ସୂର୍ଯ୍ୟଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଲେ ମହମ୍ମଦ ୟୁସୁଫ

କରମର୍ଦ୍ଦନ ବିବାଦ ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ମହମ୍ମଦ ୟୁସୁଫ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚିତ ହୋଇଛନ୍ତି।

dagdgadagdg

Photograph: (NDTV Sports)

ଲାହୋର: କରମର୍ଦ୍ଦନ ବିବାଦ ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ମହମ୍ମଦ ୟୁସୁଫ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ୟୁସୁଫ ଜଣେ କ୍ରିକେଟ୍ ବି‌ଶେଷଜ୍ଞ ଭାବେ ଯୋଗଦେଇଥିଲେ। ଉପସ୍ଥାପିକା‌ ତାଙ୍କୁ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିବା ଘଟଣାରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଥିଲେ।

ୟୁସୁଫ ପ୍ରଥମେ ଭାରତୀୟ କ୍ରିକେଟ୍ ଦଳ ଏବଂ ବିସିସିଆଇକୁ ଏଥିଲାଗି କଟୁ ସମାଲୋଚନା କରିଥିଲେ। ପରେ ସୂର୍ଯ୍ୟକୁମାରଙ୍କୁ ଜାଣିଶୁଣି ସୁଅରକୁମାର ବୋଲି କହିଥିଲେ। ଉପସ୍ଥାପିକା ସେ ଭାରତୀୟ ଅଧିନାୟକଙ୍କ ନାଁ ଭୁଲ୍ ଭାବେ ଉଚ୍ଚାରଣ କରୁଛନ୍ତି ବୋଲି ଏକାଧିକବାର ସୂଚାଇ ଦେଇଥିଲେ ମଧ୍ୟ ୟୁସୁଫ ଅଟକି ନଥିଲେ। ସୂର୍ଯ୍ୟକୁମାରଙ୍କୁ ବାରମ୍ବାର ସୁଅରକୁମାର ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ହିନ୍ଦୀ ଭାଷାରେ ଘୁଷୁରୀକୁ ସୁଅର ବୋଲି କୁଆଯାଇଥାଏ। ଏଭଳି କରି ୟୁସୁଫ ୟୁହାନାରୁ ମହମ୍ମଦ ୟୁସୁଫ ପାଲଟିଥିବା ଏହି ପୂର୍ବତନ କ୍ରିକେଟର୍ ନିଜ ହୀନମନ୍ୟତା ଓ ଛୋଟ ଚିନ୍ତାଧାରାର ପରିଚୟ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀ ବାତିଲ କଲା ପାକିସ୍ତାନ

ଦୁବାଇ: ଭାରତ-ପାକିସ୍ତାନ କରମର୍ଦ୍ଦନ ବିବାଦ ନାଟକୀୟ ମୋଡ଼ ନେଇଛି। ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ବିଦା କରାନଗଲେ ଏସିଆ କପ୍‌ରୁ ଓହରିଯିବା ଧମକ ଦେବାର ଦିନର ପରେ ପାକିସ୍ତାନ କ୍ରିକେଟ୍ ଦଳ ଏକ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରି ଆଇସିସି ଉପରେ ସାନି ଚାପ ପକାଇବାକୁ ପ୍ରୟାସ କରିଛି। ଏହି ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ସଂଧ୍ୟାରେ ହେବାର ଥିଲା। ବୁଧବାରର ୟୁଏଇ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳର ପ୍ରସ୍ତୁତି ଓ ରଣନୀତି ନେଇ ଅଧିନାୟକ ସଲମାନ ଅଲୀ ଆଗା ଏଥିରେ ନିଜ ଆଭିମୁଖ୍ୟ ରଖିବାର ଥିଲା। ଏହି ସାମ୍ବାଦିକ ସମ୍ମିଳନୀ ଆଉ ହେବନି ବୋଲି ପିସିବି କହିଛି।  ୟୁଏଇ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିବା ପରେ ପାକିସ୍ତାନ କ୍ରିକେଟ୍ ଦଳ ଚଳିତ ଏସିଆ କପ୍‌ରୁ ଓହରିଯିବାର ଆଶଙ୍କା ବି ଘନେଇଛି। ପୂର୍ବ ନିର୍ଦ୍ଧାରିତ ସାମ୍ବାଦିକ ସମ୍ମିଳନୀ ବାତିଲ କରିଥିଲେ ମଧ୍ୟ ପାକିସ୍ତାନ ଖେଳାଳି ମଙ୍ଗଳବାର ସଂଧ୍ୟାରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ପାକିସ୍ତାନ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତି ଆଣିଛି। ୟୁଏଇକୁ ହରାଇପାରିଲେ ଏହି ଦଳ ସୁପର-୪କୁ ଯିବ। ଯଦି ପାକିସ୍ତାନ ଏହି ମ୍ୟାଚ୍‌ରୁ ଓହରି ଯାଏ, ତାହେଲେ ୟୁଏଇ ପ୍ରଥମ ଥର ଲାଗି ଏସିଆ କପ୍‌ର ସୁପର-୪କୁ ଯାଇ ଇତିହାସ ରଚିବ। ପାକିସ୍ତାନ କିନ୍ତୁ କୋଟିକୋଟି ଟଙ୍କାର ଆର୍ଥିକ କ୍ଷତିର ସମ୍ମୁଖୀନ ହେବ।

ଓହରିଲେ ପାକିସ୍ତାନ ୧୪୧ କୋଟି ଟଙ୍କାର କ୍ଷତି ସହିବ

ପାକିସ୍ତାନ ଯଦି ନିଜ ପୂର୍ବ ଧମକ ମୁତାବକ ଚଳିତ ଏସିଆ କପ୍‌ରୁ ଓହରିଯିବ, ତାହେଲେ ପାଖାପାଖି ୧୪୧ କୋଟି ଟଙ୍କାର ରାଜସ୍ବ ହରାଇବ। ତା’ ସହିତ ଏସୀୟ କ୍ରିକେଟ୍ ପରିଷଦରେ ଏକଘରିକିଆ ହେବାର ଖଣ୍ଡା ମଧ୍ୟ ଏହି ଦଳ ଉପରେ ଝୁଲିବ। ସୂଚନା ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଏତେଗୁଡ଼ା ଟଙ୍କା ହରାଇବା ତାପାଇଁ ଶକ୍ତି ଧକ୍କା ଭଳି ହେବ। ଯାହା ପିସିବି ବାର୍ଷିକ ବଜେଟର ୭ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି। ପାକିସ୍ତାନ କ୍ରିକେଟ୍ ଦଳର କଠୋର ଅଭିମୁଖ୍ୟ କିନ୍ତୁ ତା’ର ମୁଖ୍ୟ ମୋହସିନ ନକ୍‌ଭୀଙ୍କୁ ଘୋର ଅଡ଼ୁଆରେ ପକାଇଛି। ପସିବିର ଅଧ୍ୟକ୍ଷ ସହ ନକ୍‌ଭୀ ଏବେ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ଅଛନ୍ତି। ସେହିଭଳି ସେ ମଧ୍ୟ ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ଏବଂ ନିଶା ନିୟନ୍ତ୍ରଣ ବିଭାଗ ମନ୍ତ୍ରୀ ଅଛନ୍ତି। ଅନ୍ୟଏକ ଉଲ୍ଲେଖନୀୟ ଘଟଣା ହେଉଛି ମ୍ୟାଚ୍ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଚଳିତ ଏସିଆ କପ୍‌ରୁ ହଟାଇବାକୁ ଅଡ଼ି ବସିଥିଲା ବେଳେ ବୁଧବାର ୟୁଏଇ-ପାକିସ୍ତାନ ମ୍ୟାଚ୍ ଯଦି ଖେଳାଯାଏ, ତେବେ ସେ ହିଁ ଏହି ମ୍ୟାଚ୍‌ର ପରିଚାଳନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe