ଆଜି ଓଏଫ୍‌ସି ସାମ୍ନାରେ ମୁମ୍ବାଇ ସିଟି: ଓଡ଼ିଶା ଛାଡ଼ି ଚେନ୍ନାୟିନ୍‌ ଗଲେ ସାଜିଦ

Advertisment
ଓଡ଼ିଶା ଏଫ୍‌ସି ହାରିଲା

ଭୁବନେଶ୍ବର: ନିଜର ଶେଷ ୪ ମ୍ୟାଚ୍‌ରେ ବିଜୟ ଶୂନ୍ୟ‌ ଥିବା ଭୁବନେଶ୍ବରର ଦଳ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ସୋମବାର ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇ ସିଟିକୁ ଭେଟିବ। ଏହି ମ୍ୟାଚ୍‌ ତିଲକ ମୈଦାନରେ ଖେଳାଯିବ। ଓଏଫ୍‌ସି ଗତ ମ୍ୟାଚ୍‌ରେ ହାଇଦ୍ରାବାଦ ଏଫ୍‌ସିଠୁ ବଡ଼ ବ୍ୟବଧାନରେ ହାରିଥିଲା। କି‌କୋ ରାମିରେଜଙ୍କ ପ୍ରଶିକ୍ଷିତ ଏହି ଦଳ ଚଳିତ ଋତୁରେ ୮ ମ୍ୟାଚ୍‌ ଖେଳି ୨୦ ଗୋଲ୍‌ ବରଣ କରିଛି। ଯାହା ଏପର୍ଯ୍ୟନ୍ତ ସବୁଠୁ ଖରାପ ରେକର୍ଡ। ଏପର୍ଯ୍ୟନ୍ତ ଦଳ ୩ ବିଜୟ, ୧ ଅମୀମାଂସିତ ଓ ୪ ପରାଜୟରୁ ୧୩ ପଏଣ୍ଟ୍‌ ପାଇ ଟେୁବଲର ସପ୍ତମ ସ୍ଥାନରେ ରହିଛି। ଏଭଳି ଖରାପ ରକ୍ଷଣଭାଗ ପାଇଁ ଗତ ସଂସ୍କରଣରେ ଓଡ଼ିଶା ୨୦ ମ୍ୟାଚ୍‌ରୁ ୪୪ ଗୋଲ୍‌ ବରଣ କରିଥିଲା ଏବଂ ଟେବୁଲର ଶେଷ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ମୁମ୍ବାଇ ବିପକ୍ଷରେ ଓଡ଼ିଶା ୪ ମ୍ୟାଚ୍‌ ଖେଳିଥିଲା ବେଳେ ବିଜୟ ଓ ପରାଜୟ ବ୍ୟବଧାନ ୨-୨ ରହିଛି। ସୋମବାର ମ୍ୟାଚ୍‌ ଜିତି ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି ଓଡ଼ିଶା। ମ୍ବାଇ ଏବେ ଦୃଢ଼ ଦଳ।

ଆମେ ତାଙ୍କୁ କିଭଳି ମୁକାବିଲା କରିବୁ ତାହାର ଯୋଜନା ହୋଇଛି। ମୁଖ୍ୟ ପ୍ରଶିକ୍ଷକ ରାମିରେଜ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ଯୋଗୁଁ ଆମ ସହ ରହିବେନି। ତଥାପି ଆମେ ମୁମ୍ବାଇ ବିପକ୍ଷରେ ପୂରା ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇବୁ’’ ବୋଲି ସହପ୍ରଶିକ୍ଷକ କିନୋ ଗାର୍ସିଆ ରବିବାର ମ୍ୟାଚ୍‌ ପୂର୍ବ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅନ୍ୟପକ୍ଷରେ ବିଜେତା ମୁମ୍ବାଇ ଚଳିତ ଋତୁ‌ରେ ୮ ମ୍ୟାଚ୍‌ ଖେଳି ୫ ବିଜୟ, ୧ ଅମୀମାଂସିତ ଓ ୨ ପରାଜୟ ସହ ୧୬ ପଏଣ୍ଟ୍‌ ପାଇଁ ଶୀର୍ଷରେ ରହିଛି। ହେଲେ ଗତ ଦୁଇ ମ୍ୟାଚ୍‌ରେ ଏହି ଦଳ ବିଜୟ ଶୂନ୍ୟ ରହିଛି।

ଓଡ଼ିଶା ଛାଡ଼ି ଚେନ୍ନାୟିନ୍‌ ଗଲେ ସାଜିଦ
ଓଡ଼ିଶା ଏଫ୍‌ସିର ରକ୍ଷଣଭାଗ ତାରକା ମହମ୍ମଦ ସାଜିଦ ଧୋତ ସ୍ଥାୟୀ ଭାବେ ଚେନ୍ନାୟିନ୍‌ ଏଫ୍‌ସିରେ ଯୋଗ ଦେଇଛନ୍ତି। ଜାନୁଆରିରେ ଅଦଳ ବଦଳ ବେଳେ ତାଙ୍କୁ ଓଏଫ୍‌ସିଠୁ ଚେନ୍ନାୟିନ୍‌ ନେଇଛି। ୨୪ ବର୍ଷୀୟ ସାଜିଦ ଆଇଏସ୍‌ଏଲ୍‌ରେ ଓଏଫ୍‌ସି ଓ ଦିଲ୍ଲୀ ଡାଇନାମୋସ ପକ୍ଷରୁ ୪ଟି ସଂସ୍କରଣରେ ୨୩ ମ୍ୟାଚ୍‌ ଖେଳିଛନ୍ତି। ଆଇ-ଲିଗ୍‌ରେ ସେ ଡିଏସ୍‌କେ ଶିବାଜିଆନ୍ସରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଓଏଫ୍‌ସି ପରିଚାଳନା ମଣ୍ଡଳି ସାଜିଦଙ୍କୁ ତାଙ୍କ ଭବିଷ୍ୟତ ମ୍ୟାଚ୍‌ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe