ମହମ୍ମଦ ଜାଫର ଇକ୍‌ବାଲ୍‌, ଦୃଷ୍ଟିହୀନ କ୍ରିକେଟର୍‌ଙ୍କ ପଥ ପ୍ରଦର୍ଶକ

Advertisment

୧୦ ବର୍ଷରେ ୬ ଅନ୍ତର୍ଜାତୀୟ କ୍ରିକେଟର୍‌, ଅଧିନାୟକରୁ କ୍ୟାଭି ସଭାପତି

୧୦ ବର୍ଷରେ ୬ ଅନ୍ତର୍ଜାତୀୟ କ୍ରିକେଟର୍‌, ଅଧିନାୟକରୁ କ୍ୟାଭି ସଭାପତି

ମହମ୍ମଦ ଜାଫର ଇକ୍‌ବାଲ୍‌, ଦୃଷ୍ଟିହୀନ କ୍ରିକେଟର୍‌ଙ୍କ ପଥ ପ୍ରଦର୍ଶକ

ଭୁବନେଶ୍ବର: କ୍ରିକେଟ୍‌ ପାଗଳ ଦେଶରେ ପୁରୁଷଙ୍କ ସଫଳତା ତୁଳନାରେ ମହିଳା ଓ ଦୃଷ୍ଟିହୀନ କ୍ରିକେଟ୍‌ର ସଫଳତା ସୀମିତ ରହିଥିଲେ ବି କିଛି କମ୍‌ ନାହିଁ। ଓଡ଼ିଶାରେ କିନ୍ତୁ ଦୃଷ୍ଟିହୀନ କ୍ରିକେଟର୍‌ଙ୍କ ସଫଳତା ଢେର ଆଗରେ। ଏପିରିକି ଅନ୍ତର୍ଜାତୀୟ ପଦାର୍ପଣ, ବିଶ୍ବକପ୍‌ ବିଜୟ ଓ ଜାତୀୟ ସଫଳତାରେ ବି ପ୍ରଭାବୀ ରହିଛନ୍ତି ଓଡ଼ିଆ ଦୃଷ୍ଟିହୀନ କ୍ରିକେଟର୍‌। ଆଉ ଏସବୁର ସିଂହ ଭାଗ ଶ୍ରେୟ ଯିବ ମହମ୍ମଦ ଜାଫର ଇକ୍‌ବାଲଙ୍କୁ। ଅନ୍ତର୍ଜାତୀୟ ପଦାର୍ପଣର ୧୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ଜାଫର୍‌ ଯେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟର୍‌ଙ୍କୁ ବାଟ କଢ଼ାଇ ନେଇଛନ୍ତି ଏଥିରେ ଦ୍ବିମତ ନାହିଁ। ପ୍ରଥମ ଓଡ଼ିଆ ଦୃଷ୍ଟିହୀନ କ୍ରିକେଟର୍‌ ଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିବାର ୧୦ ବର୍ଷ ପୂରଣ ପୂର୍ବରୁ ହିଁ ଅଧା ଡଜନ ଓଡ଼ିଆ ତାଙ୍କ ପଦାଙ୍କ ଅନୁସରଣ କରିସାରିଛନ୍ତି। ଖେଳାଳି ଜୀବନ ସରିନାହିଁ ଜାଫର ଏବେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟର୍‌ଙ୍କ ସଂଘ କ୍ୟାଭି (କ୍ରିକେଟ୍‌ ଆସୋସିଏସନ୍‌ ଫର୍ ଭିଜୁଆଲି ଇମ୍ପାୟର୍ଡ, ଓଡ଼ିଶା)ର ସଭାପତି ଦାୟିତ୍ବକୁ ତୁଲାଇ ଏହି ନିରବ ସାଧନାର ସାରଥି ପାଲଟିଛନ୍ତି।

ଓଡ଼ିଶାରେ ଦୃଷ୍ଟିହୀନ କ୍ରିକେଟର୍‌ଙ୍କ ଅଭିଯାନକୁ ଦୁଇ ଦଶନ୍ଧି ଟପିଥିଲେ ମଧ୍ୟ ଜାଫରଙ୍କ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ଏହା ଗତିଶୀଳ ହୋଇଛି। ୨୦୧୧ ମସିହାରେ ଜାଫର୍‌ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରିଥିବା ବେଳେ ୨୦୨୦ ମସିହା ଭିତରେ ଓଡ଼ିଶାରୁ ଆଉ ୫ ଜଣ ତାଙ୍କୁ ଅନୁସରଣ କରି ଅନ୍ତର୍ଜାତୀୟସ୍ତରରେ ପହଞ୍ଚିସାରିଛନ୍ତି। ସେମାନେ ହେଉଛନ୍ତି ପଙ୍କଜ ଭୁଏ, ସୁଖରାମ ମାଝୀ, ଲିଙ୍ଗରାଜ ରାଉତରାୟ, କାଳିଆ ପ୍ରଧାନ ଏବଂ ନକୁଳ ବଡ଼ନାୟକ। ଏହି ୧୦ ବର୍ଷ ଆମ କ୍ରିକେଟ୍ ପାଇଁ ଢେର ବଂଧୁର ପଥ ଥିଲା, ଅନେକ ଆହ୍ବାନ ଆସିଥିଲେ ବି ସବୁ କଷ୍ଟକୁ ଅତିକ୍ରମ କରିବାର ନିଶା ଛାଡ଼ିନଥିଲୁ। ସମସ୍ତ ୪ ବିଶ୍ବକପ୍‌ରେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ବ ରହିବା ଆମ ସଫଳତାର ଜ୍ବଳନ୍ତ ଉଦାହରଣ। ଆଗରୁ ଦୃଷ୍ଟିହୀନମାନେ କ୍ରିକେଟ୍‌ ଖେଳିପାରନ୍ତି ଏହା ଅନେକଙ୍କ ଧାରଣା ବାହାରେ ଥିଲା ଏବେ ସମସ୍ତେ ଜାଣିଗଲେଣି ଓ ବୁଝି ଗଲେଣି ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ ଜାଫର।

ମହିଳାଙ୍କ ଯାତ୍ରା ପ୍ରଶଂସନୀୟ

ଓଡ଼ିଶାରେ ଦୃଷ୍ଟିହୀନ ମହିଳା କ୍ରିକେଟର୍‌ଙ୍କ ଯାତ୍ରା ଅଳ୍ପଦିନର ହୋଇଥିଲେ ମଧ୍ୟ ପ୍ରଶଂସନୀୟ ରହିଛି। ଝିଅମାନେ ବି ପ୍ରଥମ ବର୍ଷରୁ ଅଗେଇଗଲେଣି ବୋଲି କହିଥିଲେ ଜାଫର। ୨୦୧୭ରୁ ଜାତୀୟ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ୭ ରାଜ୍ୟ ମଧ୍ୟରେ ଓଡ଼ିଶା ଟ୍ବେଣ୍ଟି-୨୦ ଫର୍ମାଟରେ ବିଜେତା ହୋଇଛି। ଆସନ୍ତା ମାର୍ଚରେ ଜାତୀୟ ପ୍ରତିଯୋଗିତା ଖେଳାଯିବା ପରେ ଜୁଲାଇ ମାସରେ ପ୍ରଥମ ଭାରତୀୟ ଦଳ ଚୟନ କରାଯିବ ଏବଂ ଇଂଲଣ୍ଡ ଗସ୍ତ କରିବ। ଓଡ଼ିଶାରୁ ମଧ୍ୟ ୪/୫ ଜଣ ଖେଳାଳି ଭାରତୀୟ ଦଳର ଦ୍ବାରଦେଶରେ ପହଞ୍ଚିଗଲେଣି। ବାସନ୍ତୀ ହାଁସଦା, ପଦ୍ମିନୀ ଟୁଡୁ, ଫୁଲ ସୋରେନ୍‌, ଲିନା ସ୍ବାଇଁ, ମୁନି ପୂର୍ତ୍ତି ଏଭଳି ଆଶା ଦେଖାଇଛନ୍ତି। ଓଡ଼ିଶା ମହିଳା ଦଳକୁ ଏବେ ଜାତୀୟ ପ୍ରତିଯୋଗିତାରେ ପ୍ରଧାନ୍ୟ ବିସ୍ତାର କରୁଛି ଏବଂ ଖେଳାଳିମାନଙ୍କୁ ପ୍ରତିଦ୍ବନ୍ଦ୍ବୀ ଦଳର ଖେଳାଳି ଡରନ୍ତି‌ ବୋଲି ଜାଫର ପ୍ରକାଶ କରିଛନ୍ତି। ମହିଳା କ୍ରିକେଟର୍‌ଙ୍କୁ ହାଇଟେକ୍ ମେଡିକାଲ୍ କଲେଜ୍ ଏବଂ ଏହାର ମୁଖ୍ୟ ତିରୁପତି ପାଣିଗ୍ରାହୀ ପ୍ରା‌ୟୋଜିତ କରିବା ଫଳରେ ଏହା ସମ୍ଭବ ହୋଇଛି ବୋଲି ସ୍ବୀକାର କରିଥିଲେ ଜାଫର। ଆଗାମୀ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ପୁଣି ବିଜେତା ହେବ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି ପ୍ରଶିକ୍ଷକ ଦେବାଶିଷ ଜେନା।

ଅଧିନାୟକରୁ କ୍ୟାଭି ସଭାପତି
ମହମ୍ମଦ ଜାଫର୍ ଇକବାଲ୍‌ ଏବେ ଓଡ଼ିଶାର ଘରେ ଘରେ ଏକ ପରିଚିତ ନାଁଟିଏ। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରୁ ପାଠପଢ଼ା ଜୀବନ ଶେଷ କରିଥିବା ଏହି ପ୍ରତିଭାଧାରୀ ଏକଦା ପାରାଅଲିମ୍ପିକ୍ସରେ ବି ଧାବକ ଭାବେ ପଦକ ଜିତି ଗୌରବ ଆଣିଥିଲେ। କିନ୍ତୁ ୨୦୧୦ରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ଦଳରେ ସାମିଲ ହେବା ପରଠାରୁ ଆଉ ପଛକୁ ଫେରିନାହାନ୍ତି। ଏବେ ଜାଫର କ୍ୟାଭି (କ୍ରିକେଟ୍‌ ଆସୋସିଏସନ୍‌ ଫର୍ ଭିଜୁଆଲି ଇମ୍ପାୟର୍ଡ, ଓଡ଼ିଶା)ର ସଭାପତି ରହି ମାର୍ଗଦଶକ ବି ସାଜିଛନ୍ତି। କୋଟାରେ ଖେଳିବାର ଧାରା ଭାଙ୍ଗିବା ପରେ ଓଡ଼ିଶାକୁ ଜାତୀୟସ୍ତରରେ ଏକ ଶକ୍ତିଶାଳୀ ଦଳ ଭାବେ ପରିଣତ କରିବାରେ ବଡ଼ ଭୂମିକା ତୁଲାଇଥିଲେ। ତାଙ୍କ ନେତୃତ୍ବରେ ଓଡ଼ିଶା ୬ ଥର ପୂର୍ବାଞ୍ଚଳରେ ଅପରାଜିତ ରହିବା ପରେ ୨୦୧୬ରେ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଜାତୀୟ ପ୍ରତିଯୋଗିତାରେ ଦଳ ଭାଗ ନେଇଥିଲା। ଏହି ପ୍ରତିଯୋଗିତା ନାଗେଶ ଟ୍ରଫି ନାମରେ ନାମିତ ହୋଇଥିବା ବେଳେ ୨୦୧୮-୧୯ରେ ଓଡ଼ିଶା ବିଜେତା ହୋଇଥିଲା। ୧୯୯୮ରୁ ୨୦୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଯେ ପ୍ରତିଭା ନଥିଲେ ତା’ ନୁହେଁ। କିନ୍ତୁ କଠୋର ନିଷ୍ପତ୍ତି ନେବାର ଅଭାବ ଥିଲା ବୋଲି ପ୍ରକାଶ କରିଥିଲେ ଜାଫର। ଦୃଷ୍ଟିହୀନ କ୍ରିକେଟର୍‌ଙ୍କୁ ସାଧାରଣ ଲୋକ ଓ ପ୍ରଶଂସକଙ୍କ ମଧ୍ୟରେ ଗ୍ରହଣୀୟତା ବଢ଼ିଥିବାରୁ ଏହା ଶୁଭ ସୂଚନା ବୋଲି ମଧ୍ୟ ଜାଫର୍ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe