ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ର ଦ୍ୱାଦଶ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ ଜୟପୁରରେ ହେବାକୁ ଥିବା ଖେଳାଳି ନିଲାମ ପୂର୍ବରୁ ପୂର୍ବତନ ଭାରତୀୟ ପେସ୍ ବୋଲର୍ ଜାହିର୍ ଖାନଙ୍କୁ ନିଜ ଦଳରେ ସାମିଲ୍ କରାଇଛି। ଜାହିର୍ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ସଂଚାଳନ ନିର୍ଦ୍ଦେଶକ(ଡାଇରେକ୍ଟର ଅଫ୍ କ୍ରିକେଟ୍) ଭାବେ ଯୋଗ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଟୁଇଟର୍ ଆକାଉଣ୍ଟ୍ରେ ଏହା ପ୍ରକାଶ ପାଇଛି। ସୂଚନା ରହିଛି ଯେ ଜାହିର୍ ଖାନ୍ ଟିମ୍ର ମାଲିକ ନୀତା ଅମ୍ବାନୀ ଓ ଆନନ୍ଦ ଅମ୍ବାନୀଙ୍କ ସହ ନିଲାମୀରେ ବି ଭାଗ ନେବେ।
୪୦ ବର୍ଷିଅ ଏହି ଖେଳାଳି ଜଣକ ପୂର୍ବରୁ ୨୦୦୯, ୨୦୧୦ ଏବଂ ୨୦୧୪ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସାରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ସମୁଦାୟ ୩୦ଟି ମ୍ୟାଚ୍ରେ ୨୯ଟି ଓ୍ଵିକେଟ୍ ନେଇଛନ୍ତି।
ଜାହିର୍ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟତୀତ ରୟାଲ୍ ଚ୍ୟାଲେଞ୍ଜ ଓ ଦିଲ୍ଲୀ ଡେୟାର୍ ଡେଭିଲ୍ସରେ ବି ପୂର୍ବରୁ ଖେଳି ସାରିଛନ୍ତି। ଦିଲୀ ଡେୟାର୍ ଡେଭିଲ୍ସରେ ଥିବା ବେଳେ ସେ ଯୁବ ଖେଳାଳିମାନଙ୍କର ଅଧିନାୟକ ତଥା ମେଣ୍ଟର୍ ଥିଲେ। ଗତ ସିଜିନ୍ରେ ନିଲାମରେ ସ୍ଥାନ ନପାଇବାରୁ ଜାହିର ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ମେଣ୍ଟ୍ର ଭାବେ ସାମିଲ୍ ହୋଇଥିଲେ।
ଜାହିର୍ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ୍ ହେବା ପରେ ଟୁଇଟର୍ରେ ଖୁସି ବ୍ୟକ୍ତ କରିଛନ୍ତି। ସେ ଏତେ ଉତ୍ସାହିତ ଯେ ଏଥର ପର୍ଯ୍ୟାୟ ଆରମ୍ଭ ହେବାର ସେ ଅପେକ୍ଷା କରିପାରୁ ନାହାନ୍ତି ବୋଲି ଲେଖିଛନ୍ତି।
Follow Us