ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଗତ ୮ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍ସ ୭ ୱିକେଟରେ ପରାସ୍ତ କରିଥିବା କଥା ଆପଣ ଜାଣନ୍ତି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୮ ୱିକେଟରେ ୧୫୭ ରନ୍ କରିଥିଲା। ସେହିପରି ଚେନ୍ନାଇ ୧୮.୧ ଓଭରରେ ତିନୋଟି ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଥିଲା।
ସିଏସକେ ବିପକ୍ଷ ମ୍ୟାଚରେ ପୁଣି ଥରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରି ନଥିଲେ। ମାତ୍ର ଗୋଟାଏ ରନ୍ କରି ଧୋନିଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆ ସିରିଜରୁ ସୂର୍ଯ୍ୟଙ୍କର ଖରାପ ପର୍ଯ୍ୟାୟ ଚାଲିଛି। ନିକଟରେ ଏକ ଦିନିକିଆ ସିରିଜରେ ସୂର୍ଯ୍ୟ ଲଗାତାର ତିନିଟି ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ଆଇପିଏଲ୍ରେ ବି ସେପରି କୌଣସି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି।
୨ଟି ମ୍ୟାଚ୍ ଖେଳି ସାରିବା ପରେ ସୂର୍ଯ୍ୟକୁମାର ଯାଦବ ଏ ପର୍ଯ୍ୟନ୍ତ ସମୁଦାୟ ୧୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟିଂରେ ଆତ୍ମବିଶ୍ୱାସର ଅଭାବ ସ୍ପଷ୍ଟ ଦେଖାଯାଉଛି।
ଏଥିସହିତ, ସିଏସ୍କେଠାରୁ ପରାଜିତ ହେବା ପରେ ସୂର୍ଯ୍ୟକୁମାରଙ୍କୁ ଭେଟି କଥା ହୋଇଛନ୍ତି ଧୋନି। ଏବେ ଧୋନି ଓ ଯାଦବଙ୍କର ସେହି ମୁହୂର୍ତ୍ତର ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅନୁମାନ କରୁଛନ୍ତି ଯେ ଧୋନି ଯାଦବଙ୍କୁ କିଛି ଟିପ୍ସ ଦେଉଛନ୍ତି, ଯାହାଫଳରେ ତାଙ୍କ ଆତ୍ମବିଶ୍ବାସ ଦୃଢ଼ ହେବ।
ଫଟୋରେ ଧୋନି ସୂର୍ଯ୍ୟଙ୍କୁ କିଛି ବୁଝାଉଥିବା ସ୍ପଷ୍ଟ ନଜର ଆସିଥିଲେ। ଧୋନି ଏବଂ ସୂର୍ଯ୍ୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପ୍ରଶଂସକମାନେ ମତ ରଖୁଛନ୍ତି ଯେ ମାହି ତାଙ୍କୁ ତାଙ୍କ ଖରାପ ପର୍ଯ୍ୟାୟରୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
Follow Us