ଅହମଦାବାଦ୍: ଆଜିଠାରୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଆରମ୍ଭ ହେଉଛି। ଏହା ମଧ୍ୟରେ ଏକ ବଡ଼ ଖବର ହସ୍ତଗତ ହୋଇଛି। ଚର୍ଚ୍ଚା ହେଛଛି ଯେ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ନଜର ଆସିବେନି ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
ଆଜି ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଏହାର ପ୍ରଥମ ମ୍ୟାଚ୍ ସିଏସ୍କେ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ହେବ। ଅହମ୍ମଦାବାଦ୍ରେ ଖେଳା ଯିବାକୁ ଥିବା ଏହି ଜବରଦସ୍ତ ମ୍ୟାଚ୍ରେ ଖେଳପ୍ରେମୀ ସେମାନଙ୍କ ପ୍ରିୟ ଖେଳାଳି ଧୋନିଙ୍କୁ ଦେଖିବାକୁ ପାଇବେନି ଶୁଣି ନିରାଶ ହୋଇଛନ୍ତି।
ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ଧୋନି ଆହତ ହୋଇ ନି କ୍ୟାପ୍ (ଆଣ୍ଠୁରେ ଲଗାଯାଉଥିବା ମୋଜା) ପିନ୍ଧିଥିଲେ। ସେ କ୍ରିଜ୍ ଉପରେ ଛୋଟେଇ ଛୋଟେଇ ଚାଲୁଥିବାର ବି ଦେଖିବାକୁ ମିଳିଥିଲା। ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହେଉଛି ଯେ ଧୋନି ଖେଳିନପାରନ୍ତି।
ହେଲେ ଏହାକୁ ନେଇ ଚେନ୍ନାଇ ସୁପର୍ କିଙ୍ଗ୍ସର ସିଇଓ କହିଛନ୍ତି ଯେ ସେ ଏ ବିଷୟରେ ଅବଗତ ନାହାନ୍ତି। ତାଙ୍କ କହିବା କଥା ହେଉଛି ଧୋନି ମ୍ୟାଚ୍ ଖେଳିବା କଥା। ତେବେ ଧୋନିଙ୍କ ଅସୁସ୍ଥତା ଅଧିକ ଥିଲେ ସେ ଖେଳିନପାରନ୍ତି ବୋଲି ଯାହା ଅନୁମାନ କରାଯାଉଛି, ସେପରି କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଉଲ୍ଳେଖଯୋଗ୍ୟ, ଗତବର୍ଷ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଦର୍ଶନ ପରସ୍ପରର ପୂରା ବିପରୀତ ଥିଲା। ଗୁଜରାଟ ୧୪ରୁ ୧୦ ଜିତି ଗ୍ରୁପ୍ ଟପ୍ପର ହେବା ସହ ନିଜ ଉଦୟକୁ ଜାରି ରଖି ବିଜେତା ହୋଇଥିଲା। ଜାଦେଜା/ଧୋନିଙ୍କ ନେତୃତ୍ବରେ ଖେଳି ସିଏସ୍କେ କିନ୍ତୁ ୧୪ରୁ ୪ ଜିତି ୧୦ ଦଳ ମଧ୍ୟରେ ନବମରେ ରହି ଲଜ୍ଜିତ ହୋଇଥିଲା। ଲିଗ୍ ପର୍ଯ୍ୟାୟରେ ଉଭୟ ମୁକାବିଲାରେ ମଧ୍ୟ ପାଣ୍ଡ୍ୟାଙ୍କ ଦଳ ବାଜି ମାରି ନେଇଥିଲା। ଚେନ୍ନାଇ ଏଥର ଭାଗ୍ୟରେ ପରିବର୍ତ୍ତନ କରିବାର ଆଶା ରଖିଛି।
Follow Us