ମୋର୍ଗାନଙ୍କ ମହତ୍ତ୍ବପୂର୍ଣ୍ଣ ଅର୍ଧଶତକ: ରାଜସ୍ଥାନ ଅଟକିଲା, ‌କୋଲକାତା ଲଟକିଲା

Advertisment
ଆଇପିଏଲ୍‌: ରାଜସ୍ଥାନ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

Photo: IPL Twitter

ଦୁବାଇ: ରବିବାରର ଏକତରଫା ରାତି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ରାଜସ୍ଥାନ ରୟାଲ୍ସକୁ ବିଦା କରିଦେଲା। କେକେଆର୍‌ ୧୯୨ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ବ୍ୟାଟିଂକ୍ରମକୁ ଶେଷ ପର୍ଯ୍ୟନ୍ତ ସଜାଡ଼ି ପାରିନଥିବା ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ମାତ୍ର ୧୩୧ ରନ୍ କରିପାରିଥିଲା। ଫଳରେ ଅଷ୍ଟମ ପରାଜୟ ବରଣ କରିବା ସହ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲା। ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଥିବା ରାଜସ୍ଥାନର ଲିଗ୍ ପର୍ଯ୍ୟାୟ ଅଭିଯାନ ମଧ୍ୟ ନୈରାଶ୍ୟଜନକ ଭାବେ ଶେଷ ହୋଇଥିଲା। ଅନ୍ୟପକ୍ଷରେ ୬୦ ରନ୍‌ର ବୃହତ୍ ବିଜୟ ହାସଲ କରିଥିବା କେକେଆର୍‌ ସପ୍ତମ ବିଜୟ ପାଇ ପଏଣ୍ଟ୍‌ ସଂଖ୍ୟାକୁ ୧୪କୁ ବଢ଼ାଇବା ସହ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲା। ତେବେ ଏହି ଦଳର ପ୍ଲେ ଅଫ୍ ଖେଳିବା ଆଶା ଏବେ ସୋମବାର ଖେଳାଯିବାକୁ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ସହ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭରଶୀଳ ରହିବ। ହେଲେ ଦଳ ଅନେକାଂଶରେ ଉନ୍ନତ ରନ୍ ହାର ବଳରେ ପ୍ଲେ ଅଫ୍‌କୁ ଯାଇପାରିବ। କହିବାକୁ ଗଲେ କେକେଆର ଭାଗ୍ୟ ଏବେ ସୂତା ଖିଅରେ ଝୁଲି ରହିଛି।

୧୯୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନର ଶୀର୍ଷକ୍ରମକୁ କୋଲକାତାର ଦାମୀ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ପ୍ରଥମ ଓଭର‌ରେ ୧୯ ରନ୍ ଅମଳ କରି ରବିନ ଉଥାପ୍ପା ଓ ବେନ୍ ଷ୍ଟୋକ୍ସ ଧୂଆଁଧାର ଶୈଳୀରେ ପଶ୍ଚାତଧାବନ ଆରମ୍ଭ କରିଥିଲେ। ଉଭୟ ତୃତୀୟ ଓଭର ସୁଦ୍ଧା ପ୍ୟାଭିଲିୟନ ଫେରି ଯାଇଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ସଞ୍ଜୁ ସାମସନ୍ ବିଫଳ ହେବା ପରେ ରାଜସ୍ଥାନ ୩୨ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଯୁବ ତାରକା ରିୟାନ ପରାଗ ଖାତା ଖୋଲି ନପାରିବା ପରେ ୩୭ ରନ୍‌ରେ ଅଧାଦଳ ହରାଇ ଏହି ପାୱାର ପ୍ଲେ ଭିତରେ ହିଁ ଏକପ୍ରକାର ମ୍ୟାଚ୍ ହାରି ଯାଇଥିଲା। କେବଳ ଯାହା ଔପଚାରିକତା ବାକି ରହିଥିଲା। ଜୋସ୍ ବଟଲର ୩୫, ରାହୁଲ ତିୱାତିଆ ୩୧ ଓ ଶ୍ରେୟସ୍ ଗୋପାଳ ୨୩ ରନ୍ କରିବା ପରେ ରାଜସ୍ଥାନ କଷ୍ଟେମଷ୍ଟେ ୧୦୦ ରନ୍ ଟପିଥିଲା। ରାଜସ୍ଥାନ କେବଳ ପରାଜୟରେ ଚଳିତ ଋତୁର ଅଭିଯାନ ଶେଷ କରିନଥିଲା, ଦଳ ପାଖରେ ଥିବା ପ୍ଲେ ଅଫ୍ ଆଶା ବି ମଉଳି ଯାଇଥିଲା। ପ୍ୟାଟ୍‌ କମିନ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମୋର୍ଗାନଙ୍କ ମହତ୍ତ୍ବପୂର୍ଣ୍ଣ ଅର୍ଧଶତକ
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର୍‌ର ତିନି ଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲି ପାରିନଥିଲେ। ନୀତୀଶ ରାଣା ଓ ଦୀନେଶ କାର୍ତ୍ତିକ ଗୋଟିଏ ଲେଖାଏଁ ବଲ୍ ଏବଂ ସୁନିଲ ନାରାୟଣ ଦୁଇଟି ବଲ୍ ଖେଳି କୌଣସି ରନ୍ କରିବା ପୂର୍ବରୁ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଶୁବମନ ଗିଲ୍ (୩୬ ରନ୍, ୨୪ ବଲ୍, ୬ ଚୌକା), ରାହୁଲ ତ୍ରିପାଠୀ (୩୯ ରନ୍, ୩୪ ବଲ୍, ୪ ଚୌକା, ୨ ଛକା) କିନ୍ତୁ ଉପଯୋଗୀ ପାଳି ଖେଳି ନିଜ ନିଜ ଦାୟିତ୍ବ ସଠିକ୍ ଭାବେ ତୁଲାଇଥିଲେ। ତେବେ ଅଧିନାୟକ ଇଅନ ମୋର୍ଗାନ (୬୮* ରନ୍, ୩୫ ବଲ୍, ୫ ଚୌକା, ୬ ଛକା)ଙ୍କ ବିସ୍ଫୋରକ ଓ ଚଳିତ ଋତୁରେ ପ୍ରଥମ ଅର୍ଧଶତକ ବଳରେ କେକେଆର୍‌ ୭ ୱି‌କେଟ୍ ବିନିମୟରେ ୧୯୧ ରନ୍‌ର ଆହ୍ବାନପୂର୍ଣ୍ଣ ସ୍କୋର କରି ନେଇଥିଲା। ଆନ୍ଦ୍ରେ ରସେଲ ମଧ୍ୟ ମାତ୍ର ୧୧ ବଲ୍‌ରୁ ଗୋଟିଏ ଚୌକା ଏବଂ ତିନିଟି ଦର୍ଶନୀୟ ଛକା ବଳରେ ୨୫ ରନ୍‌ର ଛୋଟିଆ ହେଲେ ଧମାକାଦାର ପାଳି ଖେଳିଥିଲେ। ସେହିଭଳି ଚଳିତ ଆଇପିଏଲ୍‌ର ଅନ୍ୟତମ ତାରକା ଖେଳାଳି ପ୍ୟାଟ୍ କମିନ୍ସ ୧୧ ବଲ୍‌ରୁ ୧୫ ରନ୍ କରିଥିଲେ। ରାଜସ୍ଥାନ ପାଇଁ ସଫଳ ବୋଲର ଭାବେ ରାହୁଲ ତିୱାତିଆ ୨୫ ରନ୍ ଦେଇ ୩ ୱିକେଟ୍ କରାୟତ କରିଥିଲେ। କାର୍ତ୍ତିକ ତ୍ୟାଗିଙ୍କୁ ୨ ୱି‌କେଟ୍ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe