ମୁମ୍ବାଇ : ଆଇପିଏଲ୍ ୨୦୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ୫ ଥର ର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦୃଢ଼ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଥମ ପଦକ୍ଷେପ ନେଇଛି। ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ମୋଟ ୫ ଜଣ ଖେଳାଳିଙ୍କୁ ରିଟେନ୍ କରିଛି।
ଖାସ୍ କଥା ହେଉଛି ରୋହିତ ଶର୍ମା ଏହି ଦଳ ସହ ରହିଛନ୍ତି। ଗତ ସିଜନ ପରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହୋଇନାହିଁ । ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିନାୟକ ପଦ ବଜାୟ ରଖିଛନ୍ତି। ଆଇପିଏଲ୍ ୨୦୨୫ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ହେବେ ବୋଲି ମୁମ୍ବାଇ ଦଳ ଘୋଷଣା କରିଛି। ଗତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳର ପ୍ରଦର୍ଶନ ବହୁତ ଖରାପ ଥିଲା, କିନ୍ତୁ ମୁମ୍ବାଇ ପାଣ୍ଡ୍ୟାଙ୍କ ଉପରେ ଭରସା ବଜାୟ ରଖିଛି। ଅର୍ଥାତ୍ ରୋହିତ ଶର୍ମା ମଧ୍ୟ ଆଗାମୀ ସିଜନରେ କେବଲ ଜଣେ ଖେଳାଳି ଭାବେ ଖେଳିବେ।
ମୁମ୍ବାଇ ଗତବର୍ଷ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦେଇଥିଲା, ଯାହା ପରେ ରୋହିତଙ୍କୁ ଏହି ଦଳରୁ ଅଲଗା କରାଯାଇପାରେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ରୋହିତ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ରୋହିତ ଏହି ଦଳ ସହ ୫ ଥର ଆଇପିଏଲ୍ ଟ୍ରଫି ଜିତିଛନ୍ତି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଗତ ସିଜନରେ ଟ୍ରେଡ୍ ଜରିଆରେ ମୁମ୍ବାଇ ଦଳକୁ ଆସି ଅଧିନାୟକ ମଧ୍ୟ ହୋଇଥିଲେ। ଏମାନଙ୍କ ବ୍ୟତୀତ ଯଶପ୍ରୀତ ବୁମ୍ରା, ସୂର୍ୟ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କୁ ମଧ୍ୟ ବଜାୟ ରଖାଯାଇଛି।
Follow Us