୍ଚାଇଜ୍‌ ମାନି ନେଇଛି। ସେ ଜଣେ ମୁସ୍‌ଲିମ୍‌ ସଂପ୍ରଦାୟର ହୋଇଥିବା‌ରୁ ଏବଂ ମାଦକଦ୍ରବ୍ୟ ବାସନ୍ଦ ଉପରେ ପ୍ରଗାଢ଼ ବିଶ୍ବାସ ରଖିଥିବାରୁ ଜର୍ସିରେ ଏଭଳି ଲୋଗୋ ନରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଜର୍ସିରେ ଚେନ୍ନାଇ ଭିତ୍ତିକ ଏସ୍‌ଏସ୍‌ଜେ ଡିଷ୍ଟିଲାରିଜ୍‌ର ଉତ୍ପାଦ ଏସ୍‌ଏସ୍‌ଜେ ୧୦୦୦୦ ବ୍ରାଣ୍ଡ୍‌ର ଲୋଗୋ ରହିଛି। ହେଲେ ଜଣେ ମୁସ୍‌ଲିମ୍‌ ସଂପ୍ରଦାୟର ବ୍ୟକ୍ତି ଭାବେ ସେ ମଦ ବିରୋଧକୁ ସମର୍ଥନ କରନ୍ତି। ତେଣୁ ନିଜ ଜାତୀୟ ଦଳ ଇଂଲଣ୍ଡ ହେଉ ବା ଅନ୍ୟ କୌଣସି ଘରୋଇ ପ୍ରତିଯୋଗିତା କୌଣସିଥିରେ ବି ମଦ କଂପାନି ଲୋଗୋ ଲାଗିଥିବା ଜର୍ସି ପରିଧାନ କରିବେ ନାହିଁ ବୋଲି ମୋଇନ୍‌ କହିଛନ୍ତି। ସିଏସ୍‌କେ କର୍ତ୍ତୃପକ୍ଷ ମଧ୍ୟ ମୋଇନ୍‌ଙ୍କ ଅନୁରୋଧକୁ ଗ୍ରହଣ କରିନେଇଛନ୍ତି। ଗତ ଫେବ୍ରୁ୍ଆରି ଖେଳାଳି ନିଲାମ ବେଳେ ସିଏସ୍‌କେ ମୋଇନ୍‌ଙ୍କୁ ୭ କୋଟି ଟଙ୍କାରେ କିଣିଥିଲା। ଫଳରେ ୨୦୧୮ରୁ ତିନି ସଂସ୍କରଣ ଧରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା‌ଲୋର ପକ୍ଷରୁ ଖେଳିବା ପରେ ଏଥର ସିଏସ୍‌କେ ପକ୍ଷରୁ ଖେଳିବେ। ମୋଇନ୍‌ ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୧୯ ମ୍ୟାଚ୍‌ ଖେଳି ୩୦୯ ରନ୍‌ କରିଥିଲା ବେଳେ ୧୦ ୱିକେଟ୍‌ ଅକ୍ତିଆର କରିସାରିଛନ୍ତି। ଗତମାସରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ପାଇଁ ଚଳିତ ଋତୁରେ ଖେଳିବାକୁ ବ୍ୟଗ୍ର ବୋଲି କହିଥିଲେ। ଧୋନିଙ୍କ ନେତୃତ୍ବରେ ଖେଳିବାକୁ ଯେକୌଣସି ଖେଳାଳିଙ୍କର ଇଛା ରହିଥାଏ। ମୋର ମଧ୍ୟ ସେହି ଇଛା ଥିଲା ବୋଲି କହିଛନ୍ତି ମୋଇନ୍‌। ତିନି ଥର ବିଜେତା ସିଏସ୍‌କେ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଆସନ୍ତା ୧୦ ତାରିଖ ଦିନ ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ସହ ଖେଳି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe