ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ମୋରିସ

Advertisment
ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ମୋରିସ

ଖ୍ରୀଷ୍ଟଚର୍ଚ୍ଚ: ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡର କ୍ରିସ ମୋରିସ ସୋମବାର କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି। ‌ଘରୋଇ ଦଳ ଟାଇଟାନ୍ସର ପ୍ରଣିକ୍ଷଣ ଦାୟିତ୍ବ ଗ୍ରହଣ କରିବା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ବୋଲି ୩୪ ବର୍ଷୀୟ ମୋରିସ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ‘‘ମୋ କ୍ରୀଡ଼ା ଜୀବନକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବଡ଼ ଓ ସାନଙ୍କୁ ଧନ୍ୟବାଦ ଜଣାଉଛି। ‌ଏହା ଏକ ଆନନ୍ଦମୟ ଯାତ୍ରା ଥିଲା’’ ବୋଲି ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ ସେ ଲେଖିଛନ୍ତି। ଜାତୀୟ ଦଳ ପକ୍ଷରୁ କ୍ରିକେଟ୍‌ର ୩ ଫର୍ମାଟ୍‌ରେ ମୋଟ ୬୯ ମ୍ୟାଚ୍‌ ଖେଳିଥିବା ମୋରିସ ୯୪ ୱିକେଟ୍‌ ନେବା ସହ ୭୭୪ ରନ୍‌ କରିଛନ୍ତି। ୨୨ ବର୍ଷ ବୟସରେ ମୋରିସ ୨୦୦୯ରେ ନର୍ଥ ୱେଷ୍ଟ୍‌ ପକ୍ଷରୁ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ୨୦୧୧/୧୨ରେ ସେ ନିଜକୁ ଅଗ୍ରଣୀ ବୋଲର ଭାବେ ପ୍ରମାଣିତ କରିଥିଲେ।

ସେହି ଋତୁରେ ସେ ଘରୋଇ ଟି-୨୦ ପ୍ରତିଯୋଗିତାରେ ୨୧ ୱିକେଟ୍‌ ନେଇ ଅଗ୍ରଣୀ ୱିକେଟ୍‌ ଦଖଲକାରୀଙ୍କ ମଧ୍ୟରେ ଶୀର୍ଷରେ ରହିଥିଲେ। ୨୦୧୩ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ଦଳରେ ତାଙ୍କୁ ସୁଯୋଗ ମିଳିଥିଲା। ୨୦୧୩ ଆଇପିଏଲ୍‌ ନିଲାମରେ ମୋରିସଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୬୫୦,୦୦୦ ଡଲାରରେ କିଣିଥିଲା। ଅଲ୍‌ରାଉଣ୍ଡର ଦକ୍ଷତା ଲାଗି ୨୦୧୬ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ୨୦୨୦ରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ତାଙ୍କୁ ବଡ଼ ରାଶିରେ କିଣିଥିଲା। କିନ୍ତୁ ୨୦୨୧ ନିଲାମରେ ରାଜସ୍ଥାନ ରୟାଲ୍ସ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିଲା। ଯାହା ଆଇପିଏଲ୍‌ ଇତିହାସରେ ସବୁଠୁ ଦାମି ଖେଳାଳି ହୋଇଥିଲେ। ୨୦୧୫ ବିଶ୍ବକପ୍‌‌ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା ବେଳେ ୨୦୧୯ରେ ଅନ୍‌ରିକ୍‌ ନର୍ଖିଆ ଆହତ ହୋଇ ବାଦ୍‌ ପଡ଼ିବାରୁ ମୋରିସ ତାଙ୍କ ସ୍ଥାନ ନେଇଥିଲେ। ଏହି ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ସେ ସର୍ବୋଚ୍ଚ ୱିକେଟ୍‌ ହାସଲକାରୀ ରହିଥିଲେ। ହେଲେ ଏହା ପରଠୁ ସେ ଆଉ ଜାତୀୟ ଦଳରେ ସ୍ଥାନ ପାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe