ମୁନିଙ୍କ ଶତକ: ଭାରତ ଶେଷ ବଲ୍‌ରେ ହାରିଗଲା

Advertisment
ମୁନିଙ୍କ ଶତକ: ଭାରତ ଶେଷ ବଲ୍‌ରେ ହାରିଗଲା

ମ୍ୟାକେ : ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ମହିଳା ଦିନିକିଆରେ ଭାରତୀୟ ଦଳ ଲଢ଼ୁଆ ଖେଳିଥିଲେ ମଧ୍ୟ ଶେଷ ବଲରେ ହାରିଯାଇଛି। ପ୍ରାରମ୍ଭିକ ବ୍ୟାଟର୍‌ ବେଥ୍ ମୁନିଙ୍କ ଆକର୍ଷଣୀୟ ଶତକ (୧୨୫*, ୧୩୩ ବଲ୍, ୧୨‌ ଚୌକା) ଏବଂ ନିକୋଲା କ୍ୟାରି (୩୯*, ୩୮ ବଲ୍‌, ୨ ଚୌକା)ଙ୍କ ସହ ଅତୁଟ ୯୭* ରନ୍ ଭାଗୀଦାରି କାରଣରୁ ଅଷ୍ଟ୍ରେଲିଆ ଶୁକ୍ରବାର ୫ ୱିକେଟରେ ରୋମାଞ୍ଚକ ଭାବେ ବିଜୟୀ ହୋଇଥିଲା। ଶେଷ ଓଭରରୁ ୧୩ ରନ୍‌ ଆବଶ୍ୟକ କରୁଥିବା ଘରୋଇ ଦଳକୁ ଭେଟେରାନ୍‌ ଦ୍ରୁତ ବୋଲର ଝୁଲନ ଗୋସ୍ବାମୀ ରୋକି ପାରିନଥିଲେ। ଏହି ନିର୍ଣ୍ଣାୟକ ଓଭରରେ ‌ସେ ଦୁଇଟି ନୋ ବଲ୍‌ ପକାଇବା ମହଙ୍ଗା ପଡ଼ିଥିଲା। ଏହି ବିଜୟ ସହ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ଆଗୁଆ (୨-୦) ଜିତି ନେଇଛି। ମୁନି ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ବିବେଚିତ ହୋଇଛନ୍ତି।

ଭାରତର ୨୭୪ ରନ୍‌କୁ ପିଛା କରି ଅଷ୍ଟ୍ରେଲିଆ ଏକଦା ୧୬ତମ ଓଭର ବେଳକୁ ୫୨ ରନ୍‌ରେ ୪ ୱିକେଟ୍ ହରାଇ ଦେଇଥିଲା। ତେବେ ବେଥ୍ ମୁନିଙ୍କ ସହ ମିଶି ତହଲିଆ ମ୍ୟାକ୍‌ଗ୍ରା (୭୪, ୭୭ ବଲ୍‌, ୯ ଚୌକା) ପଞ୍ଚମ ୱିକେଟ୍‌ରେ ୧୨୬ ରନ୍‌ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଝୁଲନ ଗୋସ୍ବାମୀଙ୍କ ଶେଷ ବଲରୁ ୨ ରନ୍‌ ନେଇ କ୍ୟାରି ମ୍ୟାଚ୍‌ ଶେଷ କରିଥିଲେ। ଭାରତ ପକ୍ଷରୁ ଝୁଲନ ଗୋସ୍ବାମୀ, ପୂଜା ଭସ୍ତ୍ରାକାର, ମେଘନା ସିଂହ, ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ବ୍ୟାଟିଂ ପାଇଁ ପାଇଁ ଆମନ୍ତ୍ରିତ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୭୪ ରନ୍‌ କରି ଘରୋଇ ଦଳ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ବ୍ୟାଟିଂ ପ୍ରଶିକ୍ଷକ ଶିବସୁନ୍ଦର ଦାସଙ୍କ ଆଶା ମୁତାବକ ପ୍ରାରମ୍ଭିକ ବ୍ୟାଟର୍ ସ୍ମୃତି ମନ୍ଧାନା (୮୬, ୯୪ ବଲ୍‌, ୧୧ ଚୌକା) ଆକର୍ଷଣୀୟ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଥିଲେ। ପ୍ରଥମ ୱିକେଟ୍ ପାଇଁ ସେଫଳି ବର୍ମା (୨୨, ୨୩ ବଲ୍‌)ଙ୍କ ସହ ୧୧ ଓଭରରେ ୭୪ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ମଧ୍ୟ ପକାଇଥିଲେ। ତେବେ ‌ମିତାଲି ରାଜ (୮)ଙ୍କ ରନ୍‌ ଆଉଟ୍‌ ଏବଂ ବସ୍ତିକା ଭାଟିଆ (୩)ଙ୍କ ବିଫଳତା ଦଳକୁ ରୋକିଥିଲା। ନିମ୍ନକ୍ରମରେ ରିଚା ‌ଘୋଷ (୪୪, ୫୦ ବଲ୍‌, ୩ ଚୌକା, ୧ ଛକା), ପୂଜା ଭସ୍ତ୍ରାକାର (୨୯, ୩୭ ବଲ୍‌), ଦୀପ୍ତି ଶର୍ମା (୨୩, ୩୪ ବଲ୍‌), ଝୁଲନ ଗୋସ୍ବାମୀ (୨୮*, ୨୫ ବଲ୍‌, ୩ ଚୌକା) ଉପଯୋଗୀ ଅବଦାନ ଦେବାରୁ ଭାରତ ୨୭୪ ରନ୍‌ର ଲଢ଼ୁଆ ସ୍କୋର୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe