ଆସନ୍ତାକାଲି ଚଳିତ ବିଶ୍ବକପ୍ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ସହ ଅପରାଜେୟ ଭାରତର ମୁକାବିଲା ହେବ। ଏହି ମ୍ୟାଚ୍ ହାରିଗଲେ ଇଂଲଣ୍ଡର ବିଶ୍ବକପ୍ ଆଶା ଧୂଳିସାତ୍ ହୋଇଯିବ। ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ସ୍ଥାନ ପକ୍କା କରିନେବ। ଏହି ସ୍ଥିତିରେ ଇଂଲଣ୍ଡ ଅଲ୍ରାଉଣ୍ଡର ମୋଇନ୍ ଅଲ୍ଲୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରାଇଜ୍ ୱିକେଟ୍ ଦଖଲ କରିବା ଉପରେ ନଜର ପକାଇଛନ୍ତି। କୋହଲି ଚଳିତ ବିଶ୍ବକପ୍ରେ କ୍ରମାଗତ ୪ ଅର୍ଧଶତକ ଜମାଇ ସାରିଛନ୍ତି। ବିଶେଷକରି ଶେଷ ଦୁଇ ମ୍ୟାଚ୍ ଯଥାକ୍ରମେ ଆଫ୍ଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳ ଯେପରି ସଅଳ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ସେଥିରେ କୋହଲି ହିଁ ତ୍ରାଣକର୍ତା ସାଜିଥିଲେ। ତେଣୁ କୋହଲି ଯେପରି ଏଠାରେ ରନ୍ ସଂଗ୍ରହ କରିବାକୁ ଆସିଛନ୍ତି, ମୁଁ ସେହିପରି ତାଙ୍କ ୱିକେଟ୍ ଅକ୍ତିଆର କରିବାକୁ ଏଠାରେ ଅଛି। କୋହଲିଙ୍କ ଭଳି ଖେଳାଳିଙ୍କ ୱିକେଟ୍ ଯେକୌଣସି ବୋଲରଙ୍କ ପାଇଁ ପୁରସ୍କାର ସଦୃଶ ବୋଲି ମୋଇନ୍ କହିଛନ୍ତି। ମୁଁ ଆଇପିଏଲ୍ରେ ତାଙ୍କ ନେତତ୍ବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଖେଳିଥିଲି। ସେଠାରେ ଅମ ମଧ୍ୟରେ ବନ୍ଧୁତ୍ବର ଭାବ ରହିଥିଲା। ହେଲେ ଏଠାରେ ଦେଶ ପାଇଁ ଖେଳୁଥିବାରୁ ତାଙ୍କ ଆଉଟ୍ କରିବା ଲକ୍ଷ୍ୟ ରଖିଛି ବୋଲି ମୋଇନ୍ କହିଛନ୍ତି। ଆମେ ପରସ୍ପରକୁ ୧୯ ବର୍ଷରୁ କମ୍ ବୟସରୁ ଜାଣିଛୁ। ପୁଣି ଦୁଇ ବର୍ଷ ହେଲା ଆଇପିଏଲ୍ରେ ଗୋଟିଏ ଦଳରୁ ଖେଳି ଉଭୟେ ଭଲ ବନ୍ଧୁ ହୋଇଯାଇଛୁ। ସେଭଳି ଜଣେ ବିଚକ୍ଷଣ ଓ ଉତ୍ସର୍ଗୀକୃତ ଖେଳାଳିଙ୍କୁ ଆଉଟ୍ କରିବା ମୋତେ ଆତ୍ମ ସନ୍ତୋଷ ଦେବ ବୋଲି ମୋଇନ୍ କହିଛନ୍ତି। ତଥାପି ରବିବାର ମ୍ୟାଚ୍ ଆମ ତୁଳନାରେ ଭାରତ ଉପରେ ଅଧିକ ଚାପ ରଖିବ। ଆମେ ଗତ ଘରୋଇ ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତକୁ ୨-୧ରେ ପରାସ୍ତ କରିଥିବାରୁ ଚାପ କୋହଲି ବାହୀନି ଉପରେ ରହିବ। ଆମେ କିନ୍ତୁ ବିଜୟ ମନୋଭାବ ନେଇ ରବିବାର ମ୍ୟାଚ୍କୁ ଓହ୍ଲାଇବୁ ବୋଲି ମୋଇନ୍ କହିଛନ୍ତି।
କୋହଲିଙ୍କ ୱିକେଟ୍ ଉପରେ ମୋଇନ୍ଙ୍କ ନଜର
Advertisment
Follow Us